ଓଡିଶା

odisha

ETV Bharat / state

କୁଶଭଦ୍ରା ନଦୀ ବନ୍ଧ ତଳେ 300 ମିଟର ସୁଡ଼ଙ୍ଗ, ମାଟି ପକାଇଲେ ହୋଇଯାଉଛି ଉଭାନ ! - Kushabhadra River Embankment - KUSHABHADRA RIVER EMBANKMENT

Tunnel Under Kushabhadra River Embankment: କୁଶଭଦ୍ରା ନଦୀ ବନ୍ଧ ତଳେ 300 ମିଟର ସୁଡ଼ଙ୍ଗ । ଦବିବା ଆରମ୍ଭ ହୋଇଛି ନଦୀ ବନ୍ଧ । ମାଟି ପକାଇଲେ ହୋଇଯାଉଛି ଉଭାନ । ଅଧିକ ପଢ଼ନ୍ତୁ

କୁଶଭଦ୍ରା ନଦୀ ବନ୍ଧ
କୁଶଭଦ୍ରା ନଦୀ ବନ୍ଧ

By ETV Bharat Odisha Team

Published : Mar 24, 2024, 4:54 PM IST

କୁଶଭଦ୍ରା ନଦୀ ବନ୍ଧ

ନିମାପଡ଼ା: କୁଶଭଦ୍ରା ନଦୀ ବନ୍ଧ ତଳେ 300 ମିଟର ସୁଡ଼ଙ୍ଗ । ଏହି ସୁଡ଼ଙ୍ଗକୁ ସ୍ଥାନୀୟ ଲୋକେ ବିମଳା ସୁଡ଼ଙ୍ଗ ବୋଲି କହୁଥିବା ବେଳେ ସୁଡ଼ଙ୍ଗ ପାର୍ଶ୍ବରେ ଥିବା ତିନି ମୁହାଣୀ ସ୍ଲୁଇସି ଗେଟଠାରୁ ଷୋଳପୁର ଛକ ରାସ୍ତାର ପାଖାପାଖି 300 ମିଟର ପର୍ଯ୍ୟନ୍ତ ଲମ୍ବି ରହିଛି । ଯେଉଁଥିପାଇଁ ହଜାର ହଜାର ଟ୍ରିପ ମାଟି ପକାଇଲେ ସୁଦ୍ଧା ଏକ ସପ୍ତାହ ମଧ୍ୟରେ ଏହି ମାଟି ଉଭାନ ହେଇଯାଉଛି ବୋଲି କହିଛନ୍ତି ସ୍ଥାନୀୟ ଲୋକ ।

ଲୋକଙ୍କ କହିବା ଅନୁଯାୟୀ, ବିମଳା ସୁଡ଼ଙ୍ଗ କହିଲେ ମାଛଙ୍କ ଅସରନ୍ତି ଭଣ୍ଡାର, ଯେଉଁଠି ମାଛ ସୁଡ଼ଙ୍ଗ କରି ରହୁଥାଆନ୍ତି । ଯାହାକୁ ସ୍ଥାନୀୟ ଲୋକଙ୍କ ଭାଷାରେ ବିମଳା ମାଛ ସୁଡ଼ଙ୍ଗ ବୋଲି କୁହାଯାଇଥାଏ । ଏନେଇ ସ୍ଥାନୀୟ ମତ୍ସ୍ୟଜୀବୀ ଅଜୟ ମଲ୍ଲିକ କହିଛନ୍ତି ଯେ, ଯଦି ଲୋକଙ୍କ ମତକୁ ଅନ୍ଧବିଶ୍ବାସ ଭାବେ ଧରିନେବା ତେବେ ତିନି ମୁହାଣିଠାରୁ ଧସିବା ସ୍ଥାନ ପର୍ଯ୍ୟନ୍ତ ନଦୀ ବନ୍ଧ କାହିଁକି ଦବି ଯାଇଛି । ବନ୍ଧ ମରାମତିରେ 5 ହଜାର ଟ୍ରିପି ମାଟି କୁଆଡେ ଗଲା । ସେପଟେ ଠିକାଦାର ତଥା ଅଧିବାସୀ କହିଛନ୍ତି ଯେ, ନଦୀ ବନ୍ଧ ତଳେ ଏକ ସୁଡ଼ଙ୍ଗ ରହିଥିବା ନେଇ ଅନୁମାନ କରାଯାଉଛି । ଯେଉଁଥିପାଇଁ ଯେତେ ମାଟି ପକାଇଲେ ମଧ୍ୟ ଏହି ମାଟି କୁଆଡେ ଭାସିଯାଉଛି । ଅନ୍ୟପକ୍ଷରେ ତିନି ମୁହାଣୀଠାରୁ ନଦୀ ବନ୍ଧ ଧଶିବା ସ୍ଥାନ ପର୍ଯ୍ୟନ୍ତ ସମସ୍ତ ବନ୍ଧ ଏବେ ଦୁଇ ଫାଳ ହୋଇ ଦବିବା ଆରମ୍ଭ କରିଛି । ଫଳରେ ଗୋପ ଅଞ୍ଚଳରେ ଭୟର ବାତବରଣ ଦେଖାଦେଇଛି ।

ସୂଚନା ଥାଉ କି, ଷୋଳପୁରଠାରୁ ମଦରଙ୍ଗ ନଦୀ ବନ୍ଧ ରାସ୍ତା ଗତ ବନ୍ୟା ପରେ 60 ଫୁଟ ରାସ୍ତା ନଦୀ ମଧ୍ୟକୁ ଧସି ଯାଇଥିଲା । ପରେ ଏହି ନଦୀ ବନ୍ଧ ଉପରେ ପଲିଥିନ୍ ଓ ବାଲି ବସ୍ତା ଦେଇ ବନ୍ୟାର ମୁକାବିଲା କରାଯାଇଥିଲା । ମାତ୍ର ଏକ ସପ୍ତାହ ପରେ ଏହି ବାଲିବସ୍ତା ସମେତ ପଲିଥିନ ମାଟି ଭିତରକୁ ଚାଲିଯାଇଥିଲା । ବନ୍ୟା ପରେ ଏହାର ମରାମତି କରିବା ପାଇଁ ଏଠାରେ ପୁନଃ ମାଟି ପକାଯାଇ ବନ୍ଧ ସମାନ କରାଯାଇଥିଲେ ମଧ୍ୟ ଏକ ସପ୍ତାହ ପରେ ଉକ୍ତ ମାଟି ମଧ୍ୟ କୁଆଡେ ତଳକୁ ଦବି ଯାଇ ଉଭାନ ହୋଇଗଲା । ଏପରି ଭାବେ ତିନିରୁ ଚାରିଥର ହଜାର ହଜାର ଟ୍ରିପ୍‌ ମାଟି ପକାଇ ଏହା ଉପରେ ମେସିନ ସହାୟତାରେ ସମତୁଲ କରାଯାଇଥିଲା । ମାତ୍ର କୌଣସି ଫଳ ମିଳିନଥିଲା ।

ଏହା ମଧ୍ୟ ପଢ଼ନ୍ତୁ....ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସୁଡଙ୍ଗ, ପୁନରୁଦ୍ଧାର କାର୍ଯ୍ୟ ପାଇଁ ଜଳ ଖାଲି ସମୟରେ ହେଲା ଠାବ

ସେପଟେ ଏବେ କିଛି ଦିନ ତଳେ ନିମାପଡ଼ା ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଉପସ୍ଥିତିରେ ଏହାର କାର୍ଯ୍ୟ କରାଯାଇଥିଲା । ସେଠାରେ ଥିବା ନଦୀ ବନ୍ଧକୁ କାଟି ଏକ ହଜାର ଟ୍ରିପ୍‌ ମାଟି ପକାଯାଇଥିଲା । କିନ୍ତୁ ପୁନର୍ବାର ନଦୀ ବନ୍ଧ 2 ଫୁଟ ଦବିବା ଆରମ୍ଭ ହୋଇଛି । ଦୁଇରୁ ତିନି ଦିନ ମଧ୍ୟରେ ଏହି ମାଟି ସମ୍ପୂର୍ଣ୍ଣ ଭାବେ କୁଆଡେ ଉଭାନ ହୋଇଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏନେଇ ଗୋପ ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ, ବାରମ୍ବାର ମାଟି ପକାଇଲେ ମଧ୍ୟ ନଦୀ ବନ୍ଧ ଦବି ଯାଉଛି । ନଦୀ ବନ୍ଧ ସୁରକ୍ଷା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନନେଲେ ଅନେକ ଅଞ୍ଚଳ ପାଇଁ ବନ୍ୟା ବିପଦ ଦେଖା ଦେବା ସହିତ ହଜାର ହଜାର ଲୋକମାନେ କ୍ଷତି ଗ୍ରସ୍ତ ହେବେ । ଏନେଇ ନିମାପଡ଼ା ଅଧିକ୍ଷଣ ଯନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details