ଓ୍ବାଶିଂଟନ:ହାର ମାନିଲେ ବ୍ୟାଟର, ଧମାଲ କଲେ ବୋଲର । ଭାରତୀୟ ପେସ ବାହିନୀର ଘାତକ ବୋଲିଂରେ ଭାଙ୍ଗିଲା ପାକିସ୍ତାନ ବ୍ୟାଟରଙ୍କ ଅଣ୍ଟା । ପରାଜୟ ମୁହାଁ ହୋଇଥିବା ମ୍ୟାଚରେ ଭାରତର ଅଦ୍ଭୁଦ... ଅବିଶ୍ବସନୀୟ ବିଜୟ । ପରାଜୟରୁ ଭାରତକୁ ଉଦ୍ଧାର କଲେ ବୁମରା । 6 ରନରେ ପାକିସ୍ତାନକୁ ହରାଇ ଟି 20 ବିଶ୍ବକପରେ ବିଜୟ ଧାରା ବଜୟୀ ରଖିଲା ମେନ ଇନ ବ୍ଲୁ । ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ମାଟି କାମୁଡିଲା ପାକ୍ । 4 ଓଭରରେ 14 ରନ ଦେଇ 3ଟି ଓ୍ବିକେଟ ନେଇଥିବାରୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହେଲେ ଜଶପ୍ରୀତ ବୁମରା । ଭାରତର ବିଜୟ ପରେ କାଉଣ୍ଟି ଷ୍ଟାଡିୟମରେ ଉଡିଥିଲା ତ୍ରିରଙ୍ଗା ।
ଭାରତର ବ୍ୟାଟିଂ ବିପର୍ଯ୍ୟୟ:କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ବର୍ଷା ଯୋଗୁଁ ବିଳମ୍ବରେ ପଡିଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ପାକ ଅଧିନାୟକ ବାବର ଆଜମ । ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲେ । 19 ଓଭବରେ ଦଳ ସମସ୍ତ ଓ୍ବିକେଟ ହରାଇ ମାତ୍ର 119 ରନ କରିଥିଲା । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା ଟିମ ଇଣ୍ଡିଆ । ଓପନିଂ ଯୋଡି ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ପାକିସ୍ତାନ ବୋଲରଙ୍କ ଘାତକ ବୋଲିଂରେ ରନ କରିବା ରୋହିତ କୋହଲିଙ୍କ ପକ୍ଷରେ ସମ୍ଭବ ହୋଇପାରିନଥିଲା । ପ୍ରଥମେ କୋହଲି 4 ରନ ଓ ପରେ ରୋହିତ ମାତ୍ର 13 ରନ କରି ପାଭିଲିୟନକୁ ଫେରିଥିଲେ । ପନ୍ତଙ୍କୁ ଛାଡି ଦେଲେ କେହି ଜଣେ ହେଲେ ବ୍ୟାଟର ବେଶି ସମୟ ପଡିଆରେ ତିଷ୍ଟି ପାରିନଥିଲେ । ପାକିସ୍ତାନର ଘାତକ ବୋଲିଂ ଭାରତର ଗୋଟିଏ ପରେ ଗୋଟିଏ ଓ୍ବିକେଟ ପଡିଥିଲା । ଦଳର ସ୍ଥିତି ଦେଖି ବ୍ୟାଟର ଜଗି ରକି ଖେଳିବେ କଣ ବଡ ବଡ ସଟ ଖେଳିବାକୁ ଚେଷ୍ଟା କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର 96 ହୋଇଥିବା ବେଳେ 7ଟି ଓ୍ବିକେଟ ପଡିସାରିଥିଲା । ଦାୟିତ୍ବହୀନ ବ୍ୟାଟିଂ ଯୋଗୁଁ ସୂର୍ଯ୍ୟକୁମାର 7, ଶିବମ ଦୁବେ 3, ହାର୍ଦ୍ଦିକ 7, ଜାଡେଜା 0, ଅକ୍ସର ପଟେଲ 20, ବୁମରା 0, ଅର୍ଶଦୀପ 9 ରନ କରି ଆଉଟ ହୋଇଥିଲା । କେବଳ ପନ୍ତ ସର୍ବାଧିକ 42 ରନ କରିଥିଲେ ।