ଓଡିଶା

odisha

'ଗତ ମେ' ମାସ ସୁଦ୍ଧା ଗ୍ରାମାଞ୍ଚଳରେ ବ୍ରଡବ୍ୟାଣ୍ଡ୍ ସଂଯୋଗୀକରଣ ୯୦ ପ୍ରତିଶତରୁ ଅଧିକ' - State broad band committee meeting

By ETV Bharat Odisha Team

Published : Jun 26, 2024, 8:20 AM IST

6th State broad band committee meeting: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଷଷ୍ଠ ବ୍ରଡବ୍ୟାଣ୍ଡ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ବ୍ରଡବ୍ୟାଣ୍ଡ୍ ସଂଯୋଗୀକରଣ ବିଷୟରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

State broad band committee meeting
State broad band committee meeting (ETV Bharat Odisha)

ଭୁବନେଶ୍ୱର:ଗ୍ରାମାଞ୍ଚଳରେ ଗତ ମେ' ମାସ ଶେଷ ସୁଦ୍ଧା ବ୍ରଡବ୍ୟାଣ୍ଡ୍ ସଂଯୋଗୀକରଣ ୯୦ ପ୍ରତିଶତରୁ ଅଧିକ । ରାଜ୍ୟସ୍ତରୀୟ ଷଷ୍ଠ ବ୍ରଡବ୍ୟାଣ୍ଡ କମିଟି ବୈଠକରେ ଏନେଇ ସୂଚନା ଦିଆଯାଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଗତକାଲି (ମଙ୍ଗଳବାର) ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଷଷ୍ଠ ବ୍ରଡବ୍ୟାଣ୍ଡ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରତ ସରକାରଙ୍କ ଦୂର ସଂଚାର ବିଭାଗ ତରଫରୁ ଜାତୀୟ ବ୍ରଡବ୍ୟାଣ୍ଡ ମିଶନରେ ବାର୍ଷିକ କାର୍ଯ୍ୟକାରିତା ଯୋଜନା ଦାଖଲ କରାଯାଇଛି ।

State broad band committee meeting (ETV Bharat Odisha)

ବୈଠକରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଦୂର ସଂଚାର ବିଭାଗର ବରିଷ୍ଠ କର୍ତ୍ତୃପକ୍ଷଙ୍କ ସମେତ କମିଟିର ସଦସ୍ୟ ଥିବା ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଦିଆଯାଇଥିବା ସୂଚନା ଅନୁସାରେ ଗ୍ରାମାଞ୍ଚଳରେ ଗତ ମଇ ମାସ ଶେଷ ସୁଦ୍ଧା ବ୍ରଡବ୍ୟାଣ୍ଡ୍ ସଂଯୋଗୀକରଣ ୯୦ ପ୍ରତିଶତରୁ ଅଧିକ ରହିଛି । ଯାହାକି ସନ୍ତୋଷଜନକ ରହିଛି ବୋଲି କୁହାଯାଇଛି ।

ଏବେ ବି ରାଜ୍ୟର ବହୁ ଗ୍ରାମାଞ୍ଚଳରେ ଟେଲିକମ ଓ ଇଣ୍ଟରନେଟ ସୁବିଧା ଆଶାଜନକ ଭାବେ ଉପଲବ୍ଧ ନାହିଁ । କାର୍ଯ୍ୟ ଯୋଜନା ସଂପର୍କରେ ମୁଖ୍ୟ ଶାସନ ସଚିବ ସବିଶେଷ ଅବଗତ ହୋଇଛନ୍ତି । ଏହା ପରେ ଓଡ଼ିଶାରେ ଟେଲିକମ ସଂଯୋଗୀକରଣ କଭରେଜ ସମ୍ପର୍କିତ ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଛି, ଏହାର ପ୍ରକୃତ ସ୍ଥିତି ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି । ଏହା ସହ ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିଜ କ୍ଷେତ୍ର କର୍ମଚାରୀଙ୍କୁ ସ୍ଥିତି ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

State broad band committee meeting (ETV Bharat Odisha)

ବୈଠକରେ ମୋବାଇଲ ଟାୱାର ସମ୍ବନ୍ଧୀୟ ସମସ୍ୟା ଜମି ଆବଣ୍ଟନ, ରାସ୍ତା ସୁବିଧା, ପରିବେଶ ମଞ୍ଜୁରୀ, ସ୍ଥାନୀୟ ସମସ୍ୟାକୁ ୧୫ ଦିନ ମଧ୍ୟରେ ସମାଧାନ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସଂପୃକ୍ତ ଜିଲ୍ଲାପାଳଙ୍କ ନିକଟକୁ ତଥ୍ୟ ପଠାଇବା ସହ ଜିଲ୍ଲାପାଳ, ଏସପି ଓ ଡିଏଫଓଙ୍କ ସହ ଭିସି ମାଧ୍ୟମରେ ବୈଠକ କରି ଏଭଳି ସମସ୍ୟାକୁ ତ୍ୱରାନ୍ୱିତ କରାଯିବ । ଦୂର ସଂଚାର ବିଭାଗ କର୍ତ୍ତୃପକ୍ଷ ଏବଂ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପିଏମ ଗତିଶକ୍ତି ପୋର୍ଟାଲରେ ବ୍ରଡବ୍ୟାଣ୍ଡ ସଂଯୋଗ ଥିବା ଅଙ୍ଗନବାଡ଼ି କେନ୍ଦ୍ର ସମେତ ଶିକ୍ଷାନୁଷ୍ଠାନ ତଥା ପ୍ରତିଷ୍ଠାନ ସଂପର୍କରେ ତଥ୍ୟ ସ୍ଥାନିତ କରିବାକୁ ପରାମର୍ଶ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. ଉତ୍ତର ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ପାଇଁ ଟାସ୍କଫୋର୍ସ: ମୁଖ୍ୟମନ୍ତ୍ରୀ - CM Mohan Majhi

ବିଭିନ୍ନ ବିଭାଗ, ବିଭାଗୀୟ ଶାଖା କାର୍ଯ୍ୟାଳୟ ଆଦିମାନଙ୍କରେ ୫-ଜି'ର ବ୍ୟବହାର ସଂପର୍କରେ ଏକ ଘଣ୍ଟିଆ ଡେମୋ ଅଧିବେଶନ ପ୍ରଦର୍ଶନ କରି ସଚେତନ କରାଯିବ । ଦୂରସଂଚାର ଯୋଜନାର କାର୍ଯ୍ୟକାରିତା ବେଳେ ଜନସାଧାରଣଙ୍କ ଅନାବଶ୍ୟକ କ୍ଷୟକ୍ଷତିକୁ ଏଡ଼ାଇବା ପାଇଁ ସଂପୃକ୍ତ ଏଜେନ୍ସି ଏବଂ ଖନନ କାର୍ଯ୍ୟ କରୁଥିବା ଏଜେନ୍ସି ଦ୍ୱାରା ସିବିୟୁଡି ଆପ୍ ର ବାଧ୍ୟତାମୂଳକ ବ୍ୟବହାର ସମ୍ପର୍କରେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଇଞ୍ଜିନିୟରିଂ କର୍ମଚାରୀଙ୍କୁ ସାମିଲ କରି ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ସିବିୟୁଡି ସଚେତନତା ଶିବିର ଆୟୋଜନ କରିବାକୁ ଦୂର ସଂଚାର ବିଭାଗର ମୁଖ୍ୟଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ଆଇଟି ପ୍ରମୁଖ ଶାସନ ସଚିବଙ୍କୁ ବିଦ୍ୟୁତ ବିତରଣ କମ୍ପାନୀଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସମସ୍ତ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା, ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା, ଭିତ୍ତିଭୂମି ସୁବିଧା ପ୍ରଦାନକାରୀ ସଂସ୍ଥାଙ୍କ ପାଇଁ କମ୍ପୋଜିଟ ବିଲିଂ ପ୍ରସ୍ତାବକୁ ସୁଗମ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ସେଲ ଗୁଡ଼ିକୁ ସହଜରେ ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ପୋର୍ଟାଲରେ ଷ୍ଟ୍ରିଟ ଆସବାବପତ୍ର ତାଲିକା ଅପଲୋଡ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଅନୁରୋଧ କରାଯାଇଛି । ଆଗାମୀ ରଥଯାତ୍ରା ପର୍ବକୁ ଦୃଷ୍ଟିରେ ରଖି ସମସ୍ତ ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ ଟିଏସପି ଏବଂ ଆଇଏସପିମାନଙ୍କୁ ସେଲ-ଅନ-ହ୍ୱିଲ୍ସ ବ୍ୟବସ୍ଥା କରି କିମ୍ବା ବର୍ତ୍ତମାନର ଭିତ୍ତିଭୂମିର ଉନ୍ନତିକରଣ କରି ମୋବାଇଲ ନେଟୱାର୍କ ସଂଯୋଗରେ ଉନ୍ନତି ଆଣିବାକୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details