ଓଡିଶା

odisha

ETV Bharat / sports

କ୍ରିକେଟ ସହ ରାଜନୀତି ମୈଦାନରେ ବି ଲଢ଼ିଛନ୍ତି ଏହି କ୍ରିକେଟର; କିଏ ପାଇଛି ସଫଳତା ତ କିଏ ମାନିଛି ହାର - Cricketers who turned Politicians - CRICKETERS WHO TURNED POLITICIANS

Indian cricketers who have entered politics : ଅନେକ ଭାରତୀୟ କ୍ରିକେଟରଙ୍କୁ କ୍ରିକେଟ ମୈଦାନରେ ଲଢ଼ିବା ପରେ ରାଜନୀତି ମୈଦାନରେ ମଧ୍ୟ ଲଢ଼ିଥିବା ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରୁ କାହାକୁ ସଫଳତା ମିଳିଛି, ତ କାହାକୁ ହାର ମାନିବାକୁ ପଡ଼ିଛି । ଅଧିକ ପଢ଼ନ୍ତୁ

Indian cricketers who have entered politics
Indian cricketers who have entered politics (IANS Photo)

By ETV Bharat Sports Team

Published : Sep 6, 2024, 4:58 PM IST

ନୂଆଦିଲ୍ଲୀ : ଆମେ ପ୍ରାୟତଃ କ୍ରିକେଟ୍ ମୈଦାନରେ କ୍ରିକେଟରଙ୍କ ଦମଦାର ଲଢ଼େଇ ଦେଖିବାକୁ ପାଇଥାଉ । କିନ୍ତୁ ଅନେକ ସମୟରେ ଅନେକ କ୍ରିକେଟର ରାଜନୀତି ମୈଦାନରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିଥିବା ଦେଖିବାକୁ ମିଳିଛି । ଏଠାରେ ଆମେ ଆପଣଙ୍କୁ ଏପରି ଭାରତୀୟ କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ କ୍ରିକେଟ୍ ସହିତ ରାଜନୀତି କ୍ଷେତ୍ରରେ ମଧ୍ୟ ଲଢ଼ିଛନ୍ତି, ହେଲେ କିଏ ସଫଳ ହୋଇଛି ତ କାହାକୁ ହାର ମାନିବାକୁ ପଡ଼ିଛି ।

ନେତା ବନିଥିବା ଭାରତର 11 କ୍ରିକେଟର :-

ଗୌତମ ଗମ୍ଭୀର :-

ଗୌତମ ଗମ୍ଭୀର (IANS Photo)

ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପୂର୍ବରୁ ରାଜନୀତିରେ ମଧ୍ୟ ସଫଳତା ହାସଲ କରିସାରିଛନ୍ତି । କ୍ରିକେଟକୁ ଅଲବିଦା କହିବା ପରେ ସେ 2019 ଲୋକସଭା ନିର୍ବାଚନରେ ​​ବିଜେପି (ଭାରତୀୟ ଜନତା ପାର୍ଟି) ଟିକଟରେ ନିର୍ବାଚନ ଲଢ଼ିଥିଲେ । ସେ ପୂର୍ବ ଦିଲ୍ଲୀରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ସାଂସଦ ହୋଇଥିଲେ । ବର୍ତ୍ତମାନ ସେ ରାଜନୀତିରୁ ସନ୍ୟାସ ନେଇ ଟିମ୍ ଇଣ୍ଡିଆରେ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି ।

ହରଭଜନ ସିଂହ :-

ହରଭଜନ ସିଂହ (IANS Photo)

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍ ସ୍ପିନର ତଥା 'ଟର୍ମିନେଟର' ନାଁରେ ପରିଚିତ ହରଭଜନ ସିଂହ ମଧ୍ୟ ରାଜନୀତି କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି । ହରଭଜନ 2022 ମସିହାରେ ଆମ୍ ଆଦମୀ ପାର୍ଟିରୁ ରାଜ୍ୟସଭା ସାଂସଦ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ସେ ରାଜନୀତିରେ ଅଛନ୍ତି ଓ ରାଜ୍ୟସଭାରେ ଦଳର ପ୍ରତିନିଧିତ୍ବ କରୁଛନ୍ତି ।

ନବଜୋତ ସିଂହ ସିଦ୍ଧୁ :-

ନବଜୋତ ସିଂହ ସିଦ୍ଧୁ (IANS Photo)

ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁ ମଧ୍ୟ ରାଜନୈତିକ ପଡ଼ିଆରେ ନିଜର ଚିହ୍ନ ଛାଡିଛନ୍ତି । ସେ ଉଭୟ ବିଜେପି ଏବଂ କଂଗ୍ରେସ ଭଳି ଦେଶର ଦୁଇ ପ୍ରମୁଖ ଜାତୀୟ ଦଳରେ ରାଜନୀତି କରିଛନ୍ତି । ସେ 2004 ଏବଂ 2009ରେ ଅମୃତସରରୁ ଲୋକସଭା ନିର୍ବାଚନରେ ​​ଜିତିଥିଲେ । ପରେ ସେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ । ପଞ୍ଜାବରେ ସେ କ୍ୟାବିନେଟ ମନ୍ତ୍ରୀ ପଦରେ ମଧ୍ୟ ରହିଥିଲେ । ସେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ମଧ୍ୟ ରହିଥିଲେ ।

ମହମ୍ମଦ କୈଫ :-

ମହମ୍ମଦ କୈଫ (IANS Photo)

ଟିମ୍ ଇଣ୍ଡିଆ ପୂର୍ବତନ କ୍ରିକେଟର ତଥା କମେଣ୍ଟେଟର ମହମ୍ମଦ କୈଫ ମଧ୍ୟ ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରାଇଛନ୍ତି । ସେ 2014 ଲୋକସଭା ନିର୍ବାଚନରେ ​କଂଗ୍ରେସ ଦଳରୁ ନିଜ ଭାଗ୍ୟ ପରୀକ୍ଷା କରିଥିଲେ । ସେ ଉତ୍ତରପ୍ରଦେଶର ଫୁଲପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ହାରିଯାଇଥିଲେ ।

ଏସ୍‌ ଶ୍ରୀସାନ୍ତ :-

ଏସ୍‌ ଶ୍ରୀସାନ୍ତ (IANS Photo)

ପୂର୍ବତନ ଭାରତୀୟ କ୍ରିକେଟର ତଥା 2007 ଏବଂ 2011 ବିଶ୍ବକପ ବିଜେତା ଦଳର ସଦସ୍ୟ ଶ୍ରୀସାନ୍ତ ମଧ୍ୟ ରାଜନୈତିକ ମଞ୍ଚରେ ପ୍ରବେଶ କରିଛନ୍ତି । ଆଇପିଏଲରେ ଫିକ୍ସିଂ ଅଭିଯୋଗ ହେତୁ ତାଙ୍କ କ୍ୟାରିୟରରେ ବିରାମ ଲାଗିଥିଲା । ଏହାପରେ ସେ 2016 ମସିହାରେ ବିଜେପି ପକ୍ଷରୁ କେରଳରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ହେଲେ ସେ ଜିତି ପାରିନଥିଲେ ।

ମହମ୍ମଦ ଆଝାରୁଦ୍ଦିନ :-

ମହମ୍ମଦ ଆଝାରୁଦ୍ଦିନ (IANS Photo)

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ମଧ୍ୟ ରାଜନୈତିକ କ୍ଷେତ୍ରରେ ଦେଖିବାକୁ ମିଳିଛି । 2009ରେ ସେ କଂଗ୍ରେସ ଟିକଟରେ ମୁରାଦାବାଦରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ ମଧ୍ୟ । ଏହା ପରେ ସେ 2014 ଲୋକସଭା ନିର୍ବାଚନରେ ​​ପରାସ୍ତ ହୋଇଥିଲେ । 2023ରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲଢ଼େଇରେ ମଧ୍ୟ ଆଝାରୁଦ୍ଦିନଙ୍କୁ ଦେଖିବାକୁ ମିଳିଥିଲା । ହେଲେ ଏଥିରେ ମଧ୍ୟ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

କିର୍ତ୍ତୀ ଆଜାଦ :-

କିର୍ତ୍ତୀ ଆଜାଦ (IANS Photo)

