ହାଇଦ୍ରାବାଦ :ଅଲ୍ଟିମେଟ୍ ଟେବୁଲ୍ ଟେନିସ୍ (UTT) 2024 ଆରମ୍ଭ ହେବାକୁ ଯାଉଛି । ଏହାର କେବଳ କିଛିଦିନ ପୂର୍ବରୁ ଜୟପୁର ପାଟ୍ରିୟଟସ୍ ଦଳକୁ ଏକ ବଡ଼ ଝଟ୍କା ଲାଗିଛି । ଆଘାତ କାରଣରୁ ଶ୍ରୀଜା ଅକୁଲା ଆଗାମୀ ଅଲ୍ଟିମେଟ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ସେ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଦଳର ଅଂଶ ଥିଲେ । ତେବେ ସେଠାରୁ ଫେରିବା ପରେ ଶ୍ରୀଜା UTTରେ ଜୟପୁର ପାଟ୍ରିୟଟସ୍ ଦଳକୁ ପ୍ରତିନିଧିତ୍ବ କରିଥାନ୍ତେ ।
UTT 2024ରୁ ବାଦ ପଡ଼ିଲେ ଶ୍ରୀଜା ଅକୁଲା :-
ଅକୁଲା ଏକ ବିବୃତ୍ତିରେ କହିଛନ୍ତି, "ମୁଁ ଦୁଃଖର ସହ ଜଣାଉଛି ଯେ ମୋର ଷ୍ଟ୍ରେସ ଫ୍ୟାକ୍ଚର ହୋଇଛି ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ମୋତେ 6 ସପ୍ତାହ ପର୍ଯ୍ୟନତ ବିଶ୍ରାମ କରିବାକୁ ପଡିବ । ଅର୍ଥାତ ମୁଁ UTT 2024ରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ସମର୍ଥ ହେବି ନାହିଁ ।
ଶ୍ରୀଜାଙ୍କ ସ୍ଥାନ ନେବେ ନିତ୍ୟାଶ୍ରୀ ମଣି :-
ପ୍ଲେୟାର ଡ୍ରାଫ୍ଟରେ ଶ୍ରୀଜା ଅକୁଲାଙ୍କୁ ଜୟପୁର ପାଟ୍ରିୟଟସ୍ ପ୍ରଥମ ପସନ୍ଦ ଭାବରେ ଚୟନ କରିଥିଲେ । ବର୍ତ୍ତମାନ ସେ ଟୁର୍ଣ୍ଣାମେଣ୍ଟରୁ ବାହାରିବା ପରେ ତାଙ୍କ ସ୍ଥାନରେ ଅଣ୍ଡର-19 ୟୁଥ୍ ନ୍ୟାସନାଲ ଚମ୍ପିଆନ୍ ତଥା UTT ଡେବ୍ୟୁଟାଣ୍ଟ ନିତ୍ୟାଶ୍ରୀ ମଣି ଖେଳିବେ । UTT ଏହାର 'X' ଆକାଉଣ୍ଟ୍ ମାଧ୍ୟମରେ ଏହି ସୂଚନା ଦେଇଛି ।