ପୁରୀ: ଆସନ୍ତା ୮ରୁ ୧୦ ତାରିଖ ଯାଏଁ ଭୁବନେଶ୍ବରରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ଏହି କାର୍ଯ୍ୟକ୍ରମରେ ସାରା ବିଶ୍ବରୁ ପ୍ରବାସୀ ଭାରତୀୟମାନେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଓଡ଼ିଶା ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଏହି ଅବସରରେ ପ୍ରବାସୀ ଭାରତୀୟମାନେ ପୁରୀର ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ କୋଣାର୍କ, ରାମଚଣ୍ଡୀ, ସାତପଡ଼ା, ଐତିହ୍ୟ ଗ୍ରାମ ରଘୁରାଜପୁର ଏବଂ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିବେ । ତେବେ ପୁରୀକୁ ପ୍ରବାସୀ ଭାରତୀୟମାନେ ଆସୁଥିବାରୁ ସେମାନଙ୍କୁ ଭଲ ଅତିଥି ସେବା ଯୋଗାଇଦେବାକୁ ପୁରୀ ଜିଲ୍ଲା ପ୍ରଶାସନ ଓ ହୋଟେଲ ଆସୋସିଏସନ ମିଳିତ ଭାବରେ ଏବେ ପ୍ରସ୍ତୁତି କରିଛନ୍ତି । ପୁରୀରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
'ପ୍ରବାସୀ ଭାରତୀୟଙ୍କୁ ଉତ୍ତମ ଆତିଥ୍ୟ ପ୍ରଦାନ କରାଯିବ':
"ପ୍ରବାସୀ ଭାରତୀୟ ଦିବସ ଆଗାମୀ ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ରହିଛି । ଏ ବିଷୟରେ ପ୍ରଶାସନ ସହ ଆମର ଆଲୋଚନା ହୋଇଛି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଓଡ଼ିଶାକୁ ଏକ ଉପହାର । ଓଡ଼ିଶା ପାଇଁ ଏକ ଗୌରବ କଥା । ପ୍ରବାସୀ ଭାରତୀୟମାନେ ଆସିଲେ ଆମର ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଘଟିବ । ଏହାଦ୍ବାରା ଆଗାମୀ ଦିନରେ ବିଦେଶରୁ ବହୁତ୍ ପର୍ଯ୍ୟଟକ ଆମ ପାଖକୁ ଆସିବେ । ପୁରୀରେ ସବୁ ହୋଟେଲକୁ ଅନୁରୋଧ କରିଛୁ ଯେ, ବିଦେଶରେ ରହୁଥିବା ଭାରତୀୟମାନେ ପୁରୀ ସହରର ବିଭିନ୍ନ ନାମିଦାମୀ ହୋଟେଲରେ ରହିବାକୁ ଥିବାରୁ ହୋଟେଲ ଗୁଡ଼ିକୁ ରଙ୍ଗୀନ୍ ଆଲୋକମାଳାରେ ସଜାଯିବ । ଏହାସହ ପରିଷ୍କାର ପରିଚ୍ଛନ୍ନ ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବେ । ସେହିପରି ପ୍ରବାସୀ ଭାରତୀୟମାନେ ଯେଭଳି ଓଡିଆ ପାରମ୍ପରିକ ଖାଦ୍ୟର ମଜା ନେଇପାରିବେ ସେଥିପାଇଁ ପୁରୀର ନାମିଦାମୀ ହୋଟେଲ ଗୁଡ଼ିକରେ ଓଡିଶାର ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ପ୍ରବାସୀ ଭାରତୀୟଙ୍କୁ ଦିଆଯିବ । ପାରମ୍ପରିକ ଢଙ୍ଗରେ ପ୍ରବାସୀଙ୍କୁ ହୋଟେଲ ଗୁଡିକରେ ସ୍ବାଗତ କରାଯିବ ।" ବୋଲି କହିଛନ୍ତି ପୁରୀ ହୋଟେଲ୍ ଆସୋସିଏସନର ଉପସଭାପତି ରାଜ କିଶୋର ପାତ୍ର ।
'ପ୍ରବାସୀ ଭାରତୀୟଙ୍କ ଆଗମନ, ପର୍ଯ୍ୟଟନ ଶିଳ୍ପର ହେବ ଅଭିବୃଦ୍ଧି':
ପୁରୀ ହୋଟେଲ ଆସୋସିଏସନ ସଭାପତି ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, "ପ୍ରବାସୀ ଭାରତୀୟମାନେ କିଭଳି ଭଲ ଆଥିତ୍ୟ ପାଇବେ ତାହା ଆମେ ଗୁରୁତ୍ଵ ଦେଉଛୁ । ଏନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ପ୍ରବାସୀମାନେ ଭଲ ଆଥିତ୍ୟ ପାଇଲେ ପୁରୀରୁ ଏକ ଭଲ ବାର୍ତ୍ତା ଯିବ । ଆଗାମୀ ଦିନରେ ଆହୁରି ଅନେକ ପ୍ରବାସୀ ପୁରୀକୁ ଆସିବେ । ଏହାଦ୍ବାରା ପର୍ଯ୍ୟଟନ ଶିଳ୍ପ ଲାଭବାନ ହେବ ।
ଏହା ମଧ୍ୟ ପଢ଼ନ୍ତୁ...ପହଞ୍ଚିଲା ଡବଲ-ଡେକର ବସ, ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହେଲାଣି ରାଜଧାନୀ ଏହା ମଧ୍ୟ ପଢ଼ନ୍ତୁ...‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ |
ପ୍ରବାସୀଙ୍କ ଆଗମନକୁ ନେଇ ଉତ୍ସାହିତ ହୋଟେଲିୟର :
ପୁରୀକୁ ପ୍ରବାସୀ ଭାରତୀୟମାନଙ୍କ ଆଗମନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ହୋଟେଲିୟର । ପ୍ରବାସୀ ଭାରତୀୟଙ୍କ ଆଗମନ ଫଳରେ ଓଡ଼ିଶା ଏବଂ ପୁରୀର ପର୍ଯ୍ୟଟନ ଶିଳ୍ପ ସାରା ବିଶ୍ବରେ ଆହୁରି ବ୍ୟାପକ ପ୍ରଚାର ପ୍ରସାର ହେବ । ଏହାଦ୍ବାରା ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଏବଂ ପୁରୀ ଆସିବା ଫଳରେ ପର୍ଯ୍ୟଟନ ଶିଳ୍ପ ସମୃଦ୍ଧ ହେବା ସହିତ ସ୍ଥାନୀୟ ଲୋକଙ୍କର ଜୀବନଜୀବିକା ସହ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିବ । ତେଣୁ ପୁରୀରେ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୁରୀ ହୋଟେଲ ଆସୋସିଏସନ୍ ସମସ୍ତେ ଏବେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ।
ଇଟିଭି ଭାରତ, ପୁରୀ