ମୁମ୍ବାଇ : ଗତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଅନୁଷ୍ଠିତ ODI ବିଶ୍ବକପ 2023 ପରଠାରୁ ଭାରତର ଷ୍ଟାର ପେସର ମହମ୍ମଦ ଶାମି କ୍ରିକେଟଠାରୁ ଦୂରରେ ରହିଛନ୍ତି । ଏହି ବିଶ୍ବକପ ସମୟରେ ଆଣ୍ଠୁରେ ଆଘାତ ଲାଗିବାରୁ ଭାରତୀୟ ଦଳଠାରୁ ଦୂରରେ ଅଛନ୍ତି ଶାମି । ଏପରିକି ଚଳିତ ବର୍ଷ ଟି20 ବିଶ୍ବକପ୍ କିମ୍ବା ଆଇପିଏଲ୍ରେ ମଧ୍ୟ ଶାମିଙ୍କ ଅନୁପସ୍ଥିତି ଅନୁଭବ କରିଥିଲେ ପ୍ରଶଂସକ । ତେବେ ବର୍ତ୍ତମାନ ପୁନର୍ବାସ ପାଇଁ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ଅଛନ୍ତି ଶାମି । ଏହାରି ଭିତରେ ବିସିସିଆଇ ସଚିବ ଜୟ ଶାହ ଦଳକୁ ଶାମିଙ୍କ ଫେରିବା ନେଇ ଏକ ବଡ଼ ସୂଚନା ଦେଇଛନ୍ତି ।
ଜୟ ଶାହ ଦେଲେ ବଡ଼ ଅପ୍ଡେଟ୍ :-
ବିସିସିଆଇ ସଚିବ ଜୟ ଶାହ ସ୍ପଷ୍ଟ କରିଛନ୍ତି ଯେ ବର୍ଡର ଗାଭାସ୍କର ଟ୍ରଫି ସମୟରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଉପଲବ୍ଧ ହେବେ । ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳର ପ୍ରସ୍ତୁତି ବିଷୟରେ ଜୟ ଶାହା ଟାଇମ୍ସ ଅଫ୍ ଇଣ୍ଡିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଆମ ଦଳ ପୂର୍ବରୁ ଭଲ ଭାବରେ ପ୍ରସ୍ତୁତ ହୋଇସାରିଛି । ଆମେ ଯସପ୍ରୀତ ବୁମରାଙ୍କୁ କିଛି ସମୟ ପାଇଁ ବିଶ୍ରାମ ଦେଇଛୁ । ମହମ୍ମଦ ଶାମି ମଧ୍ୟ ଶୀଘ୍ର ଫିଟ୍ ହେବେ ବୋଲି ଆଶା କରାଯାଉଛି । ଏହା ବର୍ତ୍ତମାନ ଏକ ଅଭିଜ୍ଞ ଭାରତୀୟ ