ଓଡିଶା

odisha

ମହିଳା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣା; ସୋସିଆଲ ମିଡିଆରେ ବଡ଼ ସନ୍ଦେଶ ଦେଲେ ସୂର୍ଯ୍ୟକୁମାର ଯାଦବ - Suryakumar Yadav On Kolkata Case

By ETV Bharat Sports Team

Published : Aug 18, 2024, 7:49 PM IST

Suryakumar Yadav On Kolkata Rape and Murder Case : କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୋଇଥିବା ଅମାନୁଷିକ କାର୍ଯ୍ୟକୁ ବିରୋଧ କଲେ କ୍ରିକେଟର ସୂର୍ଯ୍ୟକୁମାର ଯାଦବ । ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏହି ଘଟଣାକୁ ନିନ୍ଦା କରିଛନ୍ତି ସୂର୍ଯ୍ୟ । ଅଧିକ ପଢ଼ନ୍ତୁ

Suryakumar Yadav
Suryakumar Yadav (IANS and ANI Photos)

ନୂଆଦିଲ୍ଲୀ : କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା ସମଗ୍ର ଦେଶରେ ଚହଳ ସୃଷ୍ଟି କରିଛି । ସାରା ଦେଶରେ ଏନେଇ ପ୍ରତିବାଦ ଏବଂ ଆନ୍ଦୋଳନ ଜୋର ଧରିଛି । କେବଳ ଡାକ୍ତର କିମ୍ବା ସାଧାରଣ ଲୋକ ନୁହଁନ୍ତି, ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଏହା ଉପରେ ବିଭିନ୍ନ ଉପାୟରେ ପ୍ରତିକ୍ରିୟା ପ୍ରକାଶ କରି ଏଭଳି ଘଟଣାକୁ ନିନ୍ଦା କରୁଛନ୍ତି । ଏହାରି ଭିତରେ ଭାରତୀୟ କ୍ରିକେଟ ଜଗତର ମିଷ୍ଟର 360 ସୂର୍ଯ୍ୟକୁମାର ଯାଦବ ଏବେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏହି ଘଟଣାକୁ ନିନ୍ଦା କରିଛନ୍ତି ସୂର୍ଯ୍ୟ ।

ଏମିତି ସନ୍ଦେଶ ଦେଲେ SKY :-

ସୂର୍ଯ୍ୟକୁମାର ଯାଦବ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି ଏବଂ ଏକ ପୁରୁଣା ଚିନ୍ତାଧାରାକୁ ବଦଳାଇବା ବିଷୟରେ କହିଛନ୍ତି । ଲୋକମାନଙ୍କ ମଧ୍ୟରେ ରହିଥିବା ପୁରୁଣା ଚିନ୍ତାଧାରା 'ନିଜ ଝିଅର ରକ୍ଷା କର'କୁ ସୂର୍ଯ୍ଯ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଭୁଲ ବୋଲି ଦର୍ଶାଇଛନ୍ତି ଏବଂ 'ନିଜ ପୁଅକୁ ଶିକ୍ଷା ଦିଅ' ଉକ୍ତି ଉପରେ ଆଲୋକପାତ କରିଛନ୍ତି । ସେ ନିଜ ଷ୍ଟୋରୀରେ 'Protect Your Daughter' ଉକ୍ତିକୁ କାଟିଦେଇ 'Educate Your Son' ଲେଖିଛନ୍ତି ।

ଏହା ବ୍ୟତୀତ ସମସ୍ତେ ନିଜ ଭାଇ, ସ୍ବାମୀ, ବନ୍ଧୁ ଏବଂ ପିତାଙ୍କୁ ମଧ୍ୟ ଶିକ୍ଷା ଦେବା ବିଷୟରେ ନିଜ ପୋଷ୍ଟରେ ଲେଖିଛନ୍ତି ସୂର୍ଯ୍ୟକୁମାର ଯାଦବ । ପ୍ରକାଶ ଥାଉ, ଏହା ପୂର୍ବରୁ ଯଶପ୍ରୀତ ବୁମ୍‌ରା ଓ ଶ୍ରେୟସ ଆୟରଙ୍କ ସମେତ ଅନ୍ୟାନ୍ୟ କ୍ରିକେଟର ମଧ୍ୟ ଏହି ହିଂସକ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ଘଟଣାରେ ସୌରଭ ଗାଙ୍ଗୁଲି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି ଅପରାଧୀଙ୍କ ବିରୋଧରେ କଠୋର ଦଣ୍ଡ ଦାବି କରିଥିଲେ ।

ଅନ୍ୟ କ୍ରିକେଟର ମଧ୍ୟ ନ୍ୟାୟ ଦାବି କରିଥିଲେ :-

ସୌରଭ ଗାଙ୍ଗୁଲି କହିଥିଲେ, 'ଅତ୍ୟନ୍ତ ଦୁର୍ଭାଗ୍ୟଜନକ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ଏହି ଘଟଣା ଭୟଙ୍କର... ପ୍ରକୃତରେ ବହୁତ ଭୟାନକ । ଯେକୌଣସି ସ୍ଥାନରେ ଅପରାଧ ସମ୍ଭବ । ତେଣୁ ସୁରକ୍ଷା ବ୍ୟବସ୍ଥା ଏବଂ ସିସିଟିଭି କ୍ୟାମେରା ସେହି ଅନୁଯାୟୀ ପ୍ରସ୍ତୁତ ହେବା ଉଚିତ୍ । ଏଭଳି ଘଟଣା ଯେକୌଣସି ଠାରେ ଘଟିପାରେ । କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।'

ସେହିଭଳି ଏହି ପ୍ରସଙ୍ଗରେ ଭାରତୀୟ ଷ୍ଟାର ବ୍ୟାଟର ତଥା ଆଇପିଏଲରେ କୋଲକାତା ନାଇ ରାଇଡର୍ସର ଅଧିନାୟକ ଶ୍ରେୟସ୍ ଆୟର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ, 'ଏତେ ବର୍ଷ ପରେ ବି କିଛି ପରିବର୍ତ୍ତନ ହୋଇନାହିଁ । ଘଟିଥିବା ଏହି ବର୍ବର ଘଟଣା ଦ୍ବାରା ଆମେ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇପଡିଛୁ । ଏହି ମାମଲାରେ ଜଡ଼ିତ ପ୍ରତ୍ୟେକ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ କଠୋର ଦଣ୍ଡ ଦିଆଯିବା ଜରୁରୀ ଅଟେ । ଆମେ ନ୍ୟାୟ ଚାହୁଁଛୁ ।'

ଭାରତୀୟ ଦ୍ରୁତ ବୋଲର ଯସପ୍ରୀତ ବୁମ୍‌ରା ନିଜ ଇନଷ୍ଟାଗ୍ରାମ ଷ୍ଟାରୀରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ଏକ ପୋଷ୍ଟ ସେୟାର କରିଥିଲେ । ଏଥିରେ ଲେଖାଥିଲା, 'ମହିଳାମାନଙ୍କୁ ସେମାନଙ୍କ ରାସ୍ତା ପରିବର୍ତ୍ତନ କରିବାକୁ କୁହନ୍ତୁ ନାହିଁ, ବରଂ ରାସ୍ତାକୁ ହିଁ ପରିବର୍ତ୍ତନ କରନ୍ତୁ । ପ୍ରତ୍ୟେକ ମହିଳା ଏହାଠାରୁ ଭଲ ସମ୍ମାନର ଯୋଗ୍ୟ ଅଟନ୍ତି ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details