ହାଇଦ୍ରାବାଦ : ଭାରତରେ କ୍ରିକେଟ୍ କେବଳ ଖେଳ ନୁହେଁ; ଏହା ଏକ ଧର୍ମରେ ପରିବର୍ତ୍ତିତ ହେଲାଣି । କୌଣସି କ୍ରିକେଟ ଇଭେଣ୍ଟକୁ ବଡ଼ ପର୍ବ ଭଳି ପାଳନ କରୁଥିବା ଭାରତୀୟ କ୍ରିକେଟପ୍ରେମୀ ବେଳେବେଳେ କ୍ରିକେଟରଙ୍କୁ ବା କ୍ରିକେଟରଙ୍କ ପୋଷ୍ଟରକୁ ପୂଜା କରୁଥିବା ମଧ୍ୟ ଦେଖିବାକୁ ମିଳେ । ଏହା ହେଉଛି ଏକମାତ୍ର ଦେଶ, ଯେଉଁଠାରେ ପ୍ରାୟ ଅଧିକାଂଶ ପିଲା ଛୁଆବେଳୁ ଗୁଲି କ୍ରିକେଟ୍ ଖେଳିବାରେ ବଢ଼ିଛନ୍ତି । ଏହା ଏକ ଭାବନା ପାଲଟିଛି । ବିଶେଷକରି ବିଶ୍ବକପ୍ ଓ ଆଇପିଏଲ୍ ପରି ଇଭେଣ୍ଟକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରନ୍ତି ଏବଂ ପ୍ରତ୍ୟେକ ବିଜୟକୁ ପ୍ରଶଂସକମାନେ ବ୍ୟକ୍ତିଗତ ସଫଳତା ପରି ପାଳନ କରନ୍ତି । ତେବେ କ୍ରିକେଟ୍କୁ ସର୍ବାଧିକ ବେତନପ୍ରାପ୍ତ ବୃତ୍ତି ବୋଲି କହିବା ମଧ୍ୟ ଭୁଲ୍ ହେବ ନାହିଁ । ବିଶେଷ କରି ଭାରତରେ ଜଣେ କ୍ରିକେଟର କୌଣସି A ଗ୍ରେଡ୍ ସରକାରୀ ଅଧିକାରୀଙ୍କଠାରୁ କମ ସୁବିଧାସୁଯୋଗ ପାଆନ୍ତି ନାହିଁ, ବରଂ କେତେଗୁଣ ଅଧିକ ରୋଜଗାର ମଧ୍ୟ କରନ୍ତି ।
BCCIର ଗ୍ରେଡ୍ ଓ ଦରମା ସିଷ୍ଟମ :-
ପ୍ରାୟ ସମସ୍ତେ ଜାଣିଥିବେ ଯେ 'ବୋର୍ଡ ଅଫ୍ କଣ୍ଟ୍ରୋଲ ଫର କ୍ରିକେଟ୍ ଇନ୍ ଇଣ୍ଡିଆ' (ବିସିସିଆଇ) ହେଉଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ ବୋର୍ଡ । ହେଲେ ଅନେକ ଏହା ଜାଣନ୍ତି ନାହିଁ ଯେ ବିସିସିଆଇ ଏହାର କ୍ରିକେଟରଙ୍କୁ ଏକାଧିକ ଆୟର ଉତ୍ସ ଯୋଗାଇଥାଏ, ଯାହା ଏହି କ୍ରିକେଟରମାନଙ୍କୁ ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରିଥାଏ । ଭାରତୀୟ କ୍ରିକେଟରମାନେ ଖେଳୁଥିବା ପ୍ରତି ମ୍ୟାଚ୍ ବାବଦକୁ ମ୍ୟାଚ୍ ଫି' ବ୍ୟତୀତ ସେମାନଙ୍କ ଚୁକ୍ତିନାମାର ଅଂଶ ଭାବରେ ସେମାନଙ୍କୁ ବିସିସିଆଇ ବାର୍ଷିକ ଦରମା ମଧ୍ୟ ଦେଇଥାଏ । ରିପୋର୍ଟ ଅନୁଯାୟୀ, ଗ୍ରେଡ୍ A+ ଚୁକ୍ତିନାମାରେ ସ୍ବାକ୍ଷରିତ କ୍ରିକେଟରମାନଙ୍କୁ ବର୍ଷକୁ 7 କୋଟି ଟଙ୍କା ଦରମା ଦେଇଥାଏ ବିସିସିଆଇ । ଅନ୍ୟ କୌଣସି ଦେଶର କ୍ରିକେଟ ବୋର୍ଡ ସେହି ଦେଶର ଖେଳାଳିଙ୍କୁ ଏତେ ମାତ୍ରାରେ ଦରମା ପ୍ରଦାନ କରିନଥାଏ । ଅନ୍ୟପଟେ ବିସିସିଆଇର 'A' ଗ୍ରେଡରେ ଥିବା ଖେଳାଳିମାନେ ବାର୍ଷିକ 5 କୋଟି ଟଙ୍କା ଦରମା ପାଉଥିବାବେଳେ ଗ୍ରେଡ୍ 'B' ଏବଂ 'C' ଚୁକ୍ତିନାମାରେ ସ୍ବାକ୍ଷରିତ ଖେଳାଳିଙ୍କୁ ବାର୍ଷିକ ଯଥାକ୍ରମେ 3 କୋଟି ଓ 1 କୋଟି ଲେଖାଏଁ ଦରମା ଦେଇଥାଏ ଭାରତୀୟ କ୍ରିକେଟ ବୋର୍ଡ । ତେବେ ଏଠାରେ ଆମେ ଆପଣଙ୍କୁ ଏମିତି 4 ଭାରତୀୟ କ୍ରିକେଟରଙ୍କ ବିଷୟରେ କହିବୁ, ଯେଉଁମାନେ ସେମାନଙ୍କ ବୋର୍ଡଠାରୁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଦରମା ପାଉଛନ୍ତି ।
ବିରାଟ କୋହଲି :-
ବିରାଟ କୋହଲି ବିଶ୍ବର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରୁ ଜଣେ । କଠିନ ପରିଶ୍ରମ ସହିତ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଏକ ବିରାଟ ପରିଚୟ ସୃଷ୍ଟି କରିଛନ୍ତି । ସେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ 49 ଦିନିକିଆ ଶତକ ରେକର୍ଡ ଭାଙ୍ଗି ODIରେ ସର୍ବାଧିକ ଶତକ ହାସଲ କରିଥିବା କ୍ରିକେଟର ହୋଇଛନ୍ତି । ବିରାଟ କୋହଲି ଭାରତୀୟ ଦଳର ଅଧିନାୟକ ପଦ ଛାଡ଼ିବା ପରଠାରୁ ସେ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ଦଳ ସହ ଅଛନ୍ତି । ପିଚ୍ରେ ତାଙ୍କର ବ୍ୟାଟିଂ କୌଶଳ ଏବଂ ଅତୁଳନୀୟ ଫିଲ୍ଡିଂ କ୍ଷମତା ପାଇଁ ବିସିସିଆଇ ତାଙ୍କୁ ଗ୍ରେଡ୍ A+ ଚୁକ୍ତିରେ ରଖିଛି । ତାଙ୍କର ଆଇପିଏଲ୍ ଓ ଅନ୍ୟ ବିଜ୍ଞାପନ ଜନିତ ରୋଜଗାର ବ୍ୟତୀତ ସେ ବିସିସିଆଇଠାରୁ ପ୍ରତି ମ୍ୟାଚ୍ ପାଇଁ ମ୍ଯାଚ୍ ଫି' ଓ ବାର୍ଷିକ 7 କୋଟି ଟଙ୍କା ଦରମା ପାଉଛନ୍ତି ।
ରୋହିତ ଶର୍ମା :-
ବିଶ୍ବ କ୍ରିକେଟ୍ରେ 'ହିଟ୍ମ୍ୟାନ୍' ଭାବେ ପ୍ରସିଦ୍ଧ କ୍ରିକେଟର ତଥା ଭାରତୀୟ ଦଳର (ଟେଷ୍ଟ ଓ ଦିନିକିଆ) ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ତାଙ୍କର ଉତ୍କୃଷ୍ଟ ଖେଳ ଦକ୍ଷତା ଯୋଗୁଁ ଅନ୍ତର୍ଜାତୀୟସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହି 36 ବର୍ଷୀୟ କ୍ରିକେଟର ଦଳକୁ ଅନେକ ଐତିହାସିକ ବିଜୟ ଭେଟି ଦେଇଛନ୍ତି । ସେ ଭାରତର 4 ଜଣ କ୍ରିକେଟରଙ୍କ ମଧ୍ୟରୁ ଜଣେ, ଯିଏକି 2023 ମସିହାରେ ବିସିସିଆଇ ସହ ଗ୍ରେଡ୍ A+ କାଟାଗୋରୀରେ ପୁନଃ-ଚୁକ୍ତି କରିଥିଲେ । ସେ ମଧ୍ୟ ବିସିସିଆଇଠାରୁ ପ୍ରତି ମ୍ୟାଚ୍ ପାଇଁ ମ୍ଯାଚ୍ ଫି' ଓ ବାର୍ଷିକ 7 କୋଟି ଟଙ୍କା ଦରମା ପାଉଛନ୍ତି ।