ଓଡିଶା

odisha

ETV Bharat / sports

ଜନ୍ମଦିନରେ କ୍ରିକେଟ୍‌କୁ ଅଲ୍‌ବିଦା କହିଲେ 'ଡିକେ ବସ୍‌'; ଏମିତି ଥିଲା କ୍ୟାରିୟର - Dinesh Karthik Retirement

DINESH KARTHIK RETIREMENT: କ୍ରିକେଟର ସବୁ ଫର୍ମାଟ୍‌ରୁ ସନ୍ନ୍ୟାସ ନେଇଛନ୍ତି ଭେଟେରାନ ବ୍ୟାଟର ତଥା ୱିକେଟ୍‌-କିପର ଦୀନେଶ କାର୍ତ୍ତିକ । ନଜର ପକାନ୍ତୁ ଡିକେଙ୍କ ଅନ୍ତର୍ଜାତୀୟ ଓ ଆଇପିଏଲ୍‌ ରେକର୍ଡ ଉପରେ,

DINESH KARTHIK RETIREMENT
DINESH KARTHIK RETIREMENT (ETV Bharat Odisha)

By ETV Bharat Odisha Team

Published : Jun 2, 2024, 10:58 PM IST

ବେଙ୍ଗାଲୁରୁ: କ୍ରିକେଟକୁ ସବୁଦିନ ପାଇଁ ଅଲ୍‌ବିଦା କହିଛନ୍ତି ଭେଟେରାନ ବ୍ୟାଟର ତଥା ୱିକେଟ୍‌-କିପର ଦୀନେଶ କାର୍ତ୍ତିକ । ନିଜ ୩୯ତମ ଜନ୍ମ ଦିନରେ ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ଏହି ଧୂଆଁଧାର କ୍ରିକେଟର । ନିଜ 'ଏକ୍ସ' ହ୍ୟାଣ୍ଡେଲରେ ଏକ ଭାବପୂର୍ଣ୍ଣ ପୋଷ୍ଟ ଲେଖି ସବୁ ଫର୍ମାଟ୍‌ରୁ ଅବସର ନେଇଥିବା ଡିକେ ଘୋଷଣା କରିଛନ୍ତି । ଆବେଗ ଭରା ବାର୍ତ୍ତା ଲେଖି ପ୍ରଶଂସକ, ପ୍ରଶିକ୍ଷକ, ସାଥୀ ଖେଳାଳି ଓ ପରିବାରକୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ଡିକେ ବସ୍‌ ।

ନିଜ 'ଏକ୍ସ' ହ୍ୟାଣ୍ଡେଲରେ ସେ ଏକ ଲେଖା ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, "କ୍ରିକେଟରୁ ଆଗକୁ ବଢ଼ିବା ପାଇଁ ମୁଁ ନିଷ୍ପତ୍ତି ନେଇଛି । ତେଣୁ ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରୁଛି । ଜୀବନର ନୂଆ ଆହ୍ବାନର ସମ୍ମୁଖୀନ ହେବାକୁ ମୁଁ ଏବେ ପୂରା ପ୍ରସ୍ତୁତ । କ୍ରିକେଟ ଜୀବନର ପ୍ରତିଟି ମୁହୂର୍ତ୍ତକୁ ମୁଁ ମନଭରି ଉପଭୋଗ କରିଛି । ଦେଶ ପାଇଁ ଖେଳିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟଶାଳୀ ମନେ କରୁଛି ।" ତେବେ ଏହି ଲେଖାରେ ସେ ନିଜ ପ୍ରଶଂସକ, ପ୍ରଶିକ୍ଷକ, ସାଥୀ ଖେଳାଳି ଓ ପରିବାରକୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ।

