ଭବାନୀପାଟଣା: ମାଓ ମୁକ୍ତ ଅଭିଯାନ ଜୋରଦାର ଚାଲିଥିବା ବେଳେ ଓଡ଼ିଶା-ଛତିଶଗଡ ସୀମାନ୍ତ ଏନକାଉଣ୍ଟରରେ ପୋଲିସକୁ ମିଳିଛି ବଡ଼ ସଫଳତା । ଏନକାଉଣ୍ଟରରେ 16 ମାଓବାଦୀ ଟଳିବା ପରେ କଳାହାଣ୍ଡି ଗସ୍ତ କରି ମାଓ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି ଯୋଗେଶ ବାହାଦୂର ଖୁରାନିଆ ।
କଳାହାଣ୍ଡିରେ ପୋଲିସ DGଙ୍କ ସ୍ଥିତି ସମୀକ୍ଷା:
ଛତିଶଗଡ଼ ଜଙ୍ଗଲରେ ମାଓ ଏନକାଉଣ୍ଟର ପରେ ଗତକାଲି(ବୁଧବାର) କଳାହାଣ୍ଡି ଜିଲ୍ଲା ଗସ୍ତରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ । ପୋଲିସ୍ ଡିଜି ଭବାନୀପାଟଣା ରିଜର୍ଭ ପୋଲିସ୍ ପଡିଆରେ ହେଲିକପ୍ଟର ଯୋଗେ ଆସି ପହଞ୍ଚି ଥିଲେ । ଯୁଗସାଇପାଟଣା ଠାରେ ଥିବା ସିଆରପିଏଫ୍ କ୍ୟାମ୍ପ ଓ ଅଟାଙ୍ଗଗୁଡ଼ା ଠାରେ ଥିବା ସିଆରପିଏଫ୍ କ୍ୟାମ୍ପ ପରିଦର୍ଶନ କରିବା ସହିତ ଅଧିକାରଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ମାଓ ସ୍ଥିତିକୁ ନେଇ ସମୀକ୍ଷା କରିଥିଲେ ।
ମାଓ ଏନକାଉଣ୍ଟର ପରେ DGPଙ୍କ ସମୀକ୍ଷା:
ଏହି ବୈଠକରେ ଡିଜିଙ୍କ ସମେତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର, ସିଆରପିଏଫ୍ କମାଡେଣ୍ଟ ପଞ୍ଜକ ଚୌଧୁରୀ,ଜିଲ୍ଲା ଏସପି ଅଭିଳାଷ ଜି ଉପସ୍ଥିତ ଥିଲେ । ଗରିଆବନ୍ଧ ଅଞ୍ଚଳର ଏନ୍କାଉଣ୍ଟରରେ 16 ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମାଓବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଜଣାପଡିଛି ।
ଗୁଇନ୍ଦା ସୂଚନାରୁ ମିଳିଲା ସଫଳତା:
ଗୁଇନ୍ଦା ସୂଚନା ଆଧାରରେ ଗତ ୧୯ରୁ ମିଳିତ ଓଡିଶା ପୋଲିସ ଓ ଛତିଶଗଡ଼ ପୋଲିସ ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ ଯାହା ଫଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଉଭୟ ରାଜ୍ୟର ସୀମାରେ ଏସଓଜି ସମେତ ଛତିଶଗଡ଼ ସିଆରପିଏଫ୍, ଯବାନ ମାନେ ଅପରେସନ ଜାରି ରଖିଛନ୍ତି ବୋଲି ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଓଡ଼ିଶା-ଛତିଶଗଡ ସୀମାନ୍ତ ଏନକାଉଣ୍ଟର, 16ରେ ପହଞ୍ଚିଲା ମୃତ ନକ୍ସଲଙ୍କ ସଂଖ୍ୟା, ନୂଆପଡାରେ ଡିଜିପି କାଲି 14 ମାଓବାଦୀଙ୍କୁ ସଫା କରିଥିଲେ, ଆଜି ମୁଖ୍ୟମନ୍ତ୍ରୀ ଦେଲେ ଖୁସି ଖବର |
ଆଗାମୀ ଦିନ ଉପରେ ଫୋକସ:
ପୋଲିସ ମହାନିର୍ଦ୍ଦେଶକ ୟୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ‘ମୁଁ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛି କଳାହାଣ୍ଡି ଜିଲ୍ଲାରେ ଯେଉଁ ସିକ୍ୟୁରିଟି ଫୋର୍ସେସ ମୁତୟନ ହୋଇଛି, ସେମାନଙ୍କର ଆଣ୍ଟି ନକ୍ସଲ ଅପରେସନକୁ ନେଇ ସମୀକ୍ଷା କରିବାକୁ ଆସିଛୁ । ଏସପି ଅଫିସ ଆସିବା ପୂର୍ବରୁ ମୁଁ ଯବାନଙ୍କ ସହିତ କଥା ହେଇଛି । ସେମାନେ କେମିତି ଅପରେସନ କରୁଛନ୍ତି ସେ ଉପରେ ଆଲୋଚନା ହୋଇଛି । ଗରିଆବନ୍ଧ ମିଳିତ ଏନକାଉଣ୍ଟରରେ ଯେଉଁ ସଫଳତା ମିଳିଛି ସେ ଉପରେ ଆଲୋଚନା ହୋଇଛି । ଆସନ୍ତାଦିନର କଳାହାଣ୍ଡି ଜିଲ୍ଲାରେ କେମିତି ନକ୍ସଲ ଅପରେସନ ହେବ ସେନେଇ ଆଲୋଚନା କରିଛୁ ।’
ଇଟିଭି ଭାରତ, କଳାହାଣ୍ଡି