କଟକ: ଭଗବାନ ଯେଉଁଠି ଭକ୍ତ ବି ସେଇଠି । ତ୍ରେତୟା ଯୁଗରେ ରାମ ଭଗବାନଙ୍କ ସହ ଯେପରି ପାଦେ ପାଦେ ସାଥିରେ ରହୁଥିଲେ ବୀର ହନୁମାନ ସେହିପରି କଳି ଯୁଗରେ ମଧ୍ୟ ଦେଖିବାକୁ ମିଳିଛି ସେହି ପବିତ୍ର ଓ ଅଲୌକିକ ଦୃଶ୍ୟ । କଟକରେ ମାରୁତି ମଣ୍ଡପରେ ରାମ ଚରିତ ମାନସ ଆରମ୍ଭ ହେବା କ୍ଷଣି ମଣ୍ଡପକୁ ଆସି ଯାଉଛନ୍ତି ବୀର ବଜରଙ୍ଗୀ ସ୍ୱରୂପ ଏକ ମାଙ୍କଡ । ଯାହା ସମସ୍ତ ଭକ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
କଳିଯୁଗରେ ତ୍ରେତୟା ଯୁଗର ଦୃଶ୍ୟ । ଶ୍ରୀ ରାମଙ୍କୁ ଦର୍ଶନ କରିବା ପାଇଁ ଧାଇଁ ଆସୁଛନ୍ତି ହନୁମାନ । ପାରାୟଣ ଶୁଣିବା ଓ ପ୍ରସାଦ ସେବନ କରିବା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଚୌଧୁରୀ ବଜାର ମାରୁତି ମଣ୍ଡପରେ । ଗତ ୧୪ ତାରିଖରୁ ଏହି ମଣ୍ଡପରେ ଲୋକହିତକାରୀ ରାମାୟଣ ପ୍ରଚାରଣୀ ସଭା ପକ୍ଷରୁ ଆରମ୍ଭ ହୋଇଛି ରାମଚରିତ ମାନସ ଓ ପାରାୟଣ । ହେଲେ ଏହି ସଭାରେ ସବୁଠୁ ଅଲୌକିକ କଥା ହେଉଛି ପାରାୟଣ ଆରମ୍ଭ ଦିନଠୁ ଏକ ମାଙ୍କଡ ପ୍ରତିଦିନ ଏହି ସଭାରେ ଉପସ୍ଥିତ ରହୁଛି । ସବୁ କାର୍ଯ୍ୟ ଯେପରି ପୂଜାର୍ଚ୍ଚନା, ପାରାୟଣ, ରୋଷଶାଳା ଓ ଭଜନ ସବୁ ଦିଗରେ ନିଜକୁ ହଜାଇ ଦେଇଛି ଏହି ମାଙ୍କଡ । ରାମ ଭଗବାନଙ୍କ ପ୍ରତ୍ୟେକ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛି ଏହି ମାଙ୍କଡ । ତେବେ ଏହି ମାଙ୍କଡଟି ରାମଭକ୍ତ ହନୁମାନ ବୋଲି କହିଛନ୍ତି ସଭାର ସମସ୍ତ ସଦସ୍ୟ ।