ବାଲେଶ୍ବର: ଛୋଟ ବୟସରେ ପରୋପକାରର ବଡ ଭାବନା । ଖେଳକୁଦ ବୟସରେ କ୍ୟାନ୍ସର ରୋଗୀଙ୍କ ପାଇଁ କେଶ ଦାନ କରି ଚର୍ଚ୍ଚାରେ ୧୦ ବର୍ଷର ଛାତ୍ରୀ । ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକର ଚଅଁପୁର ଗ୍ରାମର ନିରଞ୍ଜନ ପଣ୍ଡା ଏବଂ ଜ୍ୟୋତ୍ସ୍ନାରାଣୀ ପଣ୍ଡାଙ୍କ ସାନଝିଅ ହେଉଛନ୍ତି ହିରଣ୍ମୟୀ । ଅନ୍ୟମାନଙ୍କ ପାଇଁ କିଛି କରିବା ନିଶା ପାଇଁ ସେ ସବୁଠୁଁ ସାଉଁଟିଛନ୍ତି ପ୍ରଶଂସା । କ୍ୟାନ୍ସର ରୋଗୀଙ୍କୁ କେଶ ଦାନ ଦେବାପାଇଁ ଦୁଇବର୍ଷ ଧରି ସେ କେଶ ବଢ଼ାଇ ଏବେ ତାହା ଏକ ଟ୍ରଷ୍ଟ ମାଧ୍ୟମରେ ଦାନ କରିଛନ୍ତି ।
ମାମୁଁଙ୍କ ସହ ଫୋନରେ ଭିଡିଓ ଦେଖୁଥିବା ବେଳେ ସେ କେଶଦାନ ବିଷୟରେ ଅନୁସନ୍ଧିତ୍ସୁ ହୋଇଥିଲେ । ତାଙ୍କ ମାମୁଁ କହିଥିଲେ ଯେ, କ୍ୟାନସର ରୋଗୀଙ୍କ କେମୋ ଥେରାପୀ ପରେ କେଶ ଝଡିଯିବାରୁ ସେମାନେ ନକଲି କେଶ ବା ୱିଗ୍ ବ୍ୟବହାର କରିଥାନ୍ତି । ସେଥିପାଇଁ ୱିଗ୍ ତିଆରି ପାଇଁ ଅନେକ ଲୋକ ମାଗଣାରେ ନିଜର କେଶ ଦାନ କରିଥାନ୍ତି । ଏହି କଥା ମାମୁଁଙ୍କ ପାଖରୁ ଶୁଣି ହିରଣ୍ମୟୀ ମାମୁଁଙ୍କୁ ନିଜର କେଶ ଦାନ କରିବା କଥା ଜିଦ ଧରି ବସିଥିଲେ । ସେତେବେଳେ ହିରଣ୍ମୟୀଙ୍କୁ ମାତ୍ର ୮ ବର୍ଷ ବୟସ ହୋଇଥିବାରୁ ମାମୁଁ ତାଙ୍କୁ ବଡ଼ ହେଲେ କେଶ ଦାନ କରିବା ପାଇଁ କହିଥିଲେ । ଦୁଇବର୍ଷ ଧରି ସେ କେଶର ଯତ୍ନ ନେବାସହ ତାହା ବଢାଇବାକୁ ଲାଗିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ କେଶଦାନ କରିବା ପାଇଁ ହିରଣ୍ମୟୀଙ୍କ କେଶ ବଢିବା ପରେ ମାମୁଁଙ୍କ ସହ ସୋରରେ ଶୋଭା ଟ୍ରଷ୍ଟ ମାଧ୍ୟମରେ ସେ କେଶଦାନ କରିଥିଲେ । କେବଳ କେଶଦାନ ନୁହେଁ ବଡ଼ ହେଲେ ସେ ସମାଜର ଅବହେଳିତ, ନିଷ୍ପେସିତ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିବେ ବୋଲି ମଧ୍ୟ କହିଛନ୍ତି ।