ରାଉରକେଲା: ହକି ପ୍ରୋ ଲିଗ ପାଇଁ ପୁଣି ଚଳଚଞ୍ଚଳ ହୋଇଉଠିଛି ରାଉରକେଲା ସହର । ପ୍ରଥମ ଥର ପାଇଁ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ମହିଳା ହକି ଦଳର ମ୍ୟାଚ ଆୟୋଜନ କରାଯାଇଛି । ଆସନ୍ତାକାଲି (ସୋମବାର)ଠାରୁ ଦର୍ଶକଙ୍କ କରତାଳିରେ କମ୍ପିବ ବିଶ୍ବର ସବୁଠାରୁ ବଡ ହକି ଷ୍ଟାଡିୟମ । ହକି ପ୍ରୋ- ଲିଗ୍ ମ୍ୟାଚ୍ ଖେଳିବାକୁ ରାଉରକେଲା ପହଞ୍ଚିଛନ୍ତି ୫ଟି ମହିଳା ଦଳ । ଆସନ୍ତାକାଲି (ସୋମବାର) ଭାରତ ଓ ଚୀନ ମଧ୍ୟରେ ମ୍ୟାଚ ଖେଳାଯିବ ।
ଭାରତ ମହିଳା ଦଳ ସମେତ ଚୀନ, ଆମେରିକା, ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ମହିଳା ଦଳ ହକି ଗଡ ସୁନ୍ଦରଗଡରେ ଆଜି ପହଞ୍ଚିଛନ୍ତି । ସମସ୍ତ ୫ଟି ଦଳ ଭୁବନେଶ୍ବରରୁ ବିମାନରେ ଝାରସୁଗୁଡ଼ା ପହଞ୍ଚିଥିଲେ । ସେଠାରୁ ଖେଳାଳି, ସପୋର୍ଟ୍ ଷ୍ଟାଫ୍ ଓ କୋଚ୍ମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଥିବା ୫ଟି ବସରେ ଆସି ରାଉରକେଲାରେ ପହଞ୍ଚିଥିଲେ । ସମସ୍ତ ମହିଳା ଦଳ ପହଞ୍ଚିବା ପରେ ପାରମ୍ପରିକ ବାଦ୍ୟଗୀତରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା । ସମସ୍ତ ଦଳକ ଖେଳାଳି ମେ ଫେୟାର୍ ବିଶ୍ବ ହକି ଗ୍ରାମରେ ରହୁଛନ୍ତି । ଦଳଗୁଡ଼ିକ ଆଜି ଅପରାହ୍ନ ଏବଂ ସନ୍ଧ୍ୟାରେ ଅଭ୍ୟାସ କରିବେ ।