ଭଦ୍ରକ:ମେଡିକାଲପ୍ରବେଶିକା ପରୀକ୍ଷା ନିଟରେ ଜାଲିଆତି ଘଟଣା । ୩ ନକଲି ପରୀକ୍ଷାର୍ଥୀଙ୍କୁ ବାନ୍ଧିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ଦେଉଥିଲେ ପରୀକ୍ଷା । ଗିରଫ ୩ ଅଭିଯୁକ୍ତ ହେଲେ ଅଙ୍କିତ ରାଜ, ରାଜେଶ ମଧୁକର ଏବଂ ପ୍ରେମଶଙ୍କର ପାଣ୍ଡେ । ସମସ୍ତେ ବିହାର ଅଞ୍ଚଳର ହୋଇଥିବା ବେଳେ ଆଉ ୩ଜଣ ଫେରାର ଥିବା ଜଣାପଡିଛି ।
ସୂଚନା ଅନୁସାରେ, ଚଳିତ ମେ ମାସ ୫ ତାରିଖରେ ନିଟ ପରୀକ୍ଷା ହୋଇଥିଲା । ଏହି ସମୟରେ ଭଦ୍ରକ ସହରର ଏକ ଘରୋଇ ସ୍କୁଲରେ ନିଟ ପରୀକ୍ଷା ହେଉଥିବା ବେଳେ ନକଲି ପରୀକ୍ଷାର୍ଥୀଙ୍କ ଉପରେ ସନ୍ଦେହ ହେବାରୁ ସେଣ୍ଟର ତରଫରୁ ଆଡ଼ମିନିଷ୍ଟ୍ରେଟିଭ ଅଫିସରଙ୍କୁ ଅବଗତ କରାଯାଇଥିଲା । ତେବେ ଆଡ଼ମିଟ କାର୍ଡରେ ନକଲି ପରୀକ୍ଷାର୍ଥୀଙ୍କ ଫଟୋ ଥିଲା । ଆଧାର କାର୍ଡ ଯାଞ୍ଚ ବେଳେ ଫିଙ୍ଗର ପ୍ରିଣ୍ଟ ମ୍ୟାଚ କରିନଥିଲା । ପରେ ପୋଲିସ ତଦନ୍ତ କରିବା ବେଳେ ଜଣାପଡିଥିଲା ଯେ ଜଣେ ପରୀକ୍ଷାର୍ଥୀ ବଦଳରେ ଅନ୍ୟ ଜଣେ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।
ସୂଚନା ଥାଉ କି, ମୟୂରଭଞ୍ଜ ଅଞ୍ଚଳ ଶାଶ୍ୱତ ତ୍ରିପାଠୀ ଏହି ନିଟ ପରୀକ୍ଷା ଦେଇଥାନ୍ତେ । କିନ୍ତୁ ତାଙ୍କ ବଦଳରେ ଆଉ ଜଣେ ପରୀକ୍ଷା ଦେଉଥିଲେ । ଏହି ଅନ୍ୟ ପରୀକ୍ଷାର୍ଥୀ ପାଇଁ ପ୍ରଥମେ ଆଦିତ୍ୟ କୁମାରଙ୍କ ସହ ଯୋଗାଯୋଗ କରିଥିଲେ । ପରେ ରାଜେଶ କୁମାର ମଧୁକର ମାଧ୍ୟମରେ ନକଲି ପରୀକ୍ଷାର୍ଥୀ ଭାବେ କଲିକତା ମେଡିକାଲ କଲେଜର ତୃତୀୟ ବର୍ଷ ଛାତ୍ର ଅଙ୍କିତ ରାଜକୁ ଯୋଗାଯୋଗ କରିଥିଲେ । ଗରିବ ଶ୍ରେଣୀର ଛାତ୍ର ହୋଇଥିବାରୁ ମାତ୍ର ୧୦ ଲକ୍ଷ ଟଙ୍କାରେ ଏହି ପରୀକ୍ଷା ପାଇଁ ଡିଲ ହୋଇଥିଲା ।