ଭୁବନେଶ୍ବର:ନିଲାମ ହେବ ରାଜ୍ୟର ୧୫ଟି ମୂଲ୍ୟବାନ ରତ୍ନ ଆଦି ପଥର ଥିବା ଖଣି । ଖଣି ଲିଜ ପାଇଁ ଟେଣ୍ଡର ଜାରି ହୋଇଛି । ଏଥିରେ ୧୨ ଅଳଙ୍କାରିକ ପଥର ଖଣି, ୨ଟି କ୍ବାର୍ଜ ଓ ୧ କ୍ବାର୍ଟାଇଜ ଖଣି ରହିଛି । ଏହିସବୁ ଖଣି ମଧ୍ୟରେ ବାହାରପଡା-ଜାମୁରିହା, ବେତାରସିଂ, ଡାମ୍ବା, ଡେରାବ(ପୂର୍ବ), ଲହୁସାହି, ନୂଆଗାଁ, ତେନ୍ତୁଲିଖୁଣ୍ଟି, ବତୀଗୃହ ଓ ମୁଦ୍ରାଯୋଡି-ପୋଖରିଆ ଖଣି ଆଦି ରହିଛି । ଏହି ସମସ୍ତ ଖଣି ପାଇଁ ଇଲେକଟ୍ରୋନିକ ପ୍ରକ୍ରିୟାରେ ଟେଣ୍ଡର ଆହ୍ବାନ କରାଯାଇଛି । ଟେଣ୍ଡର ସଂକ୍ରାନ୍ତୀୟ ସମସ୍ତ ସୂଚନା ଏମଏସଟିସି ୱେବସାଇଟରୁ ମିଳିପାରିବ ।
ଟେଣ୍ଡରରେ ଅଂଶଗ୍ରହଣ ପାଇଁ ଇଚ୍ଛୁକ ସଂସ୍ଥାମାନେ ନିଜକୁ ୱେବସାଇଟରେ ପଞ୍ଜିକୃତ କରିବେ । ସଫଳ ଭାବେ ପଞ୍ଜିକୃତ ହେବା ପରେ ଯୋଗ୍ୟ ସଂସ୍ଥାଗୁଡିକୁ ଲଗ୍ ଇନ ଓ ପାସୱାର୍ଡ ମିଳିବ । ଏହା ଜରିଆରେ ସେମାନେ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ । ତେବେ ଟେଣ୍ଡର ସଂକ୍ରାନ୍ତୀୟ ସମସ୍ତ ସୂଚନା ବିନା ମୂଲ୍ୟରେ ଏହି ୱେବସାଇଟରୁ ମିଳିପାରିବ । ଟେଣ୍ଡର କାଗଜପତ୍ର ଖରିଦର ଶେଷ ତାରିଖ ଚଳିତ ବର୍ଷ ଫେବୃଆରୀ ୨ ତାରିଖ ଧାର୍ଯ୍ୟ ହୋଇଛି । ସେହିଭଳି ଏହାକୁ ଫେବୃଆରୀ ୯ ତାରିଖ ଅପରାହ୍ନ ୫ଟା ପୂର୍ବରୁ ଦାଖଲ କରିବାକୁ କୁହାଯାଇଛି । ପ୍ରତ୍ୟେକ ଖଣି ପାଇଁ ଟେଣ୍ଡରର ପେପରର ମୂଲ୍ୟ ୫୦ ହଜାର ଟଙ୍କା ସହିତ ଜିଏସଟି ପୈଠ କରିବାକୁ ପଡିବ । ତେବେ ବତୀଗୃହ କ୍ବର୍ଜାଟାଇଜ ବ୍ଲକ, ଭାତୁଆବେଡା-ଚିରଙ୍ଗିଡିଡ କ୍ବାର୍ଜ ବ୍ଲକ ଏବଂ ମୁଦ୍ରାଯୋଡି-ପୋଖରିଆ ବ୍ଲକ ପାଇଁ ଏହି ଦେୟ ଦେବାକୁ ପଡିବ ନାହିଁ ।