ଭୁବନେଶ୍ବର: ଓଡ଼ିଶା ୱମେନ୍ସ ଇନ ମିଡ଼ିଆର ପ୍ରଥମ ବାର୍ଷିକ ଉତ୍ସବ ପାଳନ । ମହିଳା କମିଶନ ଅଧ୍ୟକ୍ଷ୍ୟା ଦେଲେ ନାରୀ ଶକ୍ତର ବାର୍ତ୍ତା । ସାମ୍ବାଦିକତା ଜଗତରେ ମହିଳା ସାମ୍ବାଦିକଙ୍କ ସହଭାଗିତାକୁ ନେଇ ଏହି ସଂଗଠନ ଆରମ୍ଭ କରାଯାଇଛି । ତେବେ ଓଡ଼ିଶା ୱମେନ୍ସ ଇନ ମିଡ଼ିଆ ସଂଗଠନକୁ ଏକ ବର୍ଷ ପୁରିଥିବା ବେଳେ ଆଜି (ସୋମବାର) ଦିନ ରାଜଧାନୀରେ ମହିଳା ସାମ୍ବାଦିକମାନେ ଏହାର ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି ।ଏହାସହ ଆନ୍ତର୍ଜାତିକ ମହିଳା ଦିବସ ମାର୍ଚ୍ଚ ୮ରେ ହୋଇଥିବା ବେଳେ ଏହାର କିଛି ଦିନ ପୂର୍ବରୁ ମହିଳା ଦିବସ ବି ପାଳନ କରିଛି ଓଡବ୍ଲୁଏମ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମହିଳା କମିଶନର ଅଧ୍ୟକ୍ଷ୍ୟା ମିନତୀ ବେହେରା ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅୟୋଜିତ କାର୍ଯ୍ୟକ୍ରମରେ ସମାଜରେ ମହିଳା ସାମ୍ବାଦିକଙ୍କର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ମହିଳା କମିଶନ ଅଧକ୍ଷ୍ୟା ମିନତୀ ବେହେରା କହିଛନ୍ତି, "ପ୍ରତି କ୍ଷେତ୍ରରେ ମହିଳାମାନେ ନିଜର ଦକ୍ଷତା ପ୍ରତିପାଦନ କରିବାର ଆବଶ୍ୟକତା ରହିଛି । ଜଣେ ମହିଳା ଆଗକୁ ବଢିଲେ ପରିବାର ରାଜ୍ୟ ବା ଦେଶ ଆଗକୁ ବଢେ, ଆଉ ବିକାଶ କରେ । ତେଣୁ ସହଭାଗିତାରେ ସେ ଭାଗିଦାରୀତା ହୁଅନ୍ତୁ ।ଏହା ହିଁ ଏହି ସଂଗଠନର ଲକ୍ଷ୍ୟ । ତେବେ ସମାଜରେ ମହିଳାଙ୍କ ସମ୍ମାନ ବର୍ତ୍ତମାନ ବି ଉଣା ହେଉଥିବା ବେଳେ ମହିଳା ସାମ୍ବାଦିକଙ୍କର ଏହାର ମାନ ବର୍ଦ୍ଧକ ଦିଗରେ ଗୁରୁତ୍ୱପୂର୍ଣ ଭୂମିକା ରହିଛି ।"
ସେହିପରି ମହିଳା ସାମ୍ବାଦିକ ଚାହିଁଲେ ସମାଜର ମା’, ଭଉଣୀ ଓ ମହିଳାଙ୍କୁ ଏକ ନୂଆ ଦିଶାରେ ନେଇ ପାରିବେ ବୋଲି କହିଛନ୍ତି କମିଶନର ଅଧ୍ୟକ୍ଷ୍ୟା । ଏହାସହ ଯେତେବେଳେ ବି ଏହି ସଙ୍ଗଠନକୁ ସାହାଯ୍ୟ ସହଯୋଗ ଆବଶ୍ୟକ ପଡ଼ିବ ସେ ନିଶ୍ଚୟ ସେମାନଙ୍କ ପାଇଁ କାର୍ଯ୍ୟ କରିବେ ପ୍ରତିଶ୍ରୁତି ଦେଇଛନ୍ତି । ଶେଷରେ କହିଛନ୍ତି ସଶକ୍ତ ସମାଜ ସଶକ୍ତ ନାରୀ ଅର୍ଥାତ ଜଣେ ମହିଳା ସଶକ୍ତ ହେଲେ ସମାଜ ସଶକ୍ତ ହେବ ।