ଓଡିଶା

odisha

ETV Bharat / sports

ପାକିସ୍ତାନକୁ ଘରେ ପଶି ଧୂଳି ଚଟାଇଲା ଇଂଲଣ୍ଡ; 3 ବ୍ୟାଟର ଶତକ କରି ବି ହାରିଲା ପାକ୍‌ ଦଳ, ମଉଳିଲା WTC ଆଶା !

Pakistan vs England Test : ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ଧୂଳି ଚାଟିଲା ପାକିସ୍ତାନ । ଏକାଧିକ ଖରାପ ରେକର୍ଡ ସହ ଭାଙ୍ଗିଲା WTC ଆଶା । ଅଧିକ ପଢ଼ନ୍ତୁ

By ETV Bharat Sports Team

Published : 5 hours ago

Pakistan vs England Test
Pakistan vs England Test (AP)

ମୁଲତାନ (ପାକିସ୍ତାନ) : ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ଶୋଚନୀୟ ପରାଜୟ ବରଣ କରିଛି । ଏହି ବିଜୟ ସହିତ ଇଂଲଣ୍ଡ ବିଶ୍ବ ରେକର୍ଡ ସୃଷ୍ଟି କରିଛି । ଏଥି ସହିତ ପାକିସ୍ତାନ ନାମରେ ମଧ୍ୟ ଏକାଧିକ ଖରାପ ରେକର୍ଡ ଯୋଡି ହୋଇଛି । ପ୍ରଥମ ଇନିଂସରେ 500ରୁ ଅଧିକ ରନ ସ୍କୋର କରିବା ପରେ ମଧ୍ୟ ଗୋଟିଏ ଇନିଂସ ବାକିଥାଇ ହାରିବାର ଅନାବଶ୍ୟକ ରେକର୍ଡ କରିଛି ପାକିସ୍ତାନ ।

ପାକିସ୍ତାନର ଏକାଧିକ ଅନାବଶ୍ୟକ ରେକର୍ଡ :-

ପ୍ରଥମ ଇନିଂସରେ 500ରୁ ଅଧିକ ରନ୍ ସ୍କୋର କରି ମଧ୍ୟ ହାରିଥିବା ପ୍ରଥମ କ୍ରିକେଟ ଦଳ ହୋଇଛି ପାକିସ୍ତାନ । ଟେଷ୍ଟ କ୍ରିକେଟରେ ପାକିସ୍ତାନର ଖରାପ ସ୍ଥିତି ଜାରି ରହିଛି । ଟେଷ୍ଟ କ୍ରିକେଟରେ ଏହା ପାକିସ୍ତାନର କ୍ରମାଗତ ଷଷ୍ଠ ପରାଜୟ । କେବଳ ଏତିକି ନୁହେଁ, ଗତ 9 ଟେଷ୍ଟ ମ୍ୟାଚରେ ଏହା ହେଉଛି ସେମାନଙ୍କର ସପ୍ତମ ପରାଜୟ ।

ଇଂଲଣ୍ଡ ବୋଲରଙ୍କ ଘାତକ ଆକ୍ରମଣର ସାମ୍ନା କରିନପାରି ପାକିସ୍ତାନ କେବଳ 220 ରନରେ ଦ୍ବିତୀୟ ପାଳିରେ ସମସ୍ତ ୱିକେଟ ହରାଇଥିଲା । ଏହି ମ୍ୟାଚ୍‌କୁ ଇଂଲଣ୍ଡ ଗୋଟିଏ ଇନିଂସ ଏବଂ 47 ରନରେ ଜିତି ନେଇଛି । ସୂଚନାଯୋଗ୍ୟ, ପରବଳ ଜ୍ୱର ଯୋଗୁଁ ଗୁରୁବାର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସ୍ପିନର ଅବରାର ଅହମ୍ମଦ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିନଥିଲେ ।

ପାକିସ୍ତାନ ପ୍ରଥମ ପାଳି :-

ପ୍ରଥମ ଇନିଂସରେ ପାକିସ୍ତାନ ବ୍ୟାଟର ଚମତ୍କାର ବ୍ୟାଟିଂ କରିଥିଲେ । ଶାନ ମାସୁଦ, ଅବଦୁଲ୍ଲା ଶେଫିକ୍ ଏବଂ ସଲମାନ ଆଘାଙ୍କ ଶତକ ବଳରେ ପ୍ରଥମ ପାଳିରେ ପାକିସ୍ତାନ 556 ରନ୍ ସ୍କୋର କରିଥିଲା । ଏହି ତିନି ବ୍ୟାଟରଙ୍କ ଶତକୀୟ ପାଳି ବ୍ୟତୀତ ସାଉଦ ଶକିଲ ପାକିସ୍ତାନ ପାଇଁ 82 ରନର ପାଳି ଖେଳିଥିଲେ ।