ଏମିତି ଥିଲା ଅନ୍ତର୍ଜାତୀୟ କ୍ୟାରିୟର: ଦୀନେଶ କାର୍ତ୍ତିକ ଏକ ଭାରତୀୟ ଖେଳାଳି ଭାବେ ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ଅନୀଲ କୁମ୍ବଲେ, ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଖେଳିଛନ୍ତି । ମାତ୍ର ୧୯ ବର୍ଷ ବୟସରେ ୨୦୦୪ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ କାର୍ତ୍ତିକ । ସେହିବର୍ଷ ସେପ୍ଟେମ୍ବର ୫ରେ ଇଂଲଣ୍ଡ ବିପକ୍ଷରେ ଲର୍ଡସ୍‌ରେ ଦିନିକିଆ ଡେବ୍ୟୁ କରିଥିଲେ । ଏହାପରେ ଡିସେମ୍ବର ୧, ୨୦୦୬ରେ ଦକ୍ଷିଣଆଫ୍ରିକାରେ ଜୋହାନ୍ସବର୍ଗରେ ଟି୨୦ରେ ନିଜ ପଦାର୍ପଣ ମ୍ୟାଚ୍‌ ଖେଳିଥିଲେ ଡିକେ । ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୨୬ ଟେଷ୍ଟ ମ୍ୟାଚ୍‌, ୯୫ ଦିନିକିଆ ଓ ୬୦ ଟି୨୦ ମ୍ୟାଚ୍‌ ଖେଳିଛନ୍ତି । କୁହାଯାଏ ବେଶ ଦକ୍ଷ ୱିକେଟ୍‌-କିପର ଓ ବ୍ୟାଟର ହୋଇଥିଲେ ମଧ୍ୟ ତାଙ୍କୁ ସେଭଳି ସୁଯୋଗ ମିଳିନାହିଁ । ତଥାପି ନିଜ ଦିନିକିଆ କ୍ୟାରିୟରରେ ୯ ଅର୍ଦ୍ଧଶତକ ସହ ୧୭୯୨ ରନ କରିଛନ୍ତି ଡିକେ ।

ଦୀନେଶ କାର୍ତ୍ତିକ ଟେଷ୍ଟ କ୍ରିକେଟରେ ୱିକେଟ୍‌ ପଛରେ ୫୭ଟି କ୍ୟାଚ୍‌ ନେବା ସହିତ ୬ଟି ଷ୍ଟମ୍ପ ଆଉଟ୍‌ କରିଥିଲେ । ସେହିଭଳି ଦିନିକିଆରେ ସେ ୬୪ କ୍ୟାଚ୍‌ ଆଉଟ୍‌ ଓ ୭ଟି ଷ୍ଟମ୍ପ୍‌ ଆଉଟ୍‌ କରିଛନ୍ତି । ଟି୨୦ କ୍ରିକେଟ୍‌ରେ ୩୦ କ୍ୟାଚ୍‌ ନେଇ ସେ ୮ ପ୍ରତିପକ୍ଷ ଖେଳାଳିଙ୍କୁ ଷ୍ଟମ୍ପ ଆଉଟ୍‌ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...IPLରେ ନିଜ ଦଳକୁ କରିଥିଲେ ଚମ୍ପିଆନ୍‌, ଏବେ ଆଉ ଏକ ଇନିଂସ୍‌ ଆରମ୍ଭ କଲେ ଏହି ଷ୍ଟାର କ୍ରିକେଟର - Venkatesh Iyer Marriage

ଆଇପିଏଲ୍‌ରେ ଶ୍ରେଷ୍ଠ ଖେଳାଳି ଡିକେ: ଆଇପିଏଲ୍‌ ଇତିହାସରେ ମଧ୍ୟ ଶ୍ରେଷ୍ଠ ୧୦ ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି ଦୀନେଶ । ସେ ଆଇପିଏଲ୍‌ରେ ୨୫୭ ମ୍ୟାଚ୍‌ ଖେଳି ୨୨ ଅର୍ଦ୍ଧଶତକ ହାସଲ କରିଛନ୍ତି । ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟତୀତ ସେ କୋଲକାତା ନାଇଟ୍‌ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗସ୍‌, ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଲାୟନ୍ସ ପକ୍ଷରୁ ମଧ୍ୟ ପ୍ରତିନିଧିତ୍ବ କରିଛନ୍ତି । ଏଥିରେ ସେ ୱିକେଟ୍‌ ପଛରେ ୧୪୭ କ୍ୟାଚ୍‌ ନେଇଥିବା ବେଳେ ୩୭ ଷ୍ଟମ୍ପ୍‌ ଆଉଟ୍‌ କରି ବିପକ୍ଷ ଦଳର ବ୍ୟାଟରଙ୍କୁ ପାଭିଲିୟନ ଫେରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details