ପୂର୍ବତନ ଭାରତୀୟ କ୍ରିକେଟର ତଥା 1983 ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ କିର୍ତ୍ତୀ ଆଜାଦ ମଧ୍ୟ ରାଜନୀତିରେ ନିଜ ପାଇଁ ସୁନାମ ଅର୍ଜନ କରିଛନ୍ତି । ତାଙ୍କ ପିତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଗବତ ଝା ଆଜାଦଙ୍କ ପରି କିର୍ତ୍ତୀ ମଧ୍ୟ ଭାରତୀୟ ଜନତା ପାର୍ଟିରୁ ଦରଭଙ୍ଗା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ତିନିଥର ସାଂସଦ ହୋଇଥିଲେ । ଏହାପରେ 2019 ମସିହାରେ ସେ କଂଗ୍ରେସ ଟିକଟରେ ନିର୍ବାଚନ ଲଢିଥିଲେ । ବର୍ତ୍ତମାନ ସେ ତୃଣମୂଳ କଂଗ୍ରେସରେ ଅଛନ୍ତି ।

ଚେତନ ଶର୍ମା :-

ଚେତନ ଶର୍ମା (IANS Photo)

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ତଥା ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କୁ ମଧ୍ୟ ରାଜନୈତିକ ମୈଦାନରେ ଦେଖିବାକୁ ମିଳିଛି । ସେ 2009 ଲୋକସଭା ନିର୍ବାଚନରେ ​​ବହୁଜନ ସମାଜ ପାର୍ଟି ଟିକଟରେ ଫରିଦାବାଦ ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହାପରେ ତାଙ୍କୁ ଭାରତୀୟ ଜନତା ପାର୍ଟିରେ ମଧ୍ୟ ଦେଖିବାକୁ ମିଳିଛି ।

ମନୋଜ ତିୱାରୀ :-

ମନୋଜ ତିୱାରୀ (IANS Photo)

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟର ମନୋଜ ତିୱାରୀ ରାଜନୀତିରେ ମଧ୍ୟ ଭାଗ୍ୟ ପରୀକ୍ଷା କରିଛନ୍ତି । ସେ 2021ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତୃଣମୂଳ କଂଗ୍ରେସ ତାଙ୍କୁ ଶିବପୁର ଆସନରୁ ମୈଦାନକୁ ଓହ୍ଲାଇଥିଲା । ମନୋଜ ବର୍ତ୍ତମାନ ପଶ୍ଚିମବଙ୍ଗ ସରକାରରେ କ୍ରୀଡ଼ା ମନ୍ତ୍ରୀ ପଦରେ ରହିଛନ୍ତି ।

ବିନୋଦ କାମ୍ବଲି :-

ବିନୋଦ କାମ୍ବଲି (IANS Photo)

ଟିମ୍ ଇଣ୍ଡିଆର ପୂର୍ବତନ ଭେଟେରାନ ବ୍ୟାଟର ତଥା ସଚିନ୍ ତେନ୍ଦୁଲକରଙ୍କ ବନ୍ଧୁ ବିନୋଦ କାମ୍ବଲି ମଧ୍ୟ ରାଜନୀତି କ୍ଷେତ୍ରରେ ଲଢ଼େଇ କରିଛନ୍ତି । ସେ 2009ରେ ଲୋକ ଭାରତ ପାର୍ଟି ଟିକଟରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ହେଲେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ୟୁସୁଫ ପଠାନ :-

ୟୁସୁଫ ପଠାନ (ANI Photo)

2011 ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ତଥା ଭେଟେରାନ ଅଲରାଉଣ୍ଡର ୟୁସୁଫ ପଠାନ ମଧ୍ୟ ଏବେ ଏବେ ରାଜନୀତି ମୈଦାନରେ ନିଜର ଜଲୱା ଦେଖାଇଛନ୍ତି । ଏହି ପୂର୍ବତନ କ୍ରିକେଟର 2024 ଲୋକସଭା ନିର୍ବାଚନରେ ସଫଳତା ହାସଲ କରିଛନ୍ତି । ତୃଣମୂଳ କଂଗ୍ରେସ ଟିକଟରେ ଲଢ଼ି ସେ ଭେଟେରାନ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ମାତ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-

ବାପରେ ବାପ... ଏତେ ଟ୍ୟାକ୍ସ ଭରୁଛନ୍ତି କୋହଲି-ଧୋନୀ, ଟପ୍-20ରେ ନାହାଁନ୍ତି ରୋହିତ, ଜାଣନ୍ତୁ କିଏ ଦେଉଛି କେତେ ? - Most Tax Payer Cricketer

ଗମ୍ଭୀର ଦଳରେ ଧୋନି-କୋହଲିଙ୍କୁ ବାଛିଲେ, ରୋହିତ-ବୁମ୍‌ରା ପଡ଼ିଲେ ବାଦ - Gautam Gambhir All Time Playing XI

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details