ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସ 2024ରେ ପୁରୁଷ ହକିରେ ଗୋଲ୍ଡ ମେଡାଲ ଅଭିମୁଖେ ଅଗ୍ରସର ହେଉଛି ଟିମ୍ ଇଣ୍ଡିଆ । କ୍ବାର୍ଟର ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଗ୍ରେଟ ବ୍ରିଟେନକୁ ଶୁଟ୍ଆଉଟ୍ରେ ମାତ ଦେଇଛନ୍ତି ହରମନପ୍ରୀତ ବାହିନୀ । ଆଜି ସେମିଫାଇନାଲ୍ ଖେଳିବ ଭାରତୀୟ ଦଳ । ଟୋକିଓ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଟିମ୍ ଇଣ୍ଡିଆ ଆଜି ସେମିଫାଇନାଲ୍ ମ୍ୟାଚ୍ରେ ଜର୍ମାନୀକୁ ଭେଟିବ । ତେବେ ଏଥର ସ୍ବର୍ଣ୍ଣ ପଦକ ଜିତିବାକୁ ଭାରତ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ ।
କ୍ବାର୍ଟର ଫାଇନାଲ୍ରେ ଦମ ଦେଖାଇଲା ଇଣ୍ଡିଆ :-
ଗ୍ରେଟ୍ ବ୍ରିଟେନ ଓ ଟିମ୍ ଇଣ୍ଡିଆ ମଧ୍ୟରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମୁକାବିଲା ବେଶ ରୋମାଞ୍ଚକର ଥିଲା । ଉଭୟ ଦଳର ଜୋରଦାର ଆଟାକ ସତ୍ତ୍ବେ ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା । 16ତମ ମିନିଟରେ ଭାରତର ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସଙ୍କୁ ରେଡ କାର୍ଡ ଦେଖାଇ ମ୍ୟାଚ୍ରୁ ବ୍ୟାନ କରିବା ପରେ ଭାରତକୁ 11 ବଦଳରେ 10 ଖେଳାଳିଙ୍କ ସହ ପୁରା ମ୍ୟାଚ୍ ଖେଳିବାକୁ ପଡିଥିଲା । ଏହା ଭାରତୀୟ ଦଳକୁ ଅଧିକ ଆକ୍ରାମକ କରିଦେଇଥିଲା । ଏହାପରେ ଦଳ ଅଧିକ ଆକ୍ରମଣାତ୍ମକ ହୋଇ 22ତମ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା । ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ଏହି ସୁଯୋଗକୁ ହାତଛଡ଼ା କରିନଥିଲେ । ସେ ଏକ ଚମତ୍କାର ଗୋଲ ସ୍କୋର କରି ଭାରତକୁ ମ୍ୟାଚରେ 1-0ରେ ଅଗ୍ରଣୀ କରାଇଥିଲେ । ଏହାପରେ 27ତମ ମିନିଟରେ ବ୍ରିଟେନର ଲି ମୋର୍ଟନ୍ ଏକ ଚମତ୍କାର ଫିଲ୍ଡ ଗୋଲ୍ ସ୍କୋର କରି ଦଳକୁ 1-1 ରେ ବରାବର ସ୍ଥିତିକୁ ଆଣିଥିଲେ । ଏହାପରେ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ମ୍ୟାଚ୍ 1-1ରେ ବରାବର ରଖିଲା । ଶେଷରେ ଖେଳ ଶୁଟ୍ଆଉଟ୍ରେ ପହଞ୍ଚିଥିଲା । ଏଥିରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ପ୍ରତିପକ୍ଷକୁ 4-2ରେ ମାତ ଦେଇଥିଲେ ।
ସେମିଫାଇନାଲ୍ ଖେଳିବେନି ଓଡ଼ିଆ ପୁଅ ଅମିତ ରୋହିଦାସ :-
16ତମ ମିନିଟରେ ଭାରତର ଷ୍ଟାର ଡିଫେଣ୍ଡର ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ରେଡ କାର୍ଡ ଦେଖାଯାଇଥିଲା ଏବଂ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଲା । ଯେତେବେଳେ ଅମିତ ବିପଦପୂର୍ଣ୍ଣ ଭାବେ ବ୍ରିଟେନ ଖେଳାଳି ୱିଲିୟମ କାଲନାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ଏହି ସମୟରେ ଅମିତଙ୍କ ହକି ଷ୍ଟିକ କାଲନାନଙ୍କ ମୁଣ୍ଡରେ ପିଟି ହୋଇ ଯାଇଥିଲା । ଯଦିଓ ବଲ ରୋକିବାବେଳେ ଏସବୁ ଘଟିଥିଲା, ହେଲେ ଅମିତ ଜାଣଶୁଣି ଏପରି କରିଥିବା ହୃଦୟଙ୍ଗମ କରି ତାଙ୍କୁ ରେଫରୀ ରେଡକାର୍ଡ ଦେଖାଇ ମ୍ୟାଚ୍ରୁ ବ୍ୟାନ କରିଥିଲେ । ଏହାକୁ ଅମିତଙ୍କ ସମେତ ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂହ ମଧ୍ୟ ବିରୋଧ କରିଥିଲେ । ହେଲେ ରେଫରୀ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ । ଶେଷରେ ନିରାଶ ହୋଇ ରୋହିଦାସଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା । ଏପରିକି ସେ ଆଜି ସେମିଫାଇନାଲ୍ ମ୍ୟାଚ୍ ମଧ୍ୟ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି ।
ଅମ୍ପାୟାରଙ୍କ ବିବାଦୀୟ ନିଷ୍ପତ୍ତିକୁ ହକି ଇଣ୍ଡିଆର ବିରୋଧ :-
ଅମିତ ରୋହିଦାସଙ୍କୁ ରେର୍ଡ କାର୍ଡ ମିଳିବା ସମେତ ମ୍ୟାଚ୍ରେ ଅନେକ ନିଷ୍ପତ୍ତି ଉପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦକୁ ପାଲଟା ଅଭିଯୋଗ କରିଛି ହକି ଇଣ୍ଡିଆ । ଆପତ୍ତି ଉଠାଇ ହକି ଇଣ୍ଡିଆ କହିଛି ଯେ ଅମ୍ପାୟାରିଂ ନିଷ୍ପତ୍ତି ବିବାଦୀୟ । ଅମିତ ଜାଣିଶୁଣି ଏଭଳି କରିନାହାଁନ୍ତି ବୋଲି ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛି ହକି ଇଣ୍ଡିଆ ।
ସେମିଫାଇନାଲ୍ରେ ଜର୍ମାନୀକୁ ଭେଟିବ ଭାରତ :-
ପ୍ୟାରିସ ଅଲିମ୍ପିକ୍ସ 2024 ହକି ପ୍ରଥମ ସେମିଫାଇନାଲ ନେଦରଲାଣ୍ଡ ଓ ସ୍ପେନ ମଧ୍ୟରେ ଆଜି (ମଙ୍ଗଳବାର) ସନ୍ଧ୍ୟା 5:30 ସମୟରେ ଖେଳାଯିବ । ଏହାପରେ ଦ୍ବିତୀୟ ସେମିଫାଇନାଲରେ ଜର୍ମାନୀକୁ ଭେଟିବ ଟିମ୍ ଇଣ୍ଡିଆ ।