ଓଡିଶା

odisha

By ETV Bharat Sports Team

Published : Aug 18, 2024, 2:55 PM IST

ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରେ 16 ବର୍ଷ: କୋହଲିଙ୍କ ଉତ୍ସାହ ଅତୁଳନୀୟ କହିଲେ ରୋହିତ; ଗମ୍ଭୀର ବି ଦେଲେ ସ୍ବତନ୍ତ୍ର ଶୁଭେଚ୍ଛା ବାର୍ତ୍ତା - Virat Kohli

Rohit Sharma and Gautam Gambhir on Virat Kohli: ଆଜିକୁ ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲିଙ୍କର ପୂରଣ ହୋଇଛି 16 ବର୍ଷ । 2008 ମସିହା ଆଜିର ଦିନରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ କୋହଲି । ଏହି ବିଶେଷ ଦିନରେ କୋହଲିଙ୍କୁ ବିଶେଷ କଥା କହି ଶୁଭେଚ୍ଛା ଜଣାଇଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ପ୍ରଶିକ୍ଷକ ଗୌତମ ଗମ୍ଭୀର । ଅଧିକ ପଢ଼ନ୍ତୁ

Rohit Sharma and Gautam Gambhir on Virat Kohli
Rohit Sharma and Gautam Gambhir on Virat Kohli (IANS Photos)

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲି ଆଜିର ଦିନରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । 18 ଅଗଷ୍ଟ 2008ରେ ସେ ଭାରତୀୟ ଜର୍ସିରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ । ଆଜି ତାଙ୍କର ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର 16 ବର୍ଷ ପୂରଣ ହୋଇଛି । ଏହି ଅବସରରେ କିଙ୍ଗ କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ ଗୌତମ ଗମ୍ଭୀର । ଷ୍ଟାର୍ ସ୍ପୋର୍ଟସ୍ ଉଭୟଙ୍କର ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଉଭୟ ବିରାଟ କୋହଲିଙ୍କ ବିଷୟରେ ବଡ଼ କଥା କହୁଥିବା ଦେଖିବାକୁ ମିଳିଛି ।

କ୍ରିକେଟରେ କୋହଲିଙ୍କ ଭୋକ ଏବଂ ଉତ୍ସାହର କୌଣସି ତୁଳନା ନାହିଁ :- ରୋହିତ ଶର୍ମା

ଷ୍ଟାର୍ ସ୍ପୋର୍ଟସ୍ ସେୟାର କରିଥିବା ଭିଡିଓରେ ରୋହିତ କହିଛନ୍ତି, "ଆମେ ସମସ୍ତେ ଜାଣୁ, ତାଙ୍କର (କୋହଲିଙ୍କର) କ୍ରିକେଟ ପାଇଁ ଭୋକ ଏବଂ ଉତ୍ସାହ ଅତୁଳନୀୟ । ଆପଣ ଦେଖିଥିବେ, ସେ ପ୍ରତ୍ୟେକ ଥର ଭିନ୍ନ ଶକ୍ତିର ସହ ଆସନ୍ତି ଏବଂ ଦଳ ପାଇଁ ଭଲ ପ୍ରଦର୍ଶନ କରନ୍ତି । ସେ ଅଭିଜ୍ଞ, ସେ ଭାରତ ପାଇଁ ଅନେକ ମ୍ୟାଚ୍ ଖେଳିଛନ୍ତି । ଏହା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ ଯେ ଆପଣ ପଡ଼ିଆକୁ ଯାଇ ଯାହା ଚାହିଁବେ କରିଦେବେ । ଏହା କେବଳ ଆପଣଙ୍କ ଅଭିଜ୍ଞତା, ସଂଘର୍ଷ ଏବଂ ଆପଣ ଦେଖିଥିବା କଠିନ ପରିସ୍ଥିତି ହିଁ ସମ୍ଭବ କରିଥାଏ । ସେ ଏଭଳି କରିବାରେ ପାରଙ୍ଗମ । ସେ ପ୍ରତ୍ୟେକ ଥର ନିଜ ଖେଳକୁ ଆହୁରି ଉଚ୍ଚସ୍ତରକୁ ଉଠାନ୍ତି । ମୁଁ ତାଙ୍କୁ ଭବିଷ୍ୟତ ପାଇଁ ଅଭିନନ୍ଦନ ଜଣାଉଛି ।"

ବିରାଟ ଜଣେ ମହାନ ଖେଳାଳି :- ଗମ୍ଭୀର

ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର କହିଛନ୍ତି, "ଯେତେବେଳେ ସେ (ବିରାଟ) ଶ୍ରୀଲଙ୍କାରେ ଡେବ୍ୟୁ କରିଥିଲେ ଏବଂ ତାଙ୍କର ପ୍ରଥମ ODI ଖେଳିଥିଲେ, ମୋର ମନେ ଅଛି ସେ ସେଦିନ ଶୀଘ୍ର ଆଉଟ୍‌ ହୋଇଯାଇଥିଲେ । କିନ୍ତୁ ସେ ଯେପରି ନେଟ୍‌ରେ ବ୍ୟାଟିଂ କରୁଥିଲେ, ସେଥିରୁ ଆମକୁ ଲାଗୁଥିଲା ଯେ ସେ ଏପରି ଜଣେ ଖେଳାଳି ଯିଏ ଦୀର୍ଘ ଦିନ ପର୍ଯ୍ୟନ୍ତ ଦେଶ ପାଇଁ ଖେଳି ପାରିବେ । ସେ ଯାହା କରୁଛନ୍ତି, ସେଥିରେ ଆଶ୍ଚର୍ଯ୍ୟଜନକ କିଛି ନାହିଁ । ସେ ଜଣେ ମହାନ ଖେଳାଳି । ନିଜ ଦଳକୁ ମ୍ୟାଚ୍ ଜିତାଇବା ପାଇଁ କିପରି ଲଢିବାକୁ ହେବ ସେ ଜାଣନ୍ତି । ଯେତେବେଳେ ସେ ପ୍ରଥମେ ଦଳରେ ଯୋଗ ଦେଇଥିଲେ, ସେ କିପରି ଭାବରେ ନିଜ ଦଳକୁ ମ୍ୟାଚ୍ ଜିତାଉଥିଲେ ତାହା ତାଙ୍କ କ୍ରିକେଟ୍ କ୍ୟାରିୟରର ସବୁଠାରୁ ବଡ ସକରାତ୍ମକ ବିଷୟ ଥିଲା ।"

ଏମିତି ରହିଛି କୋହଲିଙ୍କ 16 ବର୍ଷର କ୍ୟାରିୟର :-

ଭାରତ ପାଇଁ ଏପର୍ଯ୍ୟନ୍ତ 113 ଟେଷ୍ଟ ମ୍ୟାଚ୍‌ ଖେଳି ବିରାଟ 8848 ରନ୍ ସଂଗ୍ରହ କରିଛନ୍ତି । ଏହି ଲମ୍ବା ଫର୍ମାଟରେ ତାଙ୍କ ନାମରେ 29 ଶତକ ଏବଂ 30 ଅର୍ଦ୍ଧଶତକ ସାମିଲ ଅଛି । ତାଙ୍କର ODI କ୍ୟାରିୟର ବିଷୟରେ କହିବାକୁ ଗଲେ ସେ 295ଟି ଦିନିକିଆ ମ୍ୟାଚ୍‌ ଖେଳି 13,906 ରନ୍ ସ୍କୋର କରିଛନ୍ତି । ସେ ଏହି ଫର୍ମାଟରେ ସର୍ବାଧିକ 50 ଶତକ ହାସଲ କରିଛନ୍ତି । ସେହିଭଳି 125 ଟି20 ମ୍ୟାଚ୍‌ରେ ବିରାଟ 4188 ରନ୍‌ ସଂଗ୍ରହ କରିଛନ୍ତି । ତାଙ୍କ ନାମରେ T20ରେ ମାତ୍ର ଗୋଟିଏ ଶତକ ରହିଛି । ହେଲେ ଏହି ଫର୍ମାଟରେ ସେ ସର୍ବାଧିକ 38 ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ କିଙ୍ଗ କୋହଲି; ଦେଖନ୍ତୁ 16 ବର୍ଷରେ କୋହଲିଙ୍କ ବିରାଟ ରେକର୍ଡ - Virat Kohli

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details