ହାଇଦ୍ରାବାଦ: ବିଶ୍ବର ଅନ୍ୟତମ ପ୍ରମୁଖ ଯୋଗାଯୋଗ ପ୍ଲାଟଫର୍ମ ଟ୍ରୁକଲର (Truecaller) ଆଇଫୋନ ଲାଗି ଏକ ବଡ଼ ଗୁରୁତ୍ବପୂର୍ଣ୍ଣ ଅପଡେଟର ଘୋଷଣା କରିଛି । ଏହି ଅପଡେଟ୍ ଆଇଫୋନ ୟୁଜରଙ୍କ ଲାଗି ବେଶ ଜରୁରୀ ଥିଲା । ଏହି ନୂଆ ଫିଚର ଦ୍ବାରା ଆଇଫୋନ ୟୁଜର ସ୍ପାମ୍ କଲ୍ ବ୍ଲକିଂ ସହ କଲର ଆଇଡିଣ୍ଟିଫିକେସନ ଫିଚର ପାଇବେ । ଆଣ୍ଡ୍ରଏଡରେ ଯେପରି କଲ୍ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜାଣିହେଉଥିଲା ଠିକ ସେହିପରି ସୁବିଧା ପାଇବେ ଆଇଫୋନ ଯୁଜର ।
ଏହି ଫିଚର ଆପଲ୍ର ଲାଇଭ କଲର ଆଇଡି ଲୁକଅପ୍ ଫ୍ରେମୱାର୍କ ଦ୍ବାରା ସମ୍ଭବ ହୋଇପାରିଛି, ଯାହାକି ବିଶେଷ ଭାବେ Truecaller ଭଳି ଆପ୍ ମାଧ୍ୟମରେ ଗୋପନୀୟତା ସଂରକ୍ଷଣ ରଖି ଲାଇଭ କଲର ଆଇଡି ପ୍ରଦାନ କରିବା ଲାଗି ବିକଶିତ କରାଯାଇଥିଲା । ଏହା ଅତ୍ୟାଧୁନିକ ହୋମୋମର୍ଫିକ୍ ଏନକ୍ରିପସନର ଉପଯୋଗ କରିଥାଏ ।
ଏମିତି ଉପକୃତ ହେବେ ଆଇଫୋନ ୟୁଜର
- ଅବାଞ୍ଛିତ ଫୋନକଲ୍ ଓ ଠକେଇ ସମ୍ବନ୍ଧୀୟ ଫୋନ କଲ ଆଦି ଚିହ୍ନିବା ଦିଗରେ ଗତ 15 ବର୍ଷ ଧରି ଟ୍ରୁକଲର ୟୁଜରଙ୍କୁ ସୁବିଧା ଯୋଗାଇ ଆସୁଛି । କିନ୍ତୁ ଏବେ ଯେଉଁ ନୂଆ ଅପଡେଟ୍ ଆସିଛି ତାହା ଟ୍ରୁକଲରର ଏଆଇ ଦକ୍ଷତାକୁ ବୃଦ୍ଧି କରିଛି । ଏହାର ଅର୍ଥ iOSରେ ସେତେବେଳେ ପର୍ଯ୍ୟନ୍ତ କଲ୍କୁ ଚିହ୍ନଟ କରାଯାଇପାରିବ ନାହିଁ, ଯେତେବେଳ ଯାଏଁ ଟ୍ରୁକଲର ନିକଟରେ ଏହା ସମ୍ପର୍କରେ କୌଣସି ତଥ୍ୟ ନାହିଁ ।
- ତେବେ ଅନେକ ସମୟ ଧରି ଟ୍ରୁକଲର iOS ୟୁଜର ସ୍ପାମ୍ କଲ୍ ଅଟୋମେଟିକ୍ ବ୍ଲକିଂ ଲାଗି ଅନେକ ଦିନରୁ ଦାବି କରି ଆସୁଥିଲେ । ଯାହାକି ଏବେ ପୂରଣ ହୋଇଛି । ଏହାସହ ଆଇଫୋନ ୟୁଜର ଏବେ ପ୍ରିମିୟମ ଫାମିଲି ପ୍ଲାନକୁ ସବସ୍କ୍ରାଇବ କରିବାର କ୍ଷମତା ପାଇବେ । ଏହି ପ୍ଲାନ ସହ ୟୁଜର ଆପଣ ଟ୍ରୁକଲରର ପ୍ରିମିୟମ ସୁବିଧାକୁ ଅନ୍ୟ 4ଜଣଙ୍କ ସହ ସେୟାର କରିପାରିବେ । କେବଳ ମାସିକିଆ ଓ ବର୍ଷିକିଆ ରିଚାର୍ଜ କଲେ ସମ୍ଭବ ହୋଇପାରିବ ।
iOSରେ Truecallerକୁ କିପରି ସକ୍ଷମ କରିବେ ?
