ହାଇଦ୍ରାବାଦ: ଭାରତୀୟ ଦଳ ଜାନୁଆରୀ 25ରୁ ମାର୍ଚ୍ଚ 11 ପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି । ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ 25ରୁ 29 ଜାନୁଆରୀ ପର୍ଯ୍ୟନ୍ତ ହାଇଦ୍ରାବାଦର ରାଜୀବ ଗାନ୍ଧୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଏହା ପୂର୍ବରୁ ହାଇଦ୍ରାବାଦରେ ପହଞ୍ଚି ନେଟସ୍ରେ ଝାଳ ବୁହାଇଛନ୍ତି ଉଭୟ ଦଳର ଖେଳାଳି । ତେବେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଜି ହାଇଦ୍ରାବାଦରେ ପ୍ରି-ମ୍ୟାଚ୍ ପ୍ରେସ୍ମିଟ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ଆମେ ପ୍ରସ୍ତୁତ କରିଥିବା ରଣନୀତିକୁ କାର୍ଯ୍ୟକାରୀ କରିବାକୁ ଭରପୁର ଚେଷ୍ଟା କରିବୁ ବୋଲି କହିଛନ୍ତି ରୋହିତ ।
ଭାରତ ଶେଷଥର ପାଇଁ 2012ରେ ଆଲେଷ୍ଟାୟାର କୁକ୍ଙ୍କ ନେତୃତ୍ବାଧିନ ଇଂଲଣ୍ଡ ଦଳ ବିପକ୍ଷରେ ଏକ ଟେଷ୍ଟ ସିରିଜ ହାରିଥିଲା । ଭାରତୀୟ ଦଳ ଏହି ସିରିଜକୁ 2-1ରେ ହାରି ଯାଇଥିଲା । ସେବେଠାରୁ ଭାରତୀୟ ଦଳ କ୍ରମାଗତ 16ଟି ସିରିଜ୍ ଜିତିଛି । ଏପରିକି 7ଟି ସିରିଜକୁ କ୍ଲିନ୍ସ୍ବିପ୍ କରିଛି ଟିମ୍ ଇଣ୍ଡିଆ । ଏନେଇ ପ୍ରି-ମ୍ୟାଚ୍ ପ୍ରେସ୍ମିଟ୍ରେ ରୋହିତ କହିଛନ୍ତି, "ଆମେ ଅତୀତର ରେକର୍ଡ ଗୁଡିକ ଉପରେ ଧ୍ୟାନ ଦେବାକୁ ଚାହୁଁନାହୁଁ । କୌଣସି ଗ୍ୟାରେଣ୍ଟି ନାହିଁ ଯେ ଆମେ ଏହି ସିରିଜ୍ ଜିତିବୁ, କିନ୍ତୁ ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବୁ ଏବଂ ସର୍ବୋତ୍ତମ କ୍ରିକେଟ୍ ଖେଳିବାକୁ ଚେଷ୍ଟା କରିବୁ । ଟେଷ୍ଟ କ୍ରିକେଟ୍ ହେଉଛି ଏଭଳି ଏକ ଫର୍ମାଟ୍, ଯାହା ଆପଣଙ୍କୁ ବହୁତ ଚ୍ୟାଲେଞ୍ଜ୍ କରେ । ତେଣୁ ଆମର କାମ ହେଉଛି ଟେଷ୍ଟ କ୍ରିକେଟ୍କୁ ନେଇ ଗମ୍ଭୀର ଭାବରେ ଚିନ୍ତା କରିବା ।"