ଓଡିଶା

odisha

ETV Bharat / state

ପ୍ରବାସୀ ଭାରତୀୟ ଦିବସ,ଅତିଥିଙ୍କ ପାଇଁ ୩୭୦୦ଟି ରୁମ ବୁକିଂ - PRAVASI BHARATIYA DIVAS

ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ସମୀକ୍ଷା ବୈଠକ । କାର୍ଯ୍ୟକୁ ସଠିକ୍ ଭାବେ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।

Pravasi Bharatiya Divas
Pravasi Bharatiya Divas (ETV Bharat Odisha)

By ETV Bharat Odisha Team

Published : Dec 4, 2024, 8:31 AM IST

ଭୁବନେଶ୍ବର:ଜାନୁଆରୀ ୮ରୁ ୧୦ ତାରିଖ ଯାଏଁ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ । ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରଦାର ହୋଇଛି । ଏଥିରେ ଯୋଗଦେବା ପାଇଁ ଆସିବାକୁ ଥିବା ଅତିଥିଙ୍କ ଲାଗି ରୁମ ବୁକିଂ ହୋଇଛି । ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ୩୭୦୦ଟି ରୁମ ବୁକିଂ ହୋଇଛି । ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମୀକ୍ଷାରୁ ସୂଚନା ମିଳିଛି ।

୧୪ ଉପ କମିଟି ଗଠନ:

Pravasi Bharatiya Divas (ETV Bharat Odisha)

ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ସମୀକ୍ଷା ବୈଠକ । ବୈଠକରେ ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଛି । ଯେଉଁ ଯେଉଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି, ତାହାର ଚେକ ଲିଷ୍ଟ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ତଦନୁସାରେ ପ୍ରସ୍ତୁତି ସଠିକ ଭାବେ କରିବା, ତଦାରଖ ଓ କାର୍ଯ୍ୟନିର୍ବାହ କରିବାକୁ ସେ ସଂପୃକ୍ତ କମିଟିରେ ଥିବା ବିଭାଗୀୟ ସଚିବ ତଥା ବରିଷ୍ଠ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆୟୋଜନ କରାଯିବା ପାଇଁ ୧୪ ଉପ କମିଟି ଗଠନ କରାଯାଇଛି । ବିଭିନ୍ନ କମିଟି ଦ୍ୱାରା କାର୍ଯ୍ୟ ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧିକାରୀଙ୍କ ସହିତ ସବିଶେଷ ଆଲୋଚନା କରିଛନ୍ତି ।

୩୭୦୦ଟି ପ୍ରକୋଷ୍ଠ ବୁକିଂ:

ଜନତା ମଇଦାନରେ ଭିଭିଆଇପି(VVIP), ଅତିଥି, ପ୍ରବାସୀ ଭାରତୀୟ, ଦର୍ଶକଙ୍କ ବସିବା ବ୍ୟବସ୍ଥା, ଯାନବାହାନ ପାର୍କିଂ ସ୍ଥଳ, ଉତ୍ସବ ସ୍ଥଳରେ ଖାଦ୍ୟ ବ୍ୟବସ୍ଥା କରିଛି ଶିଳ୍ପ ବିଭାଗ । ଏହା ସହ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ନକ୍ସା ଉପସ୍ଥାପନ କରିଛନ୍ତି । ଅତିଥି, ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀଙ୍କ ଏହି ସମ୍ମିଳନୀରେ ଯୋଗଦାନ କରିବାକୁ ଥିବା ପରିପ୍ରେକ୍ଷୀରେ ବିଭିନ୍ନ ହୋଟେଲରେ ରହଣି ପାଇଁ ପର୍ଯ୍ୟଟନ ବିଭାଗ ତରଫରୁ ୩୭୦୦ଟି ପ୍ରକୋଷ୍ଠ ବୁକିଂ କରାଯାଇଛି । ପ୍ରବାସୀ ଭାରତୀୟ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବେ । ଭୁବନେଶ୍ୱର, କଟକ ଓ ପୁରୀରେ ଥିବା ୨୮ଟି ଦର୍ଶନୀୟ ସ୍ଥାନର ସୌନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟଟନ ବିଭାଗ ପଦକ୍ଷେପ ନେଉଛି । ଏଥିପାଇଁ ଟୁର ଅପରେଟରଙ୍କ ସହାୟତା ନେବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି ।

ବୃଦ୍ଧି ହେବ ଫ୍ଲାଇଟ ସଂଖ୍ୟା:

କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ବ୍ୟାପକ ବ୍ୟବସ୍ଥା କରିବ ସୂଚନା ଓ ଲୋକସଂପର୍କ ବିଭାଗ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ କାର୍ଯ୍ୟକ୍ରମ ସ୍ଥଳରେ ଉଦ୍ଦିଷ୍ଟ ସ୍ଥାନରେ ପ୍ରଦର୍ଶନୀ ଆୟୋଜନ ପାଇଁ ବ୍ୟାପକ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଛି । ସହରରେ ଚିହ୍ନଟ ହୋଇଥିବା ବିଭିନ୍ନ ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି । ରାସ୍ତାର ପ୍ରାଚୀରରେ ଚିତ୍ରକଳା ପେଣ୍ଟି ସହ ବିଭିନ୍ନ ସ୍ଥାନରେ କଳାକୃତି ରଖାଯିବ । ଫ୍ଲାଇଟ ସଂଖ୍ୟା ବୃଦ୍ଧି କରିବାକୁ ଏୟାରଲାଇନ୍ସ ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକଙ୍କୁ ଅନୁରୋଧ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରବାସୀ ଭାରତୀୟ ଦିବସ ପାଇଁ ୱେବସାଇଟ ଉନ୍ମୋଚିତ

ଏହା ମଧ୍ୟ ପଢ଼ନ୍ତୁ...ଜନ୍ମମାଟିକୁ ପ୍ରଥମ ଥର ଆସୁଛନ୍ତି ରାଷ୍ଟ୍ରପତି, ଅପେକ୍ଷାରେ ଉପରବେଡା


କାର୍ଯ୍ୟକ୍ରମ ସ୍ଥଳରେ ଇଣ୍ଟରନେଟ ସୁବିଧା:

ନଗର ଉନ୍ନୟନ ବିଭାଗ, ବିଡିଏ, ବିଏମସି, ପର୍ଯ୍ୟଟନ ବିଭାଗ, ସଂସ୍କୃତି ବିଭାଗ ସହଯୋଗରେ ଭୁବନେଶ୍ୱର ସହର ଯେପରି ଏକ ଆକର୍ଷଣୀୟ ରୂପରେ ଶୋଭା ପାଇବ ସେ ନେଇ ପ୍ରସ୍ତୁତି କରାଯିବ । ପୂର୍ତ୍ତ ବିଭାଗ ତରଫରୁ ରାଜ୍ୟ ସଂଗ୍ରହାଳୟ, ରବିନ୍ଦ୍ର ମଣ୍ଡପ, ଭଞ୍ଜ କଳା ମଣ୍ଡପ, ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର, ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି । କାର୍ଯ୍ୟକ୍ରମ ସ୍ଥଳରେ ଇଣ୍ଟରନେଟ ସୁବିଧା ରହିବ । ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସହଯୋଗରେ ଏହି ବ୍ୟବସ୍ଥା କରାଯିବ । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବିଭିନ୍ନ କମିଟିରେ ଥିବା ସଂପୃକ୍ତ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧିକାରୀ ବୈଠକରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details