ଓଡିଶା

odisha

ETV Bharat / state

ରାଜ୍ୟ ଉପରେ ଦୁଇ ଦୁଇଟି ଲଘୁଚାପ, ୩୧ ଯାଏଁ ଲାଗି ରହିବ ପ୍ରବଳ ଅତି ପ୍ରବଳ ବର୍ଷା - Heavy To Very Heavy Rain

Odisha Weather Update: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସହ କିଛି ଜିଲ୍ଲାରେ ଅତ୍ୟନ୍ତ ବର୍ଷା ହେବ । ସେହିପରି ବିଜୁଳି ଘଡ଼ଘଡ଼ି ପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

Odisha Weather Update
Odisha Weather Update (ETV Bharat Odisha)

By ETV Bharat Odisha Team

Published : Aug 27, 2024, 9:19 PM IST

ଭୁବନେଶ୍ବର:ରାଜ୍ୟରେ ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ବଢିବ ବର୍ଷାର ପ୍ରଭାବ । ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ଲାଗି ରହିବ । କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ସହ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ପାଣିପାଗ ବିଭାଗର ସତର୍କ କରିଛି । ଏହାସହ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାକୁ ଥିବା ବେଳେ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ଏକ ଲଘୁଚାପ ଉତ୍ତର ପଶ୍ଚିମ ଝାଡ଼ଖଣ୍ଡ ଉପରେ ସକ୍ରିୟ ରହିଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢିବ ।

Odisha Weather Update (ETV Bharat Odisha)

ଆଜି ପାଇଁ ୱାର୍ଣ୍ଣିଂ:

ଆଜି ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଅର୍ଥାତ ୭ରୁ ୧୧ ସେମି ବର୍ଷା ହେବ । ପ୍ରବଳ ବର୍ଷାକୁ ନେଇ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼ ଓ ଅନୁଗୋଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଆଗାମୀ ଦିନ ପାଇଁ ୱାର୍ଣ୍ଣିଂ:

୨୮ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ବିଜୁଳି ଘଡ଼ଘଡ଼ି ପାଇଁ ବିଶେଷ କରି ଉପକୂଳ ଜିଲ୍ଲା ଯେପରିକି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ଼, କେନ୍ଦ୍ରପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ସତର୍କ ପରାମର୍ଶ ଦିଆଯାଇଛି । ୨୯ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ । ଏହିଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଅତ୍ୟନ୍ତ ବର୍ଷା ଆଲର୍ଟ:

ଅନ୍ୟପଟେ ୩୦ ତାରିଖରୁ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇବ । ୩୦ ତାରିଖରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଅତ୍ୟନ୍ତ ବର୍ଷା ପାଇଁ ୱାର୍ଣ୍ଣି ଜାରି କପରାଯାଇଛି । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ୱାର୍ଣ୍ଣି ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ପାଇଁ ନୂଆପଡ଼ା, ବଲାଙ୍ଗୀର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ପୁରୀ ଓ ନୟାଗଡ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ୩୧ ତାରିଖରେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ଓ ରାୟଗଡ଼ା, ଗଞ୍ଜାମ, ଗଜପତି, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୁଖ୍ୟତଃ ୨୯ରୁ ୩୧ ତାରିଖ ମଧ୍ୟରେ ଦକ୍ଷୀଣ ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ମତ୍ସ୍ୟଜିବୀଙ୍କୁ ସତର୍କ:

୨୯ ତାରିଖରେ ପୂର୍ବ କେନ୍ଦ୍ରୀୟ ଓ ତତସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଯାହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ ଦିନ ମଧ୍ୟରେ ଓଡିଶା ଉପକୂଳ ଓ ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ରହିବା ସହ ଆସନ୍ତା ୩୧ ଯାଏଁ ରାଜ୍ୟରେ ଭଲ ବର୍ଷା ହେବ । ଲଗାତାର ଲଘୁଚାପ ଫଳରେ ସମୁଦ୍ର ମଧ୍ୟ ଅଶାନ୍ତ ରହିବ । ତେଣୁ ୩୦ ଓ ୩୧ ତାରିଖ ସମୁଦ୍ରକୁ ମତ୍ସ୍ୟଜିବୀଙ୍କୁ ଯିବାକୁ ବାରଣ କରାଯାଇଛି । ୨୯ ତାରିଖ ସୁଦ୍ଧା ସମୁଦ୍ର ଭିତରୁ ଫେରି ଆସିବାକୁ ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ଏହାର ପ୍ରଭାବରେ ଋଷିକୂଲ୍ୟା, ବଂଶଧାରା, ନାଗାବଳୀ ସହ ଲୋୟର ମହାନଦୀ ଅବବାହିକାରେରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।


ସ୍ବାଭାବିକ ଠାରୁ କମ୍‌ ବର୍ଷା :
ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୭୭୯.୫ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୮୭୦. ୫ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ୧ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ଓ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିଛି । ବାଲେଶ୍ୱର ଓ ଭଦ୍ରକରେ ସବୁଠୁ କମ ବର୍ଷା ରେକର୍ଡ ହୋଇଛି । ସେପଟେ ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଜଗତସିଂହପୁର ସର୍ବାଧିକ ୧୦୬.୪ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି ।


ଏହା ମଧ୍ୟ ପଢ଼ନ୍ତୁ...ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ, ଏହି ଦିନଠୁ ପ୍ରବଳରୁ ଅତି ପ୍ରବଳ ବର୍ଷିବ - Heavy Rainfall In Odisha

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details