ଇଂଲଣ୍ଡ ପ୍ରଥମ ପାଳି :-

ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଆସି ଇଂଲଣ୍ଡ ବ୍ୟାଟରମାନେ ପାକିସ୍ତାନୀ ବୋଲରଙ୍କୁ ପ୍ରବଳ ଧୂଲେଇ କରିଥିଲେ । ବିଶେଷ କରି ଇଂଲଣ୍ଡ ପାଇଁ ଜୋ ରୁଟ୍ ଏକ ଦ୍ବିଶତକ (262) ଏବଂ ହ୍ୟାରି ବ୍ରୁକ୍ ଏକ ତ୍ରିଶତକୀୟ (317) ପାଳି ଖେଳିଥିଲେ । ଏହି ଦୁଇ ବ୍ୟାଟରଙ୍କ ବ୍ୟତୀତ ବେନ୍ ଡକେଟ୍ 87 ରନ୍ ଏବଂ ଜ୍ୟାକ୍ କ୍ରାଉଲି 72 ରନ୍‌ର ପାଳି ଖେଳିଥିଲେ । ତେବେ ପାକିସ୍ତାନର ବୋଲରମାନେ ଇଂଲଣ୍ଡକୁ ଅଲ୍‌ଆଉଟ୍‌ କରିବାରେ ବିଫଳ ରହିଥିଲେ ଏବଂ 7 ୱିକେଟ ହରାଇ 823 ରନ କରିବା ପରେ 267 ରନର ଅଗ୍ରଣୀ ନେଇ ଇଂଲଣ୍ଡ ନିଜର ଇନିଂସ ଘୋଷଣା କରିଥିଲା ।

ପାକିସ୍ତାନର ଦ୍ବିତୀୟ ପାଳି :-

ପ୍ରଥମ ପାଳିରେ ଇଂଲଣ୍ଡ 267 ରନ୍‌ ଲିଡ୍‌ ନେବାପରେ ପାକିସ୍ତାନର ଜିତିବା ରାସ୍ତା ପ୍ରାୟ ବନ୍ଦ ହୋଇଯାଇଥିଲା । ଘରୋଇ ଦଳ ଦ୍ବିତୀୟ ଇନିଂସରେ ଇଂଲଣ୍ଡ ବୋଲରଙ୍କ ଆଗରେ ଛିଡ଼ା ହୋଇପାରିନଥିଲେ । ପ୍ରଥମ ଇନିଂସରେ ଚମତ୍କାର ପ୍ରଦର୍ଶନ କରିଥିବା ବ୍ୟାଟରମାନେ ଦ୍ବିତୀୟ ଇନିଂସରେ ଅସହାୟ ଦେଖାଯାଉଥିଲେ । ଦ୍ବିତୀୟ ଇନିଂସରେ ଆମୀର ଜମାଲ 55 ସଲମାନ ଆଘା 63 ରନ ସ୍କୋର କରିଥିଲେ ଏବଂ 220 ରନରେ ସମସ୍ତ ୱିକେଟ ହରାଇଥିଲା ଦଳ ।

WTC ଆଶା ଧୂଳିସାତ ! :-

ଘରୋଇ ମାଟିରେ ଇଂଲଣ୍ଡଠାରୁ ଏଭଳି ଶୋଚନୀୟ ଭାବେ ହାରିବା ପରେ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ (WTC) ପଏଣ୍ଟ ଟେବୁଲରେ ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଖରାପ । ଦଳ ଏହି ଟେବୁଲର ସମ୍ପୂର୍ଣ୍ଣ ତଳ ସ୍ଥାନକୁ ଚାଲିଯାଇଛି । ଭାରତ PCT 74.24 ସହ ପ୍ରଥମ ସ୍ଥାନରେ ରହିଥିବାବେଳେ PCT 62.50 ସହ ଦ୍ବିତୀୟରେ ଅଷ୍ଟ୍ରେଲିଆ ରହିଛି । ସେହିଭଳି କେବଳ 16.67 PCT ସହ 9ମ ସ୍ଥାନରେ ରହିଛି ପାକିସ୍ତାନ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details