ହାଇଦ୍ରାବାଦ : ପ୍ୟାରିସ ଅଲିମ୍ପିକ୍ସ 2024ରେ ଦମଦାର ପ୍ରଦର୍ଶନ କରି ବ୍ରୋଞ୍ଜ ମେଡାଲ ହାସଲ କରିଛି ଭାରତୀୟ ହକି ଟିମ୍ । ବ୍ରୋଞ୍ଜ ମେଡାଲ ପାଇଁ ଖେଳାଯାଇଥିବା ମ୍ୟାଚ୍ରେ ଜର୍ମାନୀକୁ ହରାଇ ତୃତୀୟ ସ୍ଥାନ ହାସଲ କରିଥିଲେ ହରମନପ୍ରୀତ ସିଂହ ଆଣ୍ଡ କୋ । ଏହା ଭାରତୀୟ ହକି ଦଳର କ୍ରମାଗତ ଦ୍ବିତୀୟ ଅଲିମ୍ପିକ୍ ବ୍ରୋଞ୍ଜ ବିଜୟ । ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ବ୍ରୋଞ୍ଜ ହାସଲ କରିଥିଲା ଭାରତ । ହେଲେ କ୍ବାର୍ଟର ଫାଇନାଲ ମ୍ୟାଚ୍ରେ ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ରେଡକାର୍ଡ ଦେଖାଇଥିଲେ ରେଫରୀ । ଯାହା ଫଳରେ ତାଙ୍କୁ ସେମିଫାଇନାଲ ଖେଳିବାକୁ ଦିଆଯାଇନଥିଲା । ଭାରତୀୟ ହକି ଦଳ ଏହାର ଟପ୍ ଡିଫେଣ୍ଡରଙ୍କ ବିନା ସେମିଫାଇନାଲ୍ ମ୍ୟାଚ୍ ଖେଳି ହାରି ଯାଇଥିଲା । ଏବେ ଭାରତ ବ୍ରୋଞ୍ଜ ପଦକ ଜିତିବା ପରେ ସେହି ରେଡ କାର୍ଡ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ଅମିତ ରୋହିଦାସ । ବିପକ୍ଷ ଦଳର ଖେଳାଳିଙ୍କ ମୁହଁକୁ ଅତିମ ଷ୍ଟିକରେ କାହିଁକି ମାରିଲେ ? ରେଡକାର୍ଡ ମିଳିବା ପରେ ଡ୍ରେସିଂ ରୁମରେ ଅମିତଙ୍କ ପ୍ରତି ସାଥି ଖେଳାଳିଙ୍କ ବ୍ୟବହାର କିପରି ଥିଲା ? ଏସବୁର ଖୁଲାସା କରିଛନ୍ତି ଅମିତ ।
ଏମିତି ଅମିତଙ୍କୁ ମିଳିଥିଲା ରେଡକାର୍ଡ :-
କ୍ବାର୍ଟର ଫାଇନାଲ ମ୍ୟାଚ୍ରେ ଗ୍ରେଟ୍ ବ୍ରିଟେନ ସହ ମୁହାଁମୁହିଁ ହୋଇଥିଲା ଭାରତ । ଜୋରଦାର ଫାଇଟ୍ ପରେ ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା । ଏହାପରେ 18ତମ ମିନିଟରେ ଭାରତର ଷ୍ଟାର ଡିଫେଣ୍ଡର ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ରେଡ କାର୍ଡ ଦେଖାଯାଇଥିଲା ଏବଂ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଲା । ଯେତେବେଳେ ଅମିତ ବିପଦପୂର୍ଣ୍ଣ ଭାବେ ବ୍ରିଟେନ ଖେଳାଳି ୱିଲିୟମ କାଲନାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ଏହି ସମୟରେ ଅମିତଙ୍କ ହକି ଷ୍ଟିକ କାଲନାନଙ୍କ ମୁଣ୍ଡରେ ପିଟି ହୋଇ ଯାଇଥିଲା । ଯଦିଓ ବଲ ରୋକିବାବେଳେ ଏସବୁ ଘଟିଥିଲା, ହେଲେ ଅମିତ ଜାଣଶୁଣି ଏପରି କରିଥିବା ହୃଦୟଙ୍ଗମ କରି ତାଙ୍କୁ ରେଫରୀ ରେଡକାର୍ଡ ଦେଖାଇ ମ୍ୟାଚ୍ରୁ ବ୍ୟାନ କରିଥିଲେ । ଏହାକୁ ଅମିତଙ୍କ ସମେତ ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂହ ମଧ୍ୟ ବିରୋଧ କରିଥିଲେ । ହେଲେ ରେଫରୀ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ । ଶେଷରେ ନିରାଶ ହୋଇ ରୋହିଦାସଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା । କେବଳ ଏତିକି ନୁହେଁ, ଏହି ରେଡକାର୍ଡ ପାଇଁ ଅମିତଙ୍କୁ ସେମିଫାଇନାଲ ମ୍ୟାଚ୍ରୁ ମଧ୍ୟ ବ୍ୟାନ କରିଦିଆଯାଇଥିଲା ।
'ଜାଣିଶୁଣି ଷ୍ଟିକ୍ରେ ମାରିନଥିଲି, ସାରା ରାତି ଶୋଇପାରିନି' :-
ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ମେଡାଲ ଜିତିବା ପରେ ଇଣ୍ଡିଆ ହାଉସରେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମୟରେ ପିଟିଆଇକୁ ସାକ୍ଷାତକାର ଦେବା ଅବସରରେ ଅମିତ ତାଙ୍କୁ ରେଡ୍କାର୍ଡ ମିଳିବା କଥା ମନେ ପକାଇଥିଲେ । କ୍ବାର୍ଟର ଫାଇନାଲ୍ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ଅମିତଙ୍କୁ ରେଡକାର୍ଡ ମିଳିଥିବାରୁ ଶେଷ 42 ମିନିଟ ଦଳକୁ 11 ବଦଳରେ 10 ଜଣଙ୍କୁ ନେଇ ଖେଳିବାକୁ ପଡ଼ିଥିଲା । ଏନେଇ ଅମିତ କହିଛନ୍ତି, "ମୁଁ ଜାଣିଶୁଣି ପ୍ରତିପକ୍ଷ ଖେଳାଳିଙ୍କୁ ହକି ଷ୍ଟିକରେ ମାରି ନଥିଲି । କ୍ବାର୍ଟର ଫାଇନାଲ ମ୍ୟାଚ୍ରୁ ବ୍ୟାନ୍ ହେବାପରେ ସେମିଫାଇନାଲ ମ୍ୟାଚରୁ ବଞ୍ଚିତ ହୋଇଥିବାରୁ ମୁଁ ଦୁଃଖିତ । ଏହା ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଥିଲା । ପୁରା ଦେଶ ଏବଂ ମୋର ସାଥୀ ଖେଳାଳିମାନେ ମୋ ସହିତ ଥିଲେ । ମୁଁ ଜାଣିନି ଲୋକମାନେ ବାହାରେ କ’ଣ କହୁଛନ୍ତି, କିନ୍ତୁ ଜଣେ ଖେଳାଳୀ ଭାବରେ ମୁଁ ସେହି ସମୟ କିଭଳି ବିତାଇଛି, ମୁଁ ନିଜେ ଜାଣିଛି । ମୁଁ ସାରା ରାତି ଶୋଇପାରିନଥିଲି । ଉଦ୍ଦେଶ୍ୟମୂଳକ ଭାବେ ମୁଁ କାହାକୁ ମାରି ନଥିଲି । ରେଫରୀଙ୍କ ନିଷ୍ପତ୍ତି ଖେଳର ଏକ ଅଂଶ । ଜଣେ ଖେଳାଳି କମ ଥାଇ ମଧ୍ୟ କେବଳ 10 ଜଣ ଖେଳାଳି ଯେପରି ଖଳକୁ ଶୁଟଆଉଟ୍କୁ ନେଲେ ଏବଂ ମ୍ୟାଚ୍ ଜିତିଲେ, ସେଥିପାଇଁ ମୁଁ ଗର୍ବିତ । ଆମେ ସମସ୍ତଙ୍କୁ ଦେଖାଇଦେଲୁ ଯେ, ସଂଖ୍ୟା କମିଗଲେ ମଧ୍ୟ କିପରି ଲଢ଼ାଯାଏ ।"
'ବଦଳି ପାରିଥାନ୍ତା ପଦକର ରଙ୍ଗ' :-