Paris Olympics 2024 (Etv Bharat Odisha) ଭୁବନେଶ୍ୱର: ଜୁଲାଇ 26 ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ । ଏଥିରେ କିଟ୍ ଓ କିସ କଲେଜର 12 ଜଣ ଖେଳାଳି ସାମିଲ ହେବାର ଯୋଗ୍ୟତା ଅର୍ଜନ କରିଛନ୍ତି । କୌଣସି ଶିକ୍ଷାନୁଷ୍ଠାନରୁ ଅଲିମ୍ପିକ୍ସରେ ଏତେ ସଂଖ୍ୟକ ଖେଳାଳି ଯୋଗଦେବା କ୍ଷେତ୍ରରେ କିଟ୍ ହେଉଛି ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ। ଏନେଇ ସମସ୍ତ ଖେଳାଳିଙ୍କୁ 7 ଲକ୍ଷ ଲେଖାଁଏ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।
ଗତକାଲି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ୟାରିସ ଅଲିମ୍ପିକ୍ସର ସମସ୍ତ ଖେଳାଳି ଭର୍ଚ୍ଚୁଆଲରେ ଯୋଡି ହୋଇଥିଲେ । ଏହି ସମୟରେ ଅଚ୍ୟୁତ ସାମନ୍ତ ଖେଳାଳିଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିବା ସହ ଶୁଭେଚ୍ଛା ଜଣାଇ ସଫଳତା କାମନା କରିଥିଲେ । ଖେଳାଳିଙ୍କ ଉଦ୍ଦେଶ୍ୟରେ ଅଚ୍ୟୁତ ସାମନ୍ତ କହିଛନ୍ତି ଯେ, କଠିନ ପରିଶ୍ରମ ଓ ତ୍ୟାଗ ପାଇଁ ତୁମେ ମାନେ ଦେଶ ପାଇଁ ଗୌରବ ଆଣିବ ବୋଲି ଆମର ଦୃଢ଼ ବିଶ୍ୱାସ।
ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସ ଇତିହାସରେ ଅଜବ-ଗଜବ କ୍ରୀଡା; ସ୍ୱିମିଂ ହଡଲ୍ସ, ଘୋଡା ଉପରେ ଡ୍ୟାନ୍ସ... - Paris Olympic 2024
ସୂଚନା ଅନୁଯାୟୀ, ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ କିଟ୍ରୁ ସାମିଲ ହେବାକୁ ଥିବା ଖେଳାଳିମାନେ ହେଲେ ହକିରେ ଅମିତ ରୋହିଦାସ, ଜାଭେଲିନ୍ ଥ୍ରୋରେ କିଶୋର କୁମାର ଓ ଅନ୍ନୁ ରାଣୀ । ସଟ୍ପୁଟ୍ରେ ତେଜିନ୍ଦର ସିଂହ ତୁର ଓ ଆଭା ଖଟୁଆ, ୩ହଜାର ଓ ୫ହଜାର ମିଟର ଷ୍ଟିପ୍ଲଚେଜ୍ରେ ପାରୁଲ ଚୌଧୁରୀ, ୨୦ କିଲୋମିଟର ରେସ୍ ୱାକ୍ ଓ ମାରାଥନ ରେସ୍ ୱାକ୍ ମିକ୍ସଡ ରିଲେରେ ପ୍ରିୟଙ୍କା, ୧୦୦ ମିଟର ହର୍ଡଲ୍ସରେ ଜ୍ୟୋତି ୟାରାଜି, ୪X୪୦୦ମିଟର ରିଲେ ଟିମ୍ରେ ପ୍ରାଚୀ, ୫ହଜାର ମିଟରରେ ଅଙ୍କିତା, ୨୦ କିଲୋମିଟର ରେସ୍ ୱାକ୍ରେ ପରମଜିତ୍ ସିଂହ ବିଷ୍ଟ, ମାରାଥନ ରେସ୍ ୱାକ୍ ମିକ୍ସଡ ରିଲେ ଟିମରେ ସୂରଜ ପନୱାର ସାମିଲ ହୋଇଛନ୍ତି ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଅଚ୍ୟୁତ ସାମନ୍ତ କହିଛନ୍ତି ଯେ, କିଟ୍ ଓ କିସ୍ ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ଯେଉଁଠାରୁ ସର୍ବାଧିକ ଅଲିମ୍ପିଆନ୍ସ ତିଆରି ହୋଇ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଛନ୍ତି । କିଟ୍ ଓ କିସ୍ରୁ ଏପର୍ଯ୍ୟନ୍ତ ମୋଟ ୨୦ ଜଣ ଅଲିମ୍ପିଆନ୍, ୨ଜଣ ପାରାଅଲିମ୍ପିଆନ୍ ତିଆରି ହୋଇସାରିଲେଣି । ସେମାନେ ୨୦୧୬ ରିଓ ଅଲିମ୍ପିକ୍ସ, ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ବେଳେ ୧୨ଜଣ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରେ ୭ଜଣ ଅର୍ଜୁନ ପୁରସ୍କାର ପ୍ରାପ୍ତ ଖେଳାଳି ମଧ୍ୟ ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଯୁଗ୍ମ ସମ୍ପାଦକ ପ୍ରଫେସର ବଲଜିତ୍ ସିଂହ ସେଖାଓଁ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ ।