ନୂଆଦିଲ୍ଲୀ:ସୁପର ସଣ୍ଡେରେ ସୁପର ସୋ । ଗୋଟିଏ ଦିନରେ ଦୁଇଟି ବିଶ୍ବକପ ଜିତିଲା ଭାରତ । ଖୋ ଖୋ ବିଶ୍ବକପରେ ଇତିହାସ ରଚିଲା ଇଣ୍ଡିଆ । ପ୍ରଥମ ସଂସ୍କରଣରେ ବିଶ୍ବ ବିଜୟୀ ହେଲା ଭାରତୀୟ ମହିଳା ଓ ପୁରୁଷ ଖୋ ଖୋ ଦଳ । ଫାଇନାଲରେ ନେପାଳକୁ 54-36ରେ ପରାସ୍ତ କରି ବିଶ୍ବ ବିଜୟୀ ହୋଇଛି ମେନ ଇନ ବ୍ଲୁ । ସେହିପରି ମହିଳା ବିଭାଗରେ ନେପାଳକୁ 78-40ରେ ହରାଇ ବିଜୟୀ ହୋଇଛି ଭାରତୀୟ ମହିଳା ଖୋ ଖୋ ଟିମ୍ । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଉଭୟ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଚଳିତ ଥର ପ୍ରଥମ ଥର ପାଇଁ ଖୋ ଖୋ ବିଶ୍ବକପର ଆୟୋଜନ କରାଯାଇଥିଲା ।
ଆରମ୍ଭରୁ ଭାରତୀୟ ମହିଳା ଟିମ୍ ଆକ୍ରମଣାତ୍ମକ ପ୍ରଦର୍ଶନ:
ଭାରତ ଓ ନେପାଳ ମଧ୍ୟରେ ରବିବାର ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତୀୟ ଟିମ ନିଜ ଦବଦବା ବଜାୟ ରଖିଥିଲା । ଫାଇନାଲରେ ନେପାଳ ଟସ୍ ଜିତି ଡିଫେନ୍ସ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ପାରିରେ ଭାରତୀୟ ମହିଳା ଖୋ ଖୋ ଟିମ୍ ୩୪ ପଏଣ୍ଟ୍ସ ହାସଲ କରିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ନେପାଳ ଟିମ୍ ପଏଣ୍ଟ୍ସ ପଏଣ୍ଟ ହାସଲ କରିଥିଲା । ଏହି ସମୟରେ ଭାରତୀୟ ମହିଳା ଟିମକୁ ମାତ୍ର ଗୋଟିଏ ପଏଣ୍ଟ ମିଳିଥିଲା ।
ନେପାଳକୁ 78-40ରେ ହରାଇଲା ଭାରତୀୟ ମହିଳା ଟିମ୍:
ସେହିଭଳି ହାଫ ଟାଇମରେ ଭାରତୀୟ ଟିମ୍ ୩୫-୨୪ ପଏଣ୍ଟରେ ଆଗୁଆ ରହିଥିଲା । ତୃତୀୟ ପର୍ଯ୍ୟାୟରେ ୩୮ ପଏଣ୍ଟ ହାସଲ କରି ୭୩-୨୪ ସ୍କୋର କରିଥିଲା ଭାରତ । ଶେଷ ଅର୍ଥାତ ଚତୁର୍ଥ ପର୍ଯ୍ୟାୟରେ ଭାରତ ମାତ୍ର ୫ ପଏଣ୍ଟ ହାସଲ କରିଥିବା ବେଳେ ନେପାଳ ନିଜ ଖାତାରେ ଯୋଡିଥିଲା ୧୬ ପଏଣ୍ଟ । ଯେଉଁଥିରେ ଫାଇନାଲ ସ୍କୋର ୭୮-୪୦ ହୋଇଥିଲା । ଏହାପରେ ଭାରତୀୟ ମହିଳା ଖୋ ଖୋ ଟିମ ଇତିହାସ ରଚି ବିଶ୍ୱ ବିଜୟୀ ହୋଇଥିଲା ।
ସମଗ୍ର ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ ହାରିନାହିଁ ଭାରତୀୟ ମହିଳା ଖୋ ଖୋ ଟିମ୍:
ଭାରତୀୟ ମହିଳା ଟିମ ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହିଛି । ଏଥିସହ ଖୋ ଖୋର ପ୍ରଥମ ବିଶ୍ୱକପ ବିଜେତା ଟିମ ମଧ୍ୟ ହୋଇଯାଇଛନ୍ତି । ପ୍ରିୟଙ୍କା ଇଙ୍ଗଲେଙ୍କ କ୍ୟାପଟେନ୍ସିରେ ଭାରତୀୟ ଖୋ ଖୋ ଟିମ ପୁରା ଟୁର୍ଣ୍ଣାମେଣ୍ଟରେ ଗୋଟିଏ ମ୍ୟାଚରେ ପରାଜୟ ହୋଇନାହାନ୍ତି । ଭାରତୀୟ ମହିଳା ଟିମ ସେମି ଫାଇନାଲରେ ସାଉଥ ଆଫ୍ରିକାକୁ ୬୬-୧୬ରେ ହରାଇଥିଲା ।