ହାଇଦ୍ରାବାଦ : ଭାରତ ଟି20 ବିଶ୍ବକପ୍ 2024 ଜିତିବା ପରେ ଦଳରେ ବହୁତ କିଛି ପରିବର୍ତ୍ତନ ହୋଇଛି । ଦେଶକୁ ବିଶ୍ବ ଚାମ୍ପିୟନ କରିବା ପରେ ଟି20ରୁ ଅବସର ନେଇଛନ୍ତି ବିରାଟ କୋହଲି, ରୋହିତ ଶର୍ମା ଓ ରବିନ୍ଦ୍ର ଜାଡେଜାଙ୍କ ଭଳି କିମ୍ବଦନ୍ତୀ । ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଆସିଛନ୍ତି ଗୌତମ ଗମ୍ଭୀର । ଟି20 ଦଳର ସର୍ବକାଳୀନ ଅଧିନାୟକ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ । ଟେଷ୍ଟ ଓ ଦିନିକିଆ ଦଳରେ ମଧ୍ୟ ଏକାଧିକ ଯୁପ ଖେଳାଳିଙ୍କୁ ମିଳିଛି ସୁଯୋଗ । କିନ୍ତୁ ଗୋଟିଏ କଥା ବଦଳିନାହିଁ, ତାହା ହେଉଛି ଘରୋଇ ପ୍ରତିଭାଙ୍କ ପ୍ରତି ଅବିରତ ଅଣଦେଖା । ଯେଉଁଥିପାଇଁ ଭାରତୀୟ ଦଳର ଷ୍ଟାର କ୍ରିକେଟରମାନେ ବିସିସିଆଇର ଘରୋଇ ସିଜିନ ଅପେକ୍ଷା ଆଇପିଏଲ୍ ଖେଳିବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।
ଭାରତୀୟ କ୍ରିକେଟ ଦଳ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ 2-0ରେ କ୍ଲିନ୍ସ୍ବିପ କରିବା ପରେ ଟି20 ସିରିଜ୍ ଖେଳୁଛି । ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଏହି ସବୁ ମ୍ୟାଚ୍ ପାଇଁ ବହୁତ ସମୟ ପୂର୍ବରୁ ଟିମ୍ ମଧ୍ୟ ଚୟନ କରିଥିଲା । ହେଲେ ଚିନ୍ତାର ବିଷୟ ହେଉଛି କ୍ରିକେଟ ସମୀକ୍ଷକଙ୍କୁ ଲାଗୁଛି ଯେ ବିସିସିଆଇ ଓ ଚୟନକର୍ତ୍ତା ଡୋମେଷ୍ଟିକ ସିଜିନରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କ ଅପେକ୍ଷା ଆଇପିଏଲ୍ ପ୍ରଦର୍ଶନ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ଫଳରେ ଡୋମେଷ୍ଟିକ ସିଜିନରୁ ଖେଳାଳିଙ୍କର ଆଗ୍ରହ କମି କମି ଯାଉଛି । ଏଠାରେ ଆମେ ଆପଣଙ୍କୁ ଏମିତି କିଛି କାରଣ କହିବାକୁ ଯାଉଛୁ, ଯଉଁଥିପାଇଁ ଭାରତୀୟ ଷ୍ଟାର କ୍ରିକେଟରମାନେ ବିସିସିଆଇର ଡୋମେଷ୍ଟିକ ସିଜିନ ଅପେକ୍ଷା ଆଇପିଏଲ୍ ଖେଳିବାକୁ ବେଶୀ ଆଗ୍ରହ ପ୍ରକାଶ କରୁଛନ୍ତି ।
