ହାଇଦ୍ରାବାଦ:ବାଧକ ସାଜିଲା ବର୍ଷା, ବାତିଲ ହେଲା ଆଇପିଏଲର 66ତମ ମ୍ୟାଚ । ପଏଣ୍ଟ ଭାଗ ପରେ ତୃତୀୟ ଦଳ ଭାବେ ପ୍ଲେ ଅଫକୁ ପ୍ରବେଶ କଲା ସନ ରାଇଜର୍ସ ହାଇଦ୍ରାବାଦ । ତିନି ବର୍ଷ ପରେ ପ୍ଲେ ଅଫକୁ ଦଳ ପ୍ରବେଶ କରିଛି । ଚଳିତ ଆଇପିଏଲରେ 13ଟି ମ୍ୟାଚରୁ 15 ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପ୍ୟାଟ କମିନ୍ସ ବାହିନୀ । ବର୍ଷା ଯୋଗୁଁ ଲଗାତାର ଦୁଇଟି ମ୍ୟାଚ ଖେଳିପାରିଲା ନାହିଁ ଗୁଜୁରାଟ ଟାଇଟନ୍ସ । 14ଟି ମ୍ୟାଚରୁ 12 ପଏଣ୍ଟ ପାଇ ଆଇପିଏଲରେ ଅଭିଯାନ ଶେଷ କରିଛି ଗିଲ ବାହିନୀ । ଗତକାଲି ସନ୍ଧ୍ୟା ସମୟରେ ହାଇଦ୍ରାବାଦରେ ଏସଆରଏଚ ଓ ଜିଟି ମଧ୍ୟରେ ମ୍ୟାଚ ଖେଳାଯିବାର ଥିଲା । କିନ୍ତୁ ବର୍ଷା ଲାଗି ରହିବାରୁ ଟସ ପଡିବା ମଧ୍ୟ ସମ୍ଭବ ହୋଇନଥିଲା ।
ଚତୁର୍ଥ ସ୍ଥାନ ପାଇଁ CSK-RCB ମଧ୍ୟରେ ହେବ ଲଢେଇ:ପ୍ରଥମ ଦଳ ଭାବେ ପ୍ଲେ ଅଫରେ କୋଲକାତା ନାଇଟ ରାଇଡର୍ସ ପ୍ରବେଶ କରିଥିବା ବେଳେ ଦ୍ବିତୀୟ ଦଳ ଭାବେ ରାଜସ୍ଥାନ ରୟାଲ୍ସ ଓ ଏବେ ତୃତୀୟ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିଛି ହାଇଦ୍ରାବାଦ । ଏବେ ପ୍ଲେ ଅଫରେ ଚତୁର୍ଥ ସ୍ଥାନ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ଲଢେଇ ହେବ । ଦୁଇ ଦଳ ମଧ୍ୟରେ ଆସନ୍ତାକାଲି ମ୍ୟାଚ ଖେଳାଯିବ । କିଏ ମ୍ୟାଚ ଜିତି ପ୍ଲେ ଅଫରେ ପ୍ରବେଶ କରୁଛି ତାଉପରେ ସମସ୍ତଙ୍କ ନଜର ରହିଛି । ଯଦି ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୁଏ ତେବେ ଚେନ୍ନାଇ ପ୍ଲେ ଅଫକୁ ଯିବ । ପ୍ଲେ ଅଫକୁ ପ୍ରବେଶ କରିବାକୁ ବେଙ୍ଗାଲୁରୁ ପାଖରେ ଗୋଟିଏ ସୁଯୋଗ ରହିଛି । ଯଦି 18 .1 ଓଭର ନଚେତ 18 ରନରେ ଦଳ ବିଜୟୀ ହୁଏ ତେବେ ରନ ରେଟରେ ଚେନ୍ନାଇକୁ ପରାସ୍ତ କରି ପ୍ଲେ ଅଫକୁ ଯିବ ।