ଶ୍ରୀନଗର (ଜମ୍ମୁ-କାଶ୍ମୀର): ବିଦେଶରେ ପୁଣି ଚମକିଲେ କାଶ୍ମୀର ଯାଆଁଳା ଭଉଣୀ ଆୟେରା ଚିସ୍ତି ଓ ଆନ୍ସା ଚିସ୍ତି । ମସ୍କୋରେ ଖେଳାଯାଉଥିବା ସମ୍ମାନଜନକ ଋଷିଆନ ମସ୍କୋ ଷ୍ଟାର ଉସୁ ଅନ୍ତର୍ଜାତୀୟ ଚମ୍ପିଆନ୍ସିପ୍ (Wushu International Championship)ରେ ଗୋଲ୍ଡ ମେଡଲ ହାସଲ କରି ଶ୍ରୀନଗରର ଦୁଇ ଭଉଣୀ ଦେଶ ପାଇଁ ଗର୍ବ ଆଣିଛନ୍ତି । 28 ଫେବୃଆରୀରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତାକାଲି, ଅର୍ଥାତ ମାର୍ଚ୍ଚ 5 ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏଥିରେ ଦୁଇ ଭଉଣୀ ଆୟେରା ଓ ଆଂସା ନିଜସ୍ବ ଓଜନ ବର୍ଗ ଯଥାକ୍ରମେ 52 ଓ 56 କେଜି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରି ଅତୁଳନୀୟ ଦକ୍ଷତା ଏବଂ ନିଷ୍ଠା ପ୍ରଦର୍ଶନ କରିଛନ୍ତି ।
ମସ୍କୋ ଷ୍ଟାର ଉସୁ ଅନ୍ତର୍ଜାତୀୟ ଚମ୍ପିଆନ୍ସିପ୍ରେ ସାମରିକ ଶକ୍ତିର ଚମତ୍କାର ପ୍ରଦର୍ଶନ କରି ଦୁଇ ଭଉଣୀ ଆୟେରା ଏବଂ ଆନ୍ସା ସେମାନଙ୍କ ଋଷୀୟ ପ୍ରତିପକ୍ଷଙ୍କ ଉପରେ ଫାଇନାଲରେ ବିଜୟୀ ହୋଇ ନିଜ ନିଜ ବର୍ଗରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ । ତେବେ ଏହି ବିଜୟ ସହ ବିଶେଷ କରି ଆୟେରା ତାଙ୍କର ତୃତୀୟ ଅନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି । ସେ ଏହା ପୂର୍ବରୁ ଜର୍ଜିଆରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଏବଂ ଇଣ୍ଡୋନେସିଆରେ ଆୟୋଜିତ ବିଶ୍ବ ଚମ୍ପିଆନସିପ୍ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ବିଶ୍ବସ୍ତରରେ ଆୟେରାଙ୍କ କ୍ରମାଗତ ସଫଳତା ବଳରେ ସେ ଗତ ବର୍ଷ ରାଜ୍ୟ ପୁରସ୍କାର ପାଇଁ ତାଲିକାଭୁକ୍ତ ହୋଇଥିଲା । ରାଜ୍ୟ ପୁରସ୍କାର ଭଳି ସମ୍ମାନ ପାଇବାରେ ରାଜ୍ୟର ପ୍ରଥମ ମହିଳା ଉସୁ ଆଥଲେଟ୍ ଭାବରେ ଏକ ଐତିହାସିକ ସ୍ବୀକୃତି ଲାଭ କରିଥିଲେ ଆୟେରା ।
ଏହା ମଧ୍ୟ ପଢ଼ନ୍ତୁ...ପାରା ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନସିପରେ ପ୍ରମୋଦଙ୍କୁ ସ୍ବର୍ଣ୍ଣ