ଆଇପିଏଲ୍ରୁ ହେଉଛି ମୋଟା ଅଙ୍କର ରୋଜଗାର :-
ଆଇପିଏଲ୍ ଖେଳାଳିଙ୍କୁ ଅଧିକ ରୋଜଗାରମନସ୍କ କରିଛି । କାରଣ ଗୋଟିଏ ଥର ଆଇପିଏଲ୍ରେ ନିଜକୁ ପ୍ରମାଣ କରିପାରିଲେ ଖେଳାଳିମାନେ କୋଟିପତି ହେଇଯାଉଛନ୍ତି । ନିକଟରେ ବିସିସିଆଇ ସଚିବ ଜୟ ଶାହଙ୍କ ଘୋଷଣା ଅନୁଯାୟୀ ଫ୍ରାଞ୍ଚାଇଜ ଗୁଡ଼ିକର ଚୁକ୍ତି ବାଦ ପ୍ରତି ଖେଳାଳିଙ୍କୁ ପ୍ରତି ମ୍ୟାଚ୍ ପାଇଁ ମ୍ୟାଚ୍ ଫି' ବାବଦକୁ 7.5 ଲକ୍ଷ ଟଙ୍କା ମିଳିବ । ଏପରି ହେଲେ ଯଦି ଜଣେ ଖେଳାଳି ଆଇପିଏଲ୍ର ସମସ୍ତ ମ୍ୟାଚ୍ ଖେଳୁଛି, ତେବେ ସେହି ଖେଳାଳିଙ୍କୁ ବିସିସିଆଇ ଅତିରିକ୍ତ 1.05 କୋଟି ଟଙ୍କା ଦେବ ।
ଅନ୍ୟପଟେ ଡୋମେଷ୍ଟିକ ସିଜିନରେ ଖେଳୁଥିବା ଖେଳାଳିମାନଙ୍କ ପାଇଁ ବିସିସିଆଇ ଆଇପିଏଲ୍ ତୁଳନାରେ ଆଖିଦୃଶିଆ ଦରମାର ବ୍ୟବସ୍ଥା କରୁନାହିଁ । ଉଦାହରଣ ସ୍ବରୂପ ରଣଜୀ ଟ୍ରଫି ପାଇଁ ବିସିସିଆଇ ଜଣେ ଖେଳାଳିଙ୍କୁ 40ରୁ 60 ହଜାର ଟଙ୍କା ଦୈନିକ ବେତନ ଦେଉଛି । ତାହା ମଧ୍ୟ ଖେଳାଳିଙ୍କ ଅଭିଜ୍ଞତା ଉପରେ ନିର୍ଭର । ଯଦି ଜଣେ ଖେଳାଳି 40ରୁ ଅଧିକା ରଣଜୀ ମ୍ୟାଚ୍ ଖେଳିଛନ୍ତି, ତେବେ ତାଙ୍କୁ ଦୈନିକ 60 ହଜାର ଦରମା ମିଳେ । 21ରୁ 40 ରଣଜୀ ମ୍ୟାଚ୍ ଖେଳିଥିବା ଖେଳାଳିଙ୍କୁ ଦୈନିକ 50 ହଜାର ଓ 20 କିମ୍ବା ଏହାଠାରୁ କମ ରଣଜୀ ମ୍ୟାଚ୍ ଖେଳିଥିବା ଖେଳାଳିଙ୍କୁ ଦୈନିକ 40 ହଜାର ଦରମା ଦେଇଥାଏ ବିସିସିଆଇ । ଯାହା ଆଇପିଏଲ୍ର ମ୍ୟାଚ୍ ଫି' ତୁଳନାରେ ବହୁତ କମ । ଫଳରେ ଖେଳାଳିମାନେ ଆଇପିଏଲ୍ ପର୍ଯ୍ୟନ୍ତ ନିଜକୁ ଠିକ ରଖିବା ପାଇଁ ଅଧିକ ଦାୟିତ୍ବବାନ ହେଉଛନ୍ତି ଓ ବିସିସିଆଇର ଡୋମେଷ୍ଟିକ ସିଜିନରୁ ନିଜକୁ ଦୂରେଇ ରଖୁଛନ୍ତି ।