- ଆଇଫୋନ ଭର୍ସନ 14.0 ବା ଏହା ପରବର୍ତ୍ତୀ ଭର୍ସନରେ ଆପଣ ଟ୍ରୁକଲର ବ୍ୟବହାର କରୁଥିବା ନିଶ୍ଚିତ କରନ୍ତୁ ।
- ଏହାପରେ ନିଜ ଆଇଫୋନରେ Settings ଖୋଲନ୍ତୁ> Apps > Phone > Call Blocking & Identification।
- ଏଠାରେ ଟ୍ରୁକଲର ସମସ୍ତ ବଟନ୍କୁ ଅନ୍ କରନ୍ତୁ ଓ ଆଉ ଥରେ ଟ୍ରୁକଲର ଆପ୍ ଖୋଲନ୍ତୁ ।
ଟ୍ରୁକଲରର ସିଇଓ ରିଶିତ ଝୁନଝୁନୱାଲା କହିଛନ୍ତି, "ଆଇଫୋନରେ ଟ୍ରୁକଲରର ସମସ୍ତ ସୁବିଧାକୁ ସକ୍ଷମ କରି ଆମେ ଉତ୍ସାହିତ । ଆଇଫୋନ ୟୁଜର ଟ୍ରୁକଲରର ଆଣ୍ଡ୍ରଏଡ୍ ଅନୁଭବ ପାଇବା ଲାଗି ଇଚ୍ଛା ପ୍ରକାଶ କରିଥିଲେ । ଏହି ଅପଡେଟ ସମସ୍ତ କଲିଂ ଗତିବିଧିର ଗୋପନୀୟତା ସୁରକ୍ଷିତ ରଖି ସୁବିଧା ପ୍ରଦାନ କରିବ ।"
କେଉଁ iOS ୟୁଜର ସୁବିଧା ପାଇବେ ?
ଏହି ସମସ୍ତ ନୂଆ ଫିଚର ଟ୍ରୁକଲର ପ୍ରିମିୟମ ୟୁଜର ପାଇବେ । ଆଇଓଏସର ଫ୍ରି ୟୁଜର ବିଜ୍ଞାପନ ସମ୍ବନ୍ଧୀୟ ନମ୍ବର ସର୍ଚ୍ଚ ଓ ଅଧିକୃତ ବ୍ୟବସାୟିକ ସଂସ୍ଥାର କଲର ଆଇଡିକୁ ଚିହ୍ନଟ କରିପାରିବେ । ତେବେ ସ୍ବୟଂଚାଳିତ ଭାବେ ସ୍ପାମ୍ କଲ୍ ବ୍ଲକିଂ ସାରା ବିଶ୍ବରେ ଉପଲବ୍ଧ ଥିବା ବେଳେ କଲର ଆଇଡି ଆଜିଠୁ ରୋଲ୍ଆଉଟ୍ ହେବାକୁ ଯାଉଛି । କିଛି ଦିନ ମଧ୍ୟରେ ସମସ୍ତ ୟୁଜର ଏହି ସୁବିଧା ପାଇବେ ।