ଓଡିଶା

odisha

ETV Bharat / state

ଆଗକୁ ସାଧାରଣ ନିର୍ବାଚନ, ଅଚଳ ସିସିଟିଭି ଭରସାରେ କେନ୍ଦ୍ରାପଡ଼ାବାସୀ - CCTV Not Working in Kendrapara - CCTV NOT WORKING IN KENDRAPARA

CCTV Not Working In Kendrapara: କେନ୍ଦ୍ରାପଡ଼ାକୁ ଜଗିଛି ଅଚଳ ସିସିଟିଭି । ସହରରେ ବଢ଼ୁଛି ଅପରାଧିକ କାର୍ଯ୍ୟକଳାପ, ଯାହାର ତିଳେ ହେଁ ସୂଚନା ପାଉନି ପୋଲିସ । ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ପୋଲିସ ପାଇଁ ଅଚଳ ସିସିଟିଭି ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଦେଖନ୍ତୁ ଏହି ରିପୋର୍ଟ

CCTV NOT WORKING IN KENDRAPARA
CCTV NOT WORKING IN KENDRAPARA

By ETV Bharat Odisha Team

Published : Mar 21, 2024, 3:22 PM IST

CCTV NOT WORKING IN KENDRAPARA

କେନ୍ଦ୍ରାପଡା:କଥାରେ ଅଛି...'ସରକାର କା ମାଲ ଦରିଆ ମେ ଡାଲ' । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ସହରରେ । ନିର୍ବାଚନକୁ ନେଇ ପାଣିପାଗ ସରଗରମ ଥିବା ବେଳେ ସହରକୁ ଜଗିଛି ଅଚଳ ସିସିଟିଭି । ଫଳରେ ନା ଅପରାଧିକ କାର୍ଯ୍ୟକଳାପ ରେକର୍ଡ ହେଉଛି ନା ପୋଲିସ ପାଖରେ ଏହାର କୌଣସି ସୂଚନା ପହଞ୍ଚୁଛି । କେନ୍ଦ୍ରାପଡ଼ା ସହରକୁ ସୁରକ୍ଷା ଓ ଅପରାଧିକ ଗତିବିଧି ଉପରେ ନଜର ରଖିବା ଲାଗି ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଥିଲେ ମଧ୍ୟ ଏହା ଅକାମି । ଆଗକୁ ନିର୍ବାଚନ ଆସୁଥିବା ବେଳେ ପୋଲିସ ପାଇଁ ଅଚଳ ସିସିଟିଭି ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ସହରରେ ସମୁଦାୟ ୩୮ଟି ସିସିଟିଭି ଲଗାଯାଇଥିବା ବେଳେ ତନ୍ମଧ୍ୟରୁ ୩୪ଟି ସିସିଟିଭି ଏବେ ଅଚଳ ହୋଇ ପଡ଼ିରହିଛି । କେନ୍ଦ୍ରାପଡା ସହରାଞ୍ଚଳ ଫାଣ୍ଡି-୨ରେ ଲାଗିଥିବା ସିସିଟିଭି ହଲରେ ମାତ୍ର ୪ଟି ସିସିଟିଭି ଚାଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସହରରେ ଅପରାଧ ଆଉ ଅପରାଧୀଙ୍କ ଉପରେ ତୀକ୍ଷ୍ମ ନଜର ରଖିବାକୁ ଗତ ୨୦୧୯ ମସିହାରେ କେନ୍ଦ୍ରାପଡା ବିଧାୟକ ଓ ଗୃହ ବିଭାଗ ପକ୍ଷରୁ ୧୨ ଲକ୍ଷ ଟଙ୍କା ବ୍ୟୟ ବରାଦରେ ସହରର ତିନିମୁହାଣୀ ଠାରୁ ଆରମ୍ଭ କରି ସାନ ମଙ୍ଗଳା ପର୍ଯ୍ୟନ୍ତ ମୋଟ ୩୮ଟି ସିସିଟିଭି ଲଗାଯାଇଥିଲା । ଏହି ସିସିଟିଭି ଲାଗିବାର କିଛିଦିନ ପରେ ଏହା ଗୋଟିଏ ପରେ ଗୋଟିଏ ଅଚଳ ହେବା ପରେ ଏବେ ଅଚଳ ସଂଖ୍ୟା ୩୪ରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ-ଜଗା ଭରସାରେ ପୁରୀ ସହର: କାମ କରୁନି ସିସିଟିଭି, ଠିକ୍‌ରେ ଚାଲୁନି ପିସିଆର ଭ୍ୟାନ

ସେଥିମଧ୍ୟରୁ ମାତ୍ର ୪ଟି ସିସିଟିଭି ସହରର ଘଟଣା ଦୁର୍ଘଟଣାକୁ ଜଗିବା ସାର ହୋଇଛି । ୩୪ଟି ଅଚଳ ସିସିଟିଭି କେବଳ ବିଭିନ୍ନ ସ୍ଥାନରେ ଝୁଲି ରହିଛି । ସହରର ପୁରୁଣା ବସଷ୍ଟାଣ୍ଡ, ମେଡିକାଲ ରୋଡ, କୋର୍ଟ, ନୂଆ ବସଷ୍ଟାଣ୍ଡ ଭଳି କିଛିଟା ସ୍ଥାନରେ ସିସିଟିଭି ସଚଳ ଥିବା ବେଳେ ଅନ୍ୟାନ୍ୟ ସବୁ ସ୍ଥାନରେ ଅଚଳ ହୋଇଯାଇଛି । ତେବେ ସିସିଟିଭି ଲଗାଯିବାର କିଛିଦିନ ପରେ ଏଗୁଡିକ ଖରାପ ହୋଇଯାଇଥିଲା । ମରାମତି ହେବାର କିଛି ଦିନ ପରେ ମଧ୍ୟ ପୁଣି କିଛିଦିନ ଭିତରେ ଖରାପ ହେବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଅଚଳ ସିସିଟିଭି କାରଣରୁ ସହରରେ ଚୋରି, ଛିନତାଇ, ଡକାୟତି, ହତ୍ୟା ଉଦ୍ୟମ ଭଳି ଅପରାଧ ବଢ଼ିବାରେ ଲାଗିଛି । ଏହିସବୁ ଅପରାଧ ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ନାକେଦମ ହେଉଛି । ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସିସିଟିଭି କ୍ୟାମେରା ଅଚଳ ହେବା ଆଇନ କାନୁନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହେଲେ ଏହାରି ମଧ୍ୟରୁ କେତୋଟି ବର୍ତ୍ତମାନ କାର୍ଯ୍ୟକ୍ଷମ ଆଉ କେତୋଟି କାମ କରୁନି ସେ ତଥ୍ୟ ମଧ୍ୟ ପୋଲିସ ବିଭାଗ ପାଖରେ ରହୁନି । ଏଥିଯୋଗୁଁ ଦୀର୍ଘଦିନ ଧରି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ସହର ମଧ୍ୟରେ ବାରମ୍ବାର ଲୁଟ୍ ଓ ଆକ୍ରମଣ ଘଟଣା ଘଟୁଥିବା ପୂର୍ବରୁ ନଜିର ରହିଛି । କେତେବେଳେ ଲୁଟେରାମାନେ ମହିଳା, କଲେଜ ଛାତ୍ରୀଙ୍କଠାରୁ ଲୁଟ କରୁଛନ୍ତି ତ ଅନ୍ୟ କେତେବେଳେ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟି ନେଉଛନ୍ତି । ପ୍ରମାଣ ପାଇଁ ଲଗା ଯାଇଥିବା ସିସିଟିଭିଗୁଡିକ ସମ୍ପୂର୍ଣ୍ଣ ଅଚଳ ଯୋଗୁଁ ଅପରାଧୀ ମାନେ କୋର୍ଟରୁ ସହଜରେ ଖସି ଯାଉଛନ୍ତି ।

ଏମିତିକି ସହରରେ ଜନ ସମାଗମ ହେବା ସମୟରେ କିଛି ଅଘଟଣ ଘଟିଲେ ତାହାର ଦୃଶ୍ୟ କିଭଳି ଉତ୍ତୋଳନ କରାଯିବ ତାହାକୁ ନେଇ ପୋଲିସର ନିଘା ନଥିବା ମତପ୍ରକାଶ ପାଇଛି । ତୁରନ୍ତ ଅଚଳ ସିସିଟିଭିଗୁଡ଼ିକୁ ମରାମତି କରାଯିବାକୁ ସାଧାରଣରେ ଦାବି ହୋଇଛି । ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ସହର ମଧ୍ୟରେ ବୁଲି ସିସିଟିଭିଗୁଡିକର କାର୍ଯ୍ୟକାରିତା ଯାଞ୍ଚ କରିବା ସହ ଏଗୁଡିକ କିପରି ପୁନଃ କାର୍ଯ୍ୟକ୍ଷମ କରାଯିବ ସେନେଇ ଦୃଷ୍ଟି ଦେବେ ବୋଲି କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details