ନୂଆଦିଲ୍ଲୀ:କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଶକ୍ତ ଝଟକା । ନ୍ୟାସନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (NADA) ରବିବାର ଦିନ ପୁନିଆଙ୍କୁ ଦ୍ୱିତୀୟ ଥର ପାଇଁ ନିଲମ୍ବିତ କରିଛି । ଏନଏଡିଏ ପକ୍ଷରୁ ଏନେଇ ନୋଟିସ ଜାରି କରାଯାଇଛି । ଗତ ମାସରେ ମଧ୍ୟ ଆଣ୍ଟି- ଡୋପିଙ୍ଗ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ରେସଲରଙ୍କ ଆଇନଜୀବୀ ଏନେଇ ରବିବାର ଦିନ ନିଶ୍ଚିତ କରିଛନ୍ତି ।
ଦେଶର ଅଲିମ୍ପିକ ଗୋଲ୍ଡ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ପୁଣି ଆଉ ଏକ ଝଟକା ଲାଗିଛି । ନ୍ୟାସନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (NADA) ପୁଣି ଥରେ ପୁନିଆଙ୍କୁ ଅସ୍ଥାୟୀ ଭାବେ ନିଲମ୍ବନ କରିଛି । ତେବେ ତିନି ସପ୍ତାହ ପୂର୍ବେ ମଧ୍ୟ ପୁନିଆଙ୍କୁ ଏନଏଡିଏ ନିଲମ୍ବନ କରିଥିଲା କିନ୍ତୁ ଆଣ୍ଟି- ଡିସିପ୍ଲିନାରୀ ଡୋପିଙ୍ଗ ପ୍ୟାନେଲ (ADDP) ଦ୍ବାରା ଏହି ନିର୍ଦ୍ଦେଶ ଉପରେ ରୋକ ଲଗାଯାଇଥିବାରୁ ତାଙ୍କୁ ନୋଟିସ କରାଯାଇନଥିଲା । କିନ୍ତୁ ରବିବାର ତାଙ୍କୁ ଅସ୍ଥାୟୀ ନିଲମ୍ବନ ନୋଟିସ ଜାରି କରାଯାଇଛି ।
କାହିଁକି ବଜରଙ୍ଗ ପୁନିଆଙ୍କୁ କରାଗଲା ନିଲମ୍ବନ: NADA ଅଭିଯୋଗ ଅନୁଯାୟୀ, ପୁନିଆ ମାର୍ଚ୍ଚ ୧୦ ତାରିଖରେ ସୋନିପତରେ ଟ୍ରାଏଲ୍ସ ସମୟରେ ମୁତ୍ର ସାମ୍ପୁଲ ଟେଷ୍ଟ ଦେବାକୁ ମନା କରିଦେଇଥିଲେ । ଏନେଇ ତାଙ୍କୁ ଚେତାବନୀ ଜାରି କରାଯାଇଥିଲା । ଡୋପିଙ୍ଗ କଣ୍ଟ୍ରୋଲ ଅଫିସର (DCO) ତାଙ୍କୁ ମୁତ୍ର ସାମ୍ପଲ ଟେଷ୍ଟ ଦେବା ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ଏହି ନିୟମକୁ ସେ ମାନି ନଥିବାରୁ ତାଙ୍କ ଉପରେ ଆକ୍ସନ ନିଆଯାଇଥିଲା ।' ଏହି କାରଣରୁ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି NADA ପକ୍ଷରୁ ନୋଟିସ ଜାରି କରାଯାଇଛି ।