ପ୍ୟାରିସ:ପ୍ୟାରିସ ପାରାଅଲିମ୍ପିକ୍ସରେ ଆରମ୍ଭରୁ ଚମକିଲେ ଭାରତୀୟ ଅଲିମ୍ପିଆନ୍ସ । ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ୍ ଯୋଗ୍ୟତା ରାଉଣ୍ଡରେ ଦ୍ବିତୀୟ ସ୍ଥାନରେ ରହି ରାଉଣ୍ଡ 16କୁ ପ୍ରବେଶ କରିଛନ୍ତି ଭାରତର ମହିଳା ତିରନ୍ଦାଜ ଶୀତଲ ଦେବୀ । ଦୁଇ ହାତ ନଥାଇ ବି ଗୋଡରେ ତୀର ଚଳାଇ ମୋଟ 703 ପଏଣ୍ଟ ସହାସଲ କରିଥିଲେ । ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ହୋଇଥିଲେ ମଧ୍ୟ ମାତ୍ର ଗୋଟିଏ ପଏଣ୍ଟରେ ପଛରେ ରହି ସେ ବିଶ୍ବରେକର୍ଡ କରିବାରୁ ବଞ୍ଚିତ ହୋଇଥିଲେ ।
ବିଶ୍ବ ରେକର୍ଡରୁ ଗୋଟିଏ ପଏଣ୍ଟ ପଛରେ ଶୀତଲ: ଗତକାଲି ପାରାଅଲିମ୍ପିକ୍ସରେ ବ୍ୟକ୍ତିଗତ କମ୍ପାଉଣ୍ଡ୍ ଯୋଗ୍ୟତା ରାଉଣ୍ଡରେ ତୁର୍କୀର ଓଜନୁର ଗିରଡି କ୍ୟୁର ମୋଟ 704 ପଏଣ୍ଟ ସହ ବିଶ୍ବ ରେକର୍ଡ କରି ପ୍ରଥମ ସ୍ଥାନରେ ରହିଥିଲେ । ସେହିପରି ଶୀତଲ ଦେବୀ 703 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହି ବିଶ୍ବ ରେକର୍ଡରୁ ଗୋଟିଏ ପଏଣ୍ଟରେ ପଛରେ ରହିଥିଲେ । ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ହୋଇଥିବା ବେଳେ ପୂର୍ବରୁ ବ୍ରିଟେନର ଫୋଏବ ପାଇନ ପାଟରସନଙ୍କ ନାମରେ ଥିବା ବିଶ୍ବ ରେକର୍ଡ ସ୍କୋରକୁ ଅତିକ୍ରମ କରିଥିଲେ । କିଛି ସମୟ ପାଇଁ ସେ ବିଶ୍ବରେକର୍ଡ କରିଥିଲେ, କିନ୍ତୁ ଗୋଟିଏ ପଏଣ୍ଟ ଆଗରେ ରହି ଏହି ରେକର୍ଡ ନିଜ ନାମରେ କରିଥିଲେ ତୁର୍କୀର ଓଜନୁର ଗିରଡି କ୍ୟୁର ।