ନୂଆପଡା:ଜିଲ୍ଲାର ଦେଓଦରା ଗାଁରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । କଲରାପତରିଆ ବାଘକୁ ଶିକାର କରି ରାନ୍ଧି ଖାଇଗଲେ 4 ଶିକାରୀ । ଘଟଣାରେ 2 ଶିକାରୀଙ୍କୁ ଗିରଫ କରିଛି କୋମନା ବନ ବିଭାଗ । ଅନ୍ୟ 2 ଜଣଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି ବନ ବିଭାଗ । ତେବେ ଚିତା ବାଘର ଛାଲ, ମାଂସ, ନଖ, ଦାନ୍ତ ଜବତ କରି ତଦନ୍ତ କରୁଛି ବନବିଭାଗ । ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି ।
ବାଘକୁ ମାରି ଖାଇଗଲେ ଶିକାରୀ:
ନୂଆପଡା ଜିଲ୍ଲା ଦେଓଦରା ଗାଁ ନିକଟସ୍ଥ ପାଟି ଜଙ୍ଗଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶିକାରୀଙ୍କ କହିବାନୁସାରେ, ‘ପାଟି ଡଙ୍ଗରରେ ଶିକାରୀ ମାନେ ବାରହା ଶିକାର ପାଇଁ ବିଦ୍ୟୁତ ତାର ଜାଲ ବିଛାଇ ଥିଲେ । ହେଲେ ବାରହା ବଦଳରେ ବାଘ ପଡିଥିଲା । ଏହାପରେ ବାଘର ଗୋଡ଼, ଲାଞ୍ଜ,ନଖ,ଦାନ୍ତ ଅଲଗା ଅଲଗା କରିଥିଲେ । ବଳକା ମାଂସକୁ ରାନ୍ଧି ଖାଇଥିଲେ 4 ଜଣ ।’
2 ଶିକାରୀ ଗିରଫ:
ଆଜି(ମଙ୍ଗଳବାର) କୋମନା ବନ ବିଭାଗ 2 ଜଣ ଶିକାରୀଙ୍କୁ ଗିରଫ କରି ବେଆଇନ ବନ୍ୟଜନ୍ତୁ ଶିକାର ମାମଲାରେ କେଶ ରୁଜୁକରି କୋର୍ଟ ଚାଲାଣ କରିଛନ୍ତି । ଘଟଣାରେ ଅନ୍ୟ ଦୁଇଜଣ ଫେରାର ଥିବା ଜଣାପଡିଛି । ଏଭଳି ଜଘନ୍ୟ ଘଟଣାକୁ କୋମନା ବନବିଭାଗ ଗୁରୁତ୍ବର ସହିତ ତଦନ୍ତ ଚଳାଇଛି । ଗିରଫ ଶିକାର ଦୁଇ ହେଲେ ପୁସ୍ତମ ଚିନ୍ଦା ଓ ଟିଙ୍କୁ ଚିନ୍ଦା । ଫେରାର ଥିବା ବାକି ଦୁଇ ଶିକାରୀ ହେଲେ ଦେବେନ୍ଦ୍ର ଚିନ୍ଦା ଓ ଜଗବନ୍ଧୁ ଚିନ୍ଦା । ଘଟଣା ସମ୍ପର୍କରେ ବନ ବିଭାଗ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ସେପଟେ ଫେରାର ଥିବା ଦୁଇ ଶିକାରୀଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ବାଘ ଖିଆଙ୍କୁ ବାସନ୍ଦ କର:
ନୂଆପଡ଼ାରେ କଲରାପତରିଆ ବାଘ ମାରି ମାଂସ ରୋଷେଇ କରି ଖାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ସେ କହିଛନ୍ତି, ’ବାଘଖିଆଙ୍କୁ ସାମାଜିକ ବାସନ୍ଦ କର । ମହାବଳ ବାଘ ହେଉ କି କଲରାପତରିଆ ଡିଫିକଲ୍ଟ ପରିସ୍ଥିତିରେ ମଣିଷ ଶିକାର କରିଥାନ୍ତି । କିନ୍ତୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳୁଛି ଲୋକେ କଲରାପତରିଆ ବାଘ ମାଂସ ଖାଉଛନ୍ତି । ସଭ୍ୟ ସମାଜରେ ଏହାର କୌଣସି ସ୍ଥାନ ନାହିଁ । ସେମାନେ ସଭ୍ୟ ସମାଜରେ ରହିବାକୁ ଯୋଗ୍ୟ ନୁହନ୍ତି । ଅନୁରୋଧ, ଲୋକମାନେ ଏଭଳି ବ୍ୟକ୍ତିଙ୍କୁ ସାମାଜିକ ବାସନ୍ଦ କରନ୍ତୁ । କଲରାପତରିଆ ବାଘ ଶିକାର କରି ଖାଇବା ପରେ ବନ ବିଭାଗ ଅଧିକାରୀ ତାଙ୍କୁ ଧରିଛନ୍ତି । କାରଣ ବନ ବିଭାଗ ଦ୍ଵାରା ସବୁ ବନ୍ୟଜନ୍ତୁଙ୍କୁ ଟ୍ରାକ କରିବା ସମ୍ଭବ ନୁହେଁ । ଲୋକମାନେ ଏନେଇ ସଚେତନ ହେବା ଜରୁରୀ ।’