ଓଡିଶା

odisha

HBD ଭିନେଶ ଫୋଗାଟ: ଜନ୍ମଦିନରେ ଜାଣନ୍ତୁ ଭିନେଶଙ୍କ ଜୀବନର କିଛି ଗୁରୁତ୍ବପୂର୍ଣ୍ଣ କଥା ଓ ଦମଦାର ରେକର୍ଡ - Vinesh Phogat Birthday

By ETV Bharat Sports Team

Published : Aug 25, 2024, 4:10 PM IST

Vinesh Phogat 30th Birthday: ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାଗ ନେଇଥିବା ଭାରତୀୟ ଷ୍ଟାର ରେସଲର ଭିନେଶ ଫୋଗାଟ ଏବେ ବହୁ ଚର୍ଚ୍ଚାରେ । ଭିନେଶଙ୍କ 30ତମ ଜନ୍ମଦିନରେ ତାଙ୍କ ସହିତ ଜଡ଼ିତ କିଛି ଗୁରୁତ୍ବପୂର୍ଣ୍ଣ କଥା ଓ ରେକର୍ଡ ଜାଣନ୍ତୁ,

Vinesh Phogat Birthday
Vinesh Phogat Birthday (ETV Bharat)

ନୂଆଦିଲ୍ଲୀ : ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗାଟ ରବିବାର (25 ଅଗଷ୍ଟ) ତାଙ୍କର 30ତମ ଜନ୍ମଦିନ ପାଳନ କରୁଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସ 2024ରେ 100 ଗ୍ରାମ ଅଧିକ ଓଜନ ହେତୁ ଫାଇନାଲରେ ପହଞ୍ଚି ମଧ୍ୟ ଭିନେଶଙ୍କୁ ଅଯୋଗ୍ୟ ଘଷୋଣା କରାଯାଇଥିଲା । ଏହା ସହିତ ସେ ସ୍ୱର୍ଣ୍ଣ ପଦକ ହରାଇବା ସହିତ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଛି । ତେବେ ଏଠାରେ ଭିନେଶଙ୍କ ଜୀବନ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ଏବଂ ତାଙ୍କର କିଛି ଦମଦାର ରେକର୍ଡ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

Vinesh Phogat Birthday (ETV Bharat)

ଭିନେଶଙ୍କ ଜୀବନ ସହ ଜଡ଼ିତ କିଛି ଗୁରୁତ୍ବପୂର୍ଣ୍ଣ କଥା :-

  • ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗାଟ 25 ଅଗଷ୍ଟ 1994ରେ ହରିୟାଣାର ଭିୱାନୀ ଜିଲ୍ଲାର ବଲାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
  • ଭିନେଶଙ୍କ ପରିବାରରେ ତାଙ୍କ ବଡ଼ ବାପା ମହାବୀର ସିଂ ଫୋଗାଟ କୁସ୍ତିଯୋଦ୍ଧା ଥିଲେ । ସେ ତାଙ୍କ ଝିଅ ଗୀତା ଓ ବବିତାଙ୍କୁ ଆଗଧାଡ଼ିର କୁସ୍ତିଯୋଦ୍ଧା ଭାବେ ଦେଶରେ ପରିଚିତ ଦେଇଥିଲେ ।
  • ଭିନେଶ ନିଜ ସମ୍ପର୍କୀୟ ଭଉଣୀଙ୍କ ସହିତ ହିଁ ନିଜ ବଡ଼ ବାପାଙ୍କଠାରୁ କୁସ୍ତି ଶିଖିବା ଆରମ୍ଭ କରିଥିଲେ ।
  • ଭିନେଶ କେବଳ 9 ବର୍ଷ ବୟସରେ ନିଜ ପିତା ରାଜପାଲ ଫୋଗାଟଙ୍କୁ ହରାଇ ଥିଲେ । ଏହାପରେ ତାଙ୍କ ମାଆ କ୍ୟାନ୍ସରରେ ପୀଡ଼ିତ ହୋଇଥିଲେ ।
  • ଏହି ଷ୍ଟାର ଭାରତୀୟ ରେସଲର ସୋମବୀର ରାଠୀଙ୍କୁ ବିବାହ କରିଥିଲେ । ସୋମବୀର ମଧ୍ୟ ଜଣେ ରେସଲର ଥିଲେ । ସେ ନିଜ ବିବାହରେ ହୋମ କୁଣ୍ଡ ଚାରିପାଖରେ 7 ବଦଳରେ 8 ଘେରା ବୁଲି ଚର୍ଚ୍ଚାକୁ ଆସିଥିଲେ । 'ବେଟି ବଚାଓ ବେଟି ପଢ଼ାଓ' ଅଭିଯାନର ପ୍ରଚାର ପାଇଁ ସେ ଅଷ୍ଟମ ଘେରା ବୁଲିଥିଲେ ।
  • ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ତଥା ବିଜେପି ନେତା ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାରେ ହୋଇଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନରେ ଭିନେଶ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଦିଲ୍ଲୀର ଜନ୍ତରମନ୍ତରଠାରେ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଆନ୍ଦୋଳନ କରି ବହୁତ ସଙ୍ଘର୍ଷ କରିଛନ୍ତି ।

