ଓଡିଶା

odisha

ବାଂଲାଦେଶ ବିପକ୍ଷ ଟେଷ୍ଟରେ ଫେରିବେ ସର୍ଫରାଜ ଖାନ ! ଫିଟନେସ୍‌ ପାଇଁ ପ୍ରତିଦିନ ବୁହାଉଛନ୍ତି ଝାଳ - Sarfaraz Khan

By ETV Bharat Sports Team

Published : Aug 17, 2024, 5:01 PM IST

Sarfaraz Khan : ଚଳିତ ବର୍ଷ ଆରମ୍ଭରୁ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳରେ ଡେବ୍ୟୁ କରିଥିବା ସର୍ଫରାଜ ଖାନ ବାଂଲାଦେଶ ବିପକ୍ଷ ଟେଷ୍ଟରେ ଦଳକୁ ଫେରି ପାରନ୍ତି । ହେଲେ କୋହଲି ଓ କେଏଲ୍‌ ରାହୁଲ ଦଳକୁ ଫେରିବା ପରେ ଏବେ ତାଙ୍କର ପ୍ରଥମ ନଜର ଦୁଲୀପ ଟ୍ରଫି ଉପରେ ରହିଛି । ଅଧିକ ପଢ଼ନ୍ତୁ

Sarfaraz khan
Sarfaraz khan (ANI Photo)

ନୂଆଦିଲ୍ଲୀ : ଚଳିତ ବର୍ଷ ଆରମ୍ଭରୁ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳରେ ଡେବ୍ୟୁ କରିଥିବା ସର୍ଫରାଜ ଖାନ ନିଜ ଫିଟନେସ ଉପରେ କଠିନ ପରିଶ୍ରମ କରୁଛନ୍ତି । ଫେବୃଆରୀରେ ଇଂଲଣ୍ଡ ବିପକ୍ଷରେ ସର୍ଫରାଜ ଖାନ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିଲେ । ଏହି ଡେବ୍ୟୁ ଟେଷ୍ଟରେ ହିଁ ସେ 3ଟି ଅର୍ଦ୍ଧଶତକୀୟ ପାଳି ଖେଳି ଚହଳ ସୃଷ୍ଟି କରିଥିଲେ । ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବାର ସ୍ବପ୍ନ ପୂରଣ କରିବା ପରେ ସର୍ଫରାଜ ଖାନ୍ ତାଙ୍କ ଫିଟନେସରେ କାମ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସେବେଠାରୁ ସେ କଠିନ ଅଭ୍ୟାସ କରିଆସୁଛନ୍ତି ।

Sarfaraz khan (ANI Photo)

'ଏହା ବିଶ୍ରାମ କରିବାର ସମୟ ନୁହେଁ' :-

ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସର୍ଫରାଜ ଖାନ ବର୍ତ୍ତମାନ ବହୁତ ପରିବର୍ତ୍ତନ ହୋଇଛନ୍ତି । ସେ ଫେବୃଆରୀ-ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଅପେକ୍ଷା ଏବେ ବେଶୀ ଫିଟ୍‌ ଦେଖାଯାଉଛନ୍ତି ଏବଂ ଖରାରେ ଘଣ୍ଟା ଘଣ୍ଟା ଅଭ୍ୟାସ କରୁଛନ୍ତି । ଏହା ବିଶ୍ରାମ କରିବାର ସମୟ ନୁହେଁ ବୋଲି ସେ ବିଶ୍ବାସ କରନ୍ତି । ସର୍ଫରାଜ ଇଣ୍ଡିଆନ୍ ଏକ୍ସପ୍ରେସକୁ କହିଛନ୍ତି, "ମୋ ପାଇଁ ଅଫ୍ ସିଜନ୍ ଭଳି କିଛି ନାହିଁ । ମୁଁ ସକାଳ 4.15ରେ ଉଠେ ଏବଂ ସକାଳ 4.30ରୁ ଦୀର୍ଘ ଦୂରତା ଦୌଡ଼ିବାରୁ ମୋର ଦିନ ଆରମ୍ଭ ହୁଏ । ମୋର ଫିଟନେସରେ ଉନ୍ନତି ଆଣିବାରେ ଏହା ଅତ୍ୟନ୍ତ ସହାୟକ ହୋଇଥିଲା । କାରଣ ମାସ ଶେଷ ସୁଦ୍ଧା ମୁଁ 30-31 ମିନିଟରେ 5 କିଲୋମିଟର ଦୌଡିବାକୁ ସକ୍ଷମ ହୋଇଥିଲି । ଯଦି ମୁଁ ମୋର ସ୍ବପ୍ନକୁ ସାକାର କରିବାକୁ ଚାହୁଁଛି, ତେବେ ଏହା ମୋର ବିଶ୍ରାମ କରିବାର ସମୟ ନୁହେଁ ।"

