ହାଇଦ୍ରାବାଦ:ଆସନ୍ତାବର୍ଷ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି ଆଇସିସି ଚାମ୍ପିୟନ୍ସ ଟ୍ରଫି 2025 । ଏଥିପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଭାରତୀୟ ଦଳକୁ ନିଜ ଦେଶକୁ ନେବାକୁ ପୂରା କସରତ କରୁଛି ପାକିସ୍ତାନ କ୍ରିକେଟ ବୋର୍ଡ- ପିସିବି । ଏଥିପାଇଁ କ୍ରିକେଟ ବୋର୍ଡ ଅଫ୍ ଇଣ୍ଡିଆ (BCCI) ଏବଂ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ନୂଆ ପଦକ୍ଷେପ ଗ୍ରଙଣ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ ।
ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତ କରିବାକୁ ଇଚ୍ଛା ରଖିଥିବା ଭାରତୀୟ ପ୍ରଶଂସକଙ୍କ ପାଇଁ ଶୀଘ୍ର ଭିସା ପ୍ରଦାନ ନୀତିକୁ ପିସିବି ଚେୟାରମ୍ୟାନ ତଥା ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନାକଭି ପ୍ରତିଶ୍ରୁତି ଦେଇଛନ୍ତି । ଆମେରିକୀୟ ଶିଖ ତୀର୍ଥଯାତ୍ରୀଙ୍କୁ ଭେଟିଥିବା ବେଳେ ସେ ଏହି ସୂଚନା ଦେଇଥିଲେ ।
ଭିସା ପ୍ରଦାନରେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କୁ ପ୍ରାଥମିକତା:
ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଏକ ଖବରକାଗଜ ନାକଭିଙ୍କ ପକ୍ଷରୁ କହିଛି ଯେ, ଟିକେଟ ପାଇଁ ଆମେ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଟା ରଖିବୁ ଏବଂ ଭିସା ପ୍ରଦାନ ନୀତି ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରିବୁ । ପିସିବି ଭାରତୀୟ ପ୍ରଶଂସକଙ୍କୁ ପାକିସ୍ତାନ ଆସି ଲାହୋରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଦେଖିବାକୁ ଆଶା ରଖିଛି ।
ପାକିସ୍ତାନରେ ସମସ୍ତ ଦଳକୁ ସ୍ବାଗତ କରାଯିବ:
କିଛି ସପ୍ତାହ ପୂର୍ବରୁ ନାକଭି କହିଥିଲେ ଯେ, ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହେଲେ ମଧ୍ୟ ଭାରତ ଅଂଶଗ୍ରହଣ କରିବ ବୋଲି ମୁଁ ନିଶ୍ଚିତ । ଭାରତୀୟ ଦଳ ପାକିସ୍ତାନ ଆସିବା ଉଚିତ । ମୋତେ ଲାଗୁ ନାହିଁ ଭାରତୀୟ ଦଳ ଏଠାକୁ ଆସିବାକୁ ମନା କରିବେ । ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନରେ ଆମେ ସମସ୍ତ ଦଳକୁ ସ୍ବାଗତ କରିବୁ ଓ ସମସ୍ତ ପ୍ରକାର ବ୍ୟବସ୍ଥା କରିବୁ ।