ନୂଆଦିଲ୍ଲୀ : ପ୍ୟାରିସ ପାରାଲିମ୍ପିକ୍ସ 2024ରେ ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ମହିଳା ପାରା ସୁଟର ଅବନୀ ଲେଖରା । ପ୍ୟାରିସ ପାରାଲିମ୍ପିକ୍ସ 2024 ସୁଟିଂରେ ଭାରତ ପାଇଁ ଜିତିଛନ୍ତି ପ୍ରଥମ ସ୍ୱର୍ଣ୍ଣ ପଦକ । ଏହି ଇଭେଣ୍ଟରେ ଭାରତର ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିଛନ୍ତି । ମହିଳା 10 ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ SH1 ଇଭେଣ୍ଟରେ ଉଭୟ ଭାରତ ପାଇଁ ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହା ବ୍ୟତୀତ ଆଜି ଗୋଟିଏ ଦିନରେ ଭାରତକୁ 4ଟି ପଦକ ମିଳିଛି । ଏଥିରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ସହିତ ଦୁଇଟି ବ୍ରୋଞ୍ଜ ସାମିଲ ଅଛି ।
ଗୋଟିଏ ଇଭେଣ୍ଟରେ ଭାରତକୁ 2ଟି ପଦକ :-
ପ୍ୟାରିସ୍ ପାରାଲିମ୍ପିକ୍ସ 2024ର ଦ୍ବିତୀୟ ଦିନରେ ଅବନୀ ଲେଖରା 249.7 ପଏଣ୍ଟ ସହ ପାରାଲିମ୍ପିକ୍ସ ରେକର୍ଡ ସୃଷ୍ଟି କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଅନ୍ୟପଟେ ସମାନ ଇଭେଣ୍ଟରେ ମୋନା ଅଗ୍ରୱାଲ 228.7 ପଏଣ୍ଟ ସହ ତୃତୀୟ ସ୍ଥାନ ଅଧିକାର କରି ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ କୋରିଆର ଲି ୟୁନ୍ରି ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ସେ ନିଜ ଦେଶକୁ ରୌପ୍ୟ ପଦକ ନେବାରେ ସଫଳ ହୋଇଥିଲେ ।
ଇତିହାସ ରଚିଲେ ଅବନି :-
ପାରାଲିମ୍ପିକ୍ସରେ ଏହା ଅବନୀ ଲେଖରାଙ୍କର କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ତଥା ତାଙ୍କର ତୃତୀୟ ବ୍ୟକ୍ତିଗତ ପଦକ । ଏହାପୂର୍ବରୁ ସେ ଟୋକିଓ ପାରାଲିମ୍ପିକ୍ସ 2020ରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ଲଗାତାର ଦୁଇଟି ପାରାଲିମ୍ପିକ୍ସରେ ଭାରତ ପାଇଁ ଦୁଇଟି ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ।
ପାରାଲିମ୍ପିକ୍ସରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିବା ଏକମାତ୍ର ଭାରତୀୟ ହୋଇ ଅବନୀ ଇତିହାସ ସୃଷ୍ଟି କରିଛନ୍ତି । 2012ରେ ଏକ କାର ଦୁର୍ଘଟଣା ପରେ ଅବନୀ ଏକ ହ୍ୱିଲ ଚେୟାରକୁ ତାଙ୍କ ସାଥୀ କରିଛନ୍ତି । ତାଙ୍କର ସାହସ ଏବଂ ଶକ୍ତି ସହିତ ସେ 2015ରେ ଜୟପୁର ଶୁଟିଂ ରେଞ୍ଜରେ ପ୍ରଥମ ଥର ପାଇଁ ଖେଳିଥିଲେ ଏବଂ ଚମତ୍କାର ପ୍ରଦର୍ଶନ କରିଥିଲେ ।