Sarfaraz khan (ANI Photo)

'ବିଳମ୍ବରେ ଡେବ୍ୟୁ କରିଥିବାରୁ ଭାଗ୍ୟଶାଳୀ' :-

ସର୍ଫରାଜ ଆହୁରି କହିଛନ୍ତି ଯେ, ଇଂଲଣ୍ଡ ସିରିଜ୍ ସମୟରେ ଭାରତୀୟ ଦଳ ପରିଚାଳନା କମିଟି ତାଙ୍କ ଫିଟ୍‌ନେସରେ ଉନ୍ନତି ଆଣିବାକୁ ତାଙ୍କ ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ସେ ଏହି ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରୁଛନ୍ତି । ବହୁତ ବିଳମ୍ବରେ ଡେବ୍ୟୁ କରିବା ବିଷୟରେ ସେ କହିଛନ୍ତି, "କିଛି ଲୋକ ନିଜ କ୍ୟାରିୟରରେ ଖୁବ୍ ଶୀଘ୍ର ସୁଯୋଗ ପାଆନ୍ତି ଏବଂ କିଛି ଲୋକଙ୍କୁ ଅପେକ୍ଷା କରିବାକୁ ପଡେ । ମୋ କ୍ଷେତ୍ରରେ, ମୁଁ ଭାଗ୍ୟଶାଳୀ ଯେ ମୋତେ ଡେବ୍ୟୁ କରିବାକୁ ବିଳମ୍ବ ହେଲା, କାରଣ ଏହା ଫଳରେ ମୋତେ ଘରୋଇ କ୍ରିକେଟରେ ବହୁତ ସମୟ ଅତିବାହିତ କରିବାକୁ ପଡିଲା ଏବଂ କଠିନ ପରିଶ୍ରମ ମୋତେ ଜଣେ ଭଲ ବ୍ୟାଟର ହେବାକୁ ସାହାଯ୍ୟ କଲା । ଯେତେବେଳେ ମୁଁ ଡେବ୍ୟୁ କରିଥିଲି, ମୁଁ ପ୍ରଥମ ତିନୋଟି ବଲରେ ନର୍ଭସ ଥିଲି । କିନ୍ତୁ ଏହା ପରେ ମୁଁ ନିୟନ୍ତ୍ରଣରେ ଥିଲି ।" ସର୍ଫରାଜ ବାଂଲାଦେଶ ବିପକ୍ଷ ସିରିଜ୍‌ ଉପରେ ନଜର ରଖି ନାହାଁନ୍ତି । ବିରାଟ କୋହଲି ଏବଂ କେଏଲ୍ ରାହୁଲ ଟେଷ୍ଟ ଦଳରେ ଯୋଗଦେବା ସହିତ ସର୍ଫରାଜ ଜାଣନ୍ତି ଯେ ଦୁଲୀପ୍ ଟ୍ରଫିରେ ରନ୍ ସ୍କୋର କରିବା ହିଁ ତାଙ୍କ ପାଇଁ 5 ନଂ କିମ୍ବା 6 ନଂ ସ୍ଥାନକୁ ରାସ୍ତା ଫିଟାଇପାରେ ।

ବ୍ୟୁରୋ ରିପପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details