ଭିନେଶଙ୍କ କ୍ୟାରିୟର ଓ ତାଙ୍କ ରେକର୍ଡ :-

  • 2013ରେ ଦିଲ୍ଲୀରେ ଅନୁଷ୍ଠିତ ଏସିଆନ ରେସଲିଂ ଚାମ୍ପିୟନସିପରେ 52 କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତି ଭିନେଶ ପ୍ରଥମେ ଲାଇମଲାଇଟକୁ ଆସିଥିଲେ ।
  • ଏହା ପରେ ଭିନେଶ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଚାଲିଥିବା କମନୱେଲଥ ରେସଲିଂ ଚାମ୍ପିୟନସିପରେ ରୌପ୍ୟ ପଦକ ଜିତିଥିଲେ ।
  • 2014 କମନୱେଲଥ ଗେମ୍ସରେ ଏବଂ ଏସୀୟ ଗେମ୍ସ 2018ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭିନେଶ ଫୋଗାଟ ।
  • 2018 କମନୱେଲଥ ଗେମ୍ସରେ 50 କିଲୋଗ୍ରାମ ଓଜନ ବର୍ଗରେ ଭିନେଶ ସ୍ବର୍ଣ୍ଣ ପଦକ ଜିତିଥିଲେ ।
  • କମନୱେଲଥ୍ ଗେମ୍ସରେ 3ଟି ସ୍ବର୍ଣ୍ଣ ପଦକ, ବିଶ୍ବ ଚାମ୍ପିୟନସିପରେ 2ଟି ବ୍ରୋଞ୍ଜ ପଦକ, ଏସୀୟ ଗେମ୍ସରେ ଗୋଟିଏ ସ୍ୱର୍ଣ୍ଣ ପଦକ, 2019 ବିଶ୍ୱ ଚାମ୍ପିଅନସିପ୍ ବ୍ରୋଞ୍ଜ ଏବଂ 2021 ଏସୀୟ ଚାମ୍ପିଅନ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭିନେଶ ।
  • ଭିନେଶ ରିଓ ଅଲିମ୍ପିକ୍ସ 2016, ଟୋକିଓ ଅଲିମ୍ପିକ୍ସ 2020 ଏବଂ ପ୍ୟାରିସ ଅଲିମ୍ପିକ୍ସ 2024ରେ ଅଂଶଗ୍ରହଣ କରିଛନ୍ତି ।
  • 2024ରେ ଡିଫେଣ୍ଡିଂ ଚାମ୍ପିୟନ ସୁସାକିଙ୍କୁ କ୍ବାର୍ଟର ଫାଇନାଲରେ ହରାଇଥିଲେ ଏବଂ ସେମିଫାଇନାଲ ଜିତି ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ରେସଲର ହୋଇଥିଲେ ଭିନେଶ ଫୋଗାଟ । କିନ୍ତୁ ତାଙ୍କୁ ଫାଇନାଲ ମ୍ୟାଚ୍‌ ପୂର୍ବରୁ ଅଯୋଗ୍ୟ ଘୋଷିତ କରାଯିବାରୁ ସେ ପଦକ ଜିତିପାରିନଥିଲେ ।

ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାଗ୍ୟ ଦେଲାନି ସାଥ :-

ଅଲିମ୍ପିକ୍ସରେ ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସ୍‌ଲିଂରେ ସେମିଫାଇାନଲରେ ବିଜୟୀ ହେବାପରେ ଫାଇାନଲରେ ପ୍ରବେଶ କରିଥିଲେ ଭିନେଶ ଫୋଗାଟ । ଏହା ପରଦିନ ତାଙ୍କର ଫାଇନାଲ ମ୍ୟାଚ୍‌ ରହିଥିଲା । କିନ୍ତୁ ଏହା ପୂର୍ବରୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । 50 କିଲୋଗ୍ରାମରୁ ମାତ୍ର 100 ଗ୍ରାମ ଅଧିକ ଓଜନ ହେବାରୁ ଫାଇନାଲରୁ ବଞ୍ଚିତ ହେବା ସହ ପଦକ ମଧ୍ୟ ହାତରୁ ଚାଲିଯାଇଥିଲା । ଏହି ଖବର ଶୁଣିବା ପରେ ପୁରା ଭାଙ୍ଗି ପଡିଥିଲେ ଭିନେଶ । ଭିନେଶଙ୍କ ସମେତ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ (CAS)ରେ ସଂଯୁକ୍ତ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ । କିନ୍ତୁ ଏହାକୁ ଖାରଜ କରିଦେଇଥିଲେ CAS । ଫଳରେ ଭିନେଶଙ୍କ ରୌପ୍ୟ ପଦକ ଆଶା ମଉଳି ଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଭିନେଶ ଫୋଗାଟଙ୍କୁ ମିଳିଲା ଗୋଲ୍ଡ ମେଡାଲ; ଶୁଭେଚ୍ଛା ଜଣାଇଲେ ଗ୍ରାମବାସୀ - Vinesh Phogat Gets Gold Medal

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details