ଓଡିଶା

odisha

ପ୍ୟାରିସ ଅଲିମ୍ପିକ୍ସ: ଫେଲ ମାରିଲେ ଓଡ଼ିଆ ପୁଅ କିଶୋର ଜେନା; ଗୋଟିଏ ଥ୍ରୋ'ରେ ଫାଇନାଲରେ ପ୍ରବେଶ କଲେ ନୀରଜ ଚୋପ୍ରା - Paris Olympics 2024

By ETV Bharat Sports Team

Published : Aug 6, 2024, 4:05 PM IST

Updated : Aug 6, 2024, 4:44 PM IST

Paris Olympics 2024 Javelin Throw : ପ୍ୟାରିସ ଅଲିମ୍ପିକ୍ସ ଜାଭେଲିନ ଥ୍ରୋ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ପ୍ରଥମ ପ୍ରୟାସରେ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଛନ୍ତି ଦେଶର ସୁନା ପୁଅ ନୀରଜ ଚୋପ୍ରା । ଅନ୍ୟପଟେ ଓଡ଼ିଶା ପୁଅ କିଶୋର ଜେନା ନିଜ ପ୍ରଥମ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଫେଲ ମାରିଛନ୍ତି । ଅଧିକ ପଢ଼ନ୍ତୁ

Paris Olympics 2024 Javelin Throw
Paris Olympics 2024 Javelin Throw (AP and ANI Photos)

ପ୍ୟାରିସ (ଫ୍ରାନ୍ସ):ନିଜ କ୍ୟାରିୟରରପ୍ରଥମ ଅଲିମ୍ପିକ୍ସ ଖେଳିବାକୁ ଯାଇଥିବା ଓଡ଼ିଆ ପୁଅ କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟରେ ଫେଲ ମାରିଛନ୍ତି । ସେ ଯଥାସମ୍ଭବ ପ୍ରୟାସ ସତ୍ତ୍ବେ ସେ 80.73 ମିଟର ହିଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିଛନ୍ତି । ଫଳରେ ସେ ଯୋଗ୍ୟତା ପର୍ଯ୍ୟାୟରେ 9ମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ଭାରତର ସୁନା ପୁଅ ନୀରଜ ଚୋପ୍ରା ପ୍ରଥ ଥ୍ରୋ'ରେ ହିଁ କମାଲ କରିଛନ୍ତି । ସେ 89.35 ମିଟର ଦୂରକୁ ଜାଭେଲିନ ଫିଙ୍ଗି ସିଧାସଳଖ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି ।

Paris Olympics 2024 Javelin Throw (ETV Bharat Odisha)

ବେଷ୍ଟ ଦେଇପାରିଲେନି କିଶୋର :-

କିଶୋର ଜେନା ଆଜି ନିଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିନାହାନ୍ତି । ପ୍ରଥମ ପ୍ରୟାସରେ ସେ 80.73 ମିଟର ଦୂରକୁ ଜାଭେଲିନ ଫିଙ୍ଗିଥିଲେ । ଦୁର୍ଭାଗ୍ୟବଶତଃ ଦ୍ବିତୀୟ ପ୍ରଚେଷ୍ଟା ସେ ଫାଉଲ କରିଦେଇଥିଲେ । ଏହାପରେ ତୃତୀୟ ପ୍ରୟାସରେ ସେ 80.21 ଦୂରତାକୁ ବର୍ଚ୍ଛା ଫିଙ୍ଗି ପାରିଥିଲେ । ତେବେ ପ୍ରଥମ ପ୍ରୟାସରେ ସେ ଫିଙ୍ଗିଥିବା 80.73 ଆଜି ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିବାରୁ ଏହାକୁ ହିଁ ଗଣତିକୁ ନିଆଯାଇଥିଲା । ହେଲେ ସିଧାସଳଖ ଫଇନାଲ୍‌ରେ ପ୍ରବେଶ କରିବା ପାଇଁ ନିର୍ଦ୍ଧାରିତ ଦୂରତା ହେଉଛି 84 ମିଟର । ଯଦି କୌଣସି ଆଥଲେଟ୍‌ 3 ଥର ପ୍ରୟାସ ଭିତରେ 84 ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଦିଅନ୍ତି, ତେବେ ସେ ସିଧାସଳଖ ଫାଇନାଲକୁ ଉନ୍ନୀତ ହେବେ । ହେଲେ 2022 ଏସିଆନ ଗେମ୍ସରେ 87.54 ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଥିବା ଓଡ଼ିଆ ପୁଅ କିଶୋର ଜେନା ଆଜି ନିଜର ସର୍ବଶ୍ରେଷ୍ଠ ଦେବାରେ ବିଫଳ ହୋଇଥିଲେ । ଫଳରେ 80.73 ମିଟର ଶ୍ରେଷ୍ଠ ପ୍ରଦର୍ଶନ ସହ ସେ ଫାଇନାଲ ରେସ୍‌ରୁ ବାଦ ପଡ଼ିଛନ୍ତି ।

ଗୋଟିଏ ଥ୍ରୋ'ରେ ଫାଇନାଲ୍‌ରେ ନୀରଜ ଚୋପ୍ରା :-

ଅନ୍ୟପଟେ ଭାରତର ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଛନ୍ତି । ଭାରତର ସୁନା ପୁଅ ନୀରଜ ନିଜର ପ୍ରଥମ ଥ୍ରୋରେ ଯୋଗ୍ୟତା ମାର୍କ ଅତିକ୍ରମ କରି ଫାଇନାଲରେ ପ୍ରବେଶ କରିଛନ୍ତି । ନୀରଜ 89.34 ମିଟର ଦୂରକୁ ଜାଭେଲିନ ଫିଙ୍ଗି ନିଜର ଅଲିମ୍ପିକ୍ସ କ୍ୟାରିୟରର ଶ୍ରେଷ୍ଠ ଥ୍ରୋ କରିଛନ୍ତି । ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଭାରତର ସୁନା ପୁଅ ନୀରଜ ଚୋପ୍ରା ନିଜ ପ୍ରଥମ ପ୍ରୟାସରେ ହିଁ 89.34 ମିଟର ଦୂରକୁ ଚମତ୍କାର ଥ୍ରୋ କରିଥିଲେ । ଫଳସ୍ୱରୂପ, ସେ ସହଜରେ ଯୋଗ୍ୟତା ମାର୍କ ଅତିକ୍ରମ କରି କ୍ରମାଗତ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଟୋକିଓ 2020 ଚାମ୍ପିଅନ୍ ନୀରଜ ଚୋପ୍ରା ପ୍ୟାରିସ୍‌ରୁ ମଧ୍ୟ ସ୍ବର୍ଣ୍ଣ ଆଣିବେ ବୋଲି 140 କୋଟି ଭାରତୀୟ ଆଶା ରଖିଛନ୍ତି ।

ଅଲିମ୍ପିକ୍ସ କ୍ୟାରିୟରର ସର୍ବଶ୍ରେଷ୍ଠ, ସର୍ବକାଳିନ ରେକର୍ଡର ଦ୍ବିତୀୟ ଶ୍ରେଷ୍ଠ ଥ୍ରୋ :-

ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଗ୍ରୁପ୍-ବି ଯୋଗ୍ୟତା ପର୍ଯ୍ୟାୟରେ ନୀରଜ ଚୋପ୍ରା ନିଜ ପ୍ରଥମ ପ୍ରୟାସରେ 89.34 ମିଟର ଥ୍ରୋ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ତାଙ୍କର ଅଲିମ୍ପିକ୍ସ କ୍ୟାରିୟରର ଶ୍ରେଷ୍ଠ ଥ୍ରୋ ଏବଂ ସର୍ବକାଳିନ ଦ୍ୱିତୀୟ ଶ୍ରେଷ୍ଠ ଥ୍ରୋ ଥିଲା । ଏହା ବ୍ୟତୀତ ଏହି ଥ୍ରୋ 26 ବର୍ଷୀୟ କିଶୋର ଜେନାଙ୍କ ଯେକୌଣସି ଯୋଗ୍ୟତା ରାଉଣ୍ଡରେ ସର୍ବୋତ୍ତମ ଥ୍ରୋ ଥିଲା ।

ଅଲିମ୍ପିକ୍ସରେ ପାଦ ଦେଇଥିବାରୁ ଗର୍ବିତ କିଶୋରଙ୍କ ପରିବାର :-

କିଶୋର ଜେନାଙ୍କ ପରିବାରରେ କିନ୍ତୁ ସମସ୍ତେ ବେଶ ଗର୍ବିତ । ପୁଅ ଅଲିମ୍ପିକ୍ସରେ ପାଦ ଦେଇଥିବାରୁ ସମସ୍ତେ ବେଶ ଖୁସି । କିଶୋରଙ୍କ ସମ୍ପର୍କୀୟ ଭଉଣୀ ଇତିଶ୍ରୀ ସୁନ୍ଦରାୟ କହିଛନ୍ତି, "ଯେହେତୁ କିଶୋର ଯୋଗ୍ୟତା ଅର୍ଜନ କରିପାରିନାହିଁ, ଦୁଃଖ ଲାଗୁଛି । କିନ୍ତୁ ତାର ଲମ୍ବା ଭବିଷ୍ୟତ ପଡ଼ିଛି । ଏଥିରୁ ସେ ଶିଖବ ଏବଂ ଆଗକୁ ଆହୁରି ଅଧିକ ପରିଶ୍ରମ କରିବ । ହେଲେ ଆମ ପୁଅ ଅଲିମ୍ପିକ୍ସରେ ଖେଳିଥିବାରୁ ଏହା ଆମ ପାଇଁ ଗର୍ବର କଥା । ଆଗାମୀ ଦିନରେ ସେ କିପରି ଆହୁରି ଭଲ କରିବ, ସେଥିପାଇଁ ଆମେ ତାକୁ ପ୍ରେରଣା ଯୋଗାଇବୁ ।" ସେପଟେ କିଶୋରଙ୍କ ଦାଦା ସନ୍ୟାସୀ ଜେନା କହିଛନ୍ତି, "ଫଳାଫଳ ଯାହା ବି ହେଉ, ଅଲିମ୍ପିକ୍ସରେ ସେ ପାଦ ଦେଇଛି, ଏହା ଆମ ପାଇଁ ସବୁଠୁ ବଡ଼ ଗର୍ବର କଥା । ଖେଳରେ ସମସ୍ତେ ଚେଷ୍ଟା କରିବେ, ହାରିବା କିମ୍ବା ଜିତିବା ବଡ଼ କଥା ନୁହେଁ । ଆମର ଆଶା ସେ ଆଗକୁ ଆହୁରି ଭଲ କରିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 6, 2024, 4:44 PM IST

ABOUT THE AUTHOR

...view details