ଓଡିଶା

odisha

ETV Bharat / state

ଇସ୍ରୋ ଯିବେ ଓଡ଼ିଶାର ୩୦ ଛାତ୍ରଛାତ୍ରୀ, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ - 30 ODIA STUDENTS TO VISIT ISRO

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଯିବେ ଓଡ଼ିଶାର 30ଜଣ ଛାତ୍ରଛାତ୍ରୀ । କୃତି ଯୁବ ଜ୍ୟୋତିର୍ବିଜ୍ଞାନୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି । ଅଧିକ ପଢନ୍ତୁ

30 Odia students to Visit ISRO
30 Odia students to Visit ISRO (ETV Bharat Odisha)

By ETV Bharat Odisha Team

Published : Dec 13, 2024, 7:11 PM IST

ଭୁବନେଶ୍ବର: ଓଡ଼ିଶା ସରକାର ଓ ଟାଟା ଷ୍ଟିଲର ମିଳିତ ଉଦ୍ୟମରେ ଗତ କିଛି ବର୍ଷ ଧରି ଆୟୋଜିତ ହେଉଥିବା ଯୁବ ଜ୍ୟୋତିର୍ବିଜ୍ଞାନି ପ୍ରତିଭା ଅନ୍ବେଷଣ (YATS) ଗ୍ରାଣ୍ଡ ଫିନାଲେ ଆଜି ରାଜଧାନୀ ଭୁବନେଶ୍ବର ସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ପରିସରରେ ଆୟୋଜିତ ହୋଇଛି । ସାରା ରାଜ୍ୟରୁ 71,000ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 30ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି, ଯେଉଁମାନେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ଯିବା ଲାଗି ମନୋନୀତ ହୋଇଛନ୍ତି । ସେହି କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି । ଏହାସହିତ ବିଶିଷ୍ଟ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜନ୍ମମାଟିରେ ପ୍ଲାନେଟୋରିୟମ, ସାଇନ୍ସ ପାର୍କ ଆଦି ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ।

ଅଂଶଗ୍ରହଣ କରିଥିଲେ 71ହଜାର ଛାତ୍ରଛାତ୍ରୀ:-

ଇସ୍ରୋ ଯିବେ ଓଡ଼ିଶାର ୩୦ ଛାତ୍ରଛାତ୍ରୀ (ETV Bharat Odisha)

ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ୭୧ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ୩୦ ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଛନ୍ତି । ଶ୍ରେଷ୍ଠ ୩୦ ବିଜେତା ସେମାନଙ୍କ ଶିକ୍ଷକମାନଙ୍କ ସହିତ 2025ରେ ଏକ ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ସୁବିଧା ପରିଦର୍ଶନ କରିବାର ଅନନ୍ୟ ସୁଯୋଗ ପାଇବେ । ଯେଉଁଠାରେ ସେମାନେ ଅଗ୍ରଣୀ ମହାକାଶ ବୈଜ୍ଞାନିକମାନଙ୍କ ସହ ଯୋଗାଯୋଗ କରିବେ ଏବଂ ମହାକାଶ ଅନୁସନ୍ଧାନରେ ମୂଲ୍ୟବାନ ଜ୍ଞାନ ଆହରଣ କରିବେ । ବର୍ତ୍ତମାନ ଯାଏଁ ଏହି କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରୁ ୨୦୦ ଜଣ ଛାତ୍ରଛାତ୍ରୀ ଇସ୍ରୋ ବୁଲି ସାରିଲେଣି ।

ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ:-

ଇସ୍ରୋ ଯିବାକୁ ଥିବା ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ (ETV Bharat Odisha)

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଇସ୍ରୋକୁ ବୁଲିବାକୁ ସୁଯୋଗ ପାଇଥିବା ୩୦ ଜଣ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କୃତି ପ୍ରତିଯୋଗୀଙ୍କ ପ୍ରତିଭାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଯୁବପିଢିଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ପ୍ରତି ଉତ୍ସୁକତା ସୃଷ୍ଟି କରିବା ଓ ନବସୃଜନକୁ ସୁଦୃଢ଼ କରିବା ଲାଗି ଟାଟା ଷ୍ଟିଲ୍‌ର ପ୍ରତିବଦ୍ଧତା ସ୍ବାଗତଯୋଗ୍ୟ ।"

ଏହା ବି ପଢନ୍ତୁ
  1. ଐତିହାସିକ ମିଶନ ଲଞ୍ଚ୍‌ କଲା ISRO; ସୂର୍ଯ୍ୟଙ୍କ ରହସ୍ୟ ଖୋଜିବ Proba-3
  2. ଚୋର ଆସିଲେ ବାଜିବ ବଜର୍‌ ଉଠିଯିବ ଫଟୋ, ଏମିତି ସ୍ମାର୍ଟଲକ୍‌ ତିଆରି କଲେ ଇଞ୍ଜିନିୟର

'ଯୁବ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ'

ଏହି ଅବସରରେ ଟାଟା ଷ୍ଟିଲ କଳିଙ୍ଗ ନଗରର ଉପସଭାପତି ରାଜୀବ କୁମାର କହିଛନ୍ତି, "ଟାଟା ଷ୍ଟିଲ୍ ୟାଟ୍‌ସର ୧୮ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ହୋଇଥିବା ବେଳେ ଯୁବପିଢ଼ିଙ୍କ ମଧ୍ୟରେ ଅସୀମ ସମ୍ଭାବନା ଓ ବିଜ୍ଞାନ ପ୍ରତି ସେମାନଙ୍କ ଉଚ୍ଚ ଅଭିଳାଷକୁ ପ୍ରୋତ୍ସାହନ କରୁଛି । ଟାଟା ଷ୍ଟିଲ୍ ୟାଟ୍‌ସ ପାଖାପାଖି ଦୁଇ ଦଶନ୍ଧି ଧରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ସେମାନଙ୍କ ଉତ୍ସାହ ବୃଦ୍ଧି କରିବା ସହ ଜ୍ୟୋତିର୍ବିଜ୍ଞାନରେ ଅନ୍ବେଷଣ ଏବଂ ବିଜ୍ଞାନରେ କ୍ୟାରିଅର ଗଢିବା ଲାଗି ଅନୁପ୍ରାଣିତ କରୁଛି । ଓଡ଼ିଶା ସରକାରଙ୍କ ସହଯୋଗିତାରେ ଆମେ ହଜାର ହଜାର ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିପାରିଛୁ ଏବଂ ପ୍ରତିଭାର ଚିହ୍ନଟ କରିପାରିଛୁ । ଏକ ଆକର୍ଷଣୀୟ ଯାତ୍ରାର ଏହାର ଆରମ୍ଭ ମାତ୍ର । ତେଣୁ ଏହି ଯାତ୍ରା ଦ୍ବାରା ସ୍ବପ୍ନକୁ ପୂରଣ କରିବା ସହ ଏଭଳି ଏକ ଭବିଷ୍ୟତ ଗଠନ କରିବା, ଯେଉଁଠାରେ ନବସୃଜନ ଓ ଉତ୍କର୍ଷ ସଫଳ ହେବ ।"

'ପଠାଣି ସାମନ୍ତଙ୍କ ଗାଁରେ ନିର୍ମାଣ ହେବ ପ୍ଲାନେଟୋରିୟମ'

ଯୁବ ଜ୍ୟୋତିର୍ବିଜ୍ଞାନି ପ୍ରତିଭା ଅନ୍ବେଷଣ ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ (ETV Bharat Odisha)

ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପଠାଣି ସାମନ୍ତଙ୍କ ଗାଁ ଖଣ୍ଡପଡାରେ ପ୍ଲାନେଟୋରିୟମ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ବିଜ୍ଞାନ ଓ କାରିଗରୀ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଧ୍ୟ ପଠାଣି ସାମନ୍ତଙ୍କ ଗାଁରେ ଏକ ପ୍ଲାନେଟରିୟମ ନିର୍ମାଣ କଥାକୁ ଦୋହରାଇଛନ୍ତି । ସେ କହିଛନ୍ତି, "ପ୍ଲାନେଟୋରିୟମ ସହ ପଠାଣି ସାମନ୍ତଙ୍କ ଜନ୍ମ ସ୍ଥାନରେ ୬କୋଟି ଟଙ୍କାରେ ନିର୍ମିତ ହେବ ସାଇନ୍ସ ପାର୍କ । ଆଷ୍ଟ୍ରୋଫିଜିକ୍ସ ଓ ଅଷ୍ଟ୍ରୋନୋମି ସେଣ୍ଟର ମଧ୍ୟ ହେବ । ରାଜ୍ୟରେ ମ୍ୟାଥମେଟିକ ବା ଗଣିତ ବିଶ୍ଵବିଦ୍ୟାଳୟ ନିର୍ମାଣ ହେବ ।"

କୃତଜ୍ଞତା ଜଣାଇଲେ ସ୍ଥାନୀୟ ବିଧାୟକ

ନୟାଗଡ଼ ଜିଲ୍ଲା ଘଞ୍ଚ ଜଙ୍ଗଲ ପାହାଡ଼ ପର୍ବତ ଘେରି ରହିଥିବା ଖଣ୍ଡପଡ଼ାରେ ଜନ୍ମ ନେଇଥିବା ବିଶିଷ୍ଟ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଗାଁରେ ବଡ଼ ବଡ଼ ପ୍ରକଳ୍ପ ନେଇ ସରକାର ଘୋଷଣା କରିବା ପରେ ଏ ନେଇ କୃତଜ୍ଞତା ଜ୍ଞାପନ କରିଛନ୍ତି ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ । ସେ କହିଛନ୍ତି, "ପୂର୍ବ ସରକାରରେ ଏଭଳି ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମସ୍ଥାନକୁ ଅବହେଳା କରାଯାଇଥିଲା । କିନ୍ତୁ ଆମ ସରକାର ଆସିବା ପରେ ଏହା ଉପରେ ଧ୍ୟାନ ଦିଆଯାଇଛି । ଆଉ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ମାଟିର ଲୋକଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details