ପ୍ୟାରିସ (ଫ୍ରାନ୍ସ) :ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତର ଅଭିଯାନ ମାତ୍ର 6ଟି ପଦକ ସହିତ ଶେଷ ହୋଇଛି । ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାର ପଦକ ଜିତିବା ଲକ୍ଷ୍ୟରେ ଭାରତୀୟ ଦଳ ପ୍ୟାରିସ ଯାଇଥିଲା । ହେଲେ 6 ଜଣ ଆଥଲେଟ୍ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିବା ଏବଂ ଭିନେଶ ଫୋଗତଙ୍କ ଅଯୋଗ୍ୟତା ଯୋଗୁଁ ଭାରତକୁ ନିରାଶ ହେବାକୁ ପଡ଼ିଛି । ଅନ୍ୟପଟେ ଆମେରିକାକୁ ପଛରେ ପକାଇ ପ୍ୟାରିସ ଅଲିମ୍ପିକ୍ସର ପଦକ ଟେବୁଲରେ ଚୀନ୍ ଶୀର୍ଷ ସ୍ଥାନ ହାସଲ କରିଛି ।
ଆମେରିକାକୁ ପଛରେ ପକାଇଲା ଚୀନ :-
ପ୍ୟାରିସ ଅଲିମ୍ପିକ୍ସ 2024ରେ ଚୀନ୍ ମେଡାଲ ଟ୍ୟାଲିରେ ଆମେରିକାକୁ ପଛରେ ପକାଇଛି । ରବିବାର ଖେଳର ଅନ୍ତିମ ଦିନରେ 39ଟି ସ୍ବର୍ଣ୍ଣ, 27 ରୌପ୍ୟ ଏବଂ 24ଟି ବ୍ରୋଞ୍ଜ ପଦକ ସହିତ ତାଲିକାର ଶୀର୍ଷରେ ରହିଛି ଚୀନ । ଅନ୍ୟପଟେ ଆମେରିକା ମୋଟ 122 ପଦକ ଜିତିଥିଲ ମଧ୍ୟ ମେଡାଲ ଟ୍ଯାଲିରେ ଦ୍ବିତୀୟରେ ରହିଛି । ସେଥିମଧ୍ୟରେ 38ଟି ସ୍ବର୍ଣ୍ଣ, 42ଟି ରୌପ୍ୟ ଏବଂ 42ଟି ବ୍ରୋଞ୍ଜ ପଦକ ସାମିଲ ଅଛି । ଆମେରିକାର ମୋଟ ପଦକ ସଂଖ୍ୟା ଚୀନ୍ ତୁଳନାରେ ଅଧିକ । ମାତ୍ର ଗୋଟିଏ ସ୍ବର୍ଣ୍ଣ ପଦକ ପଛରେ ରହିଥିବାରୁ ଆମେରିକା ପଦକ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି ।
ଅଷ୍ଟ୍ରେଲିଆ-ଜାପାନ ବି ଦେଖାଇଲେ ଦବଦବା, ଟପ୍-5ରେ ଫ୍ରାନ୍ସ :-
ପ୍ୟାରିସ ଗେମ୍ସରେ ଅଷ୍ଟ୍ରେଲିଆ ମୋଟ 50 ପଦକ ଜିତିଛି । କଙ୍ଗାରୁ ଦେଶକୁ 18ଟି ସ୍ବର୍ଣ୍ଣ, 18ଟି ରୌପ୍ୟ ଏବଂ 14ଟି ବ୍ରୋଞ୍ଜ ପଦକ ଯାଇଛି । ଏହା ସହିତ ପଦକ ତାଲିକାରେ ତୃତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ଏଥି ସହିତ ଜାପାନ ପଦକ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । 18ଟି ସ୍ବର୍ଣ୍ଣ, 12ଟି ରୌପ୍ୟ ଏବଂ 13ଟି ବ୍ରୋଞ୍ଜ ସହିତ ମୋଟ 43 ପଦକ ହାସଲ କରିଛି ଜାପାନ । ସେହିଭଳି ଆୟୋଜକ ଫ୍ରାନ୍ସ ମଧ୍ୟ ଶୀର୍ଷ 5 ମଧ୍ୟରେ ସ୍ଥାନ ପାଇଛି । 16ଟି ସ୍ବର୍ଣ୍ଣ, 24 ରୌପ୍ୟ ଏବଂ 22ଟି ବ୍ରୋଞ୍ଜ ସହିତ ମୋଟ 62 ପଦକ ହାସଲ କରି ଫ୍ରାନ୍ସ ପଦକ ତାଲିକାରେ ଶୀର୍ଷ -5ରେ ସ୍ଥାନ ପାଇଛି । ଅନ୍ୟପଟେ 14ଟି ସ୍ବର୍ଣ୍ଣ, 22ଟି ରୌପ୍ୟ ଏବଂ 27ଟି ବ୍ରୋଞ୍ଜ ସହ ମୋଟ 63 ପଦକ ଜିତିବା ପରେ ମଧ୍ୟ ବ୍ରିଟେନ ଶୀର୍ଷ -5ରୁ ବାହାରି ଷଷ୍ଠ ସ୍ଥାନକୁ ଖସି ଆସିଛି ।