Odisha State Police Duty Meet କଟକ:ଓଡ଼ିଶା ପୋଲିସର 68ତମ ରାଜ୍ୟ ପୋଲିସ ଡ୍ୟୁଟି ମିଟ୍ ଉଦଘାଟିତ ହୋଇଯାଇଛି । କଟକ ଓଏମପି ସ୍ଥିତ ଷଷ୍ଠ ବାଟେଲିଅନରେ 4 ଦିନ ଧରି ଏହା ଚାଲିବ। ମୁଖ୍ୟ ଅତିଥି ଭାବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ପୋଲିସ ଜୀବନରେ ବୃତ୍ତିଗତ ଦକ୍ଷତା ପାଇଁ ଏହି ମିଟ୍ ଆୟୋଜିତ ହୋଇଥାଏ । କୋଭିଡ କାରଣରୁ ଗତ 4 ବର୍ଷ ଧରି ଏହି ମିଟ ବନ୍ଦ ରହିଥିଲା।
12ଟି ଇଭେଣ୍ଟ ମଧ୍ୟରେ ବିଭିନ୍ନ ପ୍ରକାର ତଦନ୍ତ ଯେପରି, ସାଇଣ୍ଟିଫିକ, ଫୋରେନସିକ, ସାଇବର କ୍ରାଇମକୁ ନେଇ ପ୍ରତିଯୋଗିତା ଆୟୋଜିତ ହେବ। ବିଭିନ୍ନ ଜିଲ୍ଲାରୁ 200ରୁ ଅଧିକ ପ୍ରତିଯୋଗୀ ଏହି ପୋଲିସ ମିଟରେ ଭାଗ ନେଇଛନ୍ତି। ସର୍ବ ଭାରତୀୟ ପୋଲିସ କ୍ରୀଡା କଣ୍ଟ୍ରୋଲ ବୋର୍ଡ ବିଭାଗ ପକ୍ଷରୁ ବିଭିନ୍ନ ବୃତ୍ତିଗତ ଓ କ୍ରୀଡା ଵର୍ଗ ରେ ପ୍ରତିଯୋଗୀତା ଆୟୋଜିତ ହୋଇଥାଏ। ଏହାଛଡା ଆଗାମୀ ଦିନରେ ଲକ୍ଷ୍ନୌରେ ହେବାକୁ ଥିବା ସର୍ବଭାରତୀୟ ପ୍ରତିଯୋଗିତା ପାଇଁ ଏହି ମିଟରୁ ମଧ୍ୟ ଅନେକ ପୋଲିସ ଅଫିସର ଚୟନ ହେବେ । ଯେଉଁମାନେ ଓଡିଶାକୁ ପ୍ରତିନିଧିତ୍ଵ କରିବେ।
ଏହା ମଧ୍ୟ ପଢନ୍ତୁ-ସର୍ବାଧିକ ଗଞ୍ଜେଇ ନଷ୍ଟ କରିବାରେ ଆଗରେ ଓଡିଶା ପୋଲିସ, ନିଶା ବେପାରିଙ୍କ ସମ୍ପତ୍ତି ଜବତରେ ବି ପ୍ରଥମ
ବର୍ତ୍ତମାନ ସମୟରେ ଓଡ଼ିଶା ପୋଲିସର ତଦନ୍ତ ଓ ଅନୁସନ୍ଧାନ ଯେପରି ଆହୁରି ତ୍ୱରିତ ଓ ବୈଜ୍ଞାନିକ ପ୍ରଣାଳୀରେ ହେବ ତାହା ଏହି ପ୍ରତିଯୋଗିତା ମାଧ୍ୟମରେ ମିଳି ପାରିବ ବୋଲି କହିଛନ୍ତି ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ। ଏହାଛଡ଼ା ସାଇବର କ୍ରାଇମ ଓ ନାରୀମାନଙ୍କ ଉପରେ ହେଉଥିବା ଅପରାଧ ଉପରେ ରୋକ ଲଗାଇବା ପାଇଁ ଯେଉଁ ଅନୁସନ୍ଧାନ କୌଶଳ ଆବଶ୍ୟକ ତାହା ମଧ୍ୟ ଏହି ମିଟର ମୂଳ ଲକ୍ଷ୍ୟ ରହିବ ବୋଲି କହିଛନ୍ତି ପୋଲିସ ଡିଜି।
ଏନେଇ ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି, '' ଆଜି ଓଡ଼ିଶା ପୋଲିସର 68ତମ ରାଜ୍ୟ ପୋଲିସ ଡ୍ୟୁଟି ମିଟ୍ ଉଦଘାଟିତ ହୋଇଛି । ପୋଲିସର ବୃତ୍ତିଗତ ଦକ୍ଷତା ପାଇଁ ଏହି ମିଟ୍ କରାଯାଇଥାଏ । ଅଲ ଇଣ୍ଡିଆ ପୋଲିସ ସ୍ପର୍ଡ୍ସ କଣ୍ଟ୍ରୋଲ ବୋର୍ଡ ବିଭିନ୍ନ ପ୍ରତିଯୋଗୀତା କରନ୍ତି । ସେହି ପ୍ରତିଯୋଗିତାରେ ଅନେକ ଇଭେଣ୍ଟ ରହିଥାଏ । ତା ସହିତ ସେମାନେ ପୋଲିସ ଡ୍ୟୁଟି ମିଟ୍ ମଧ୍ୟ ରଖିଛନ୍ତି । ସର୍ବଭାରୀତୟ ସ୍ତରରେ ଆସନ୍ତା ମାସ 12ରୁ 16 ତାରିଖ ପର୍ଯ୍ୟନ୍ତ ଲକ୍ଷ୍ନୌରେ ସର୍ବଭାରତୀୟ ପ୍ରତିଯୋଗିତା ହେବ । ସେହି ପ୍ରତିଯୋଗୀତା ପାଇଁ ଯେଉଁ ମାନେ ଓଡ଼ିଶାକୁ ପ୍ରତିନିଧିତ୍ବ କରିବେ ଆମେ ସେମାନଙ୍କୁ ଆମେ ଚୟନ କରିବୁ । ''
ଇଟିଭି ଭାରତ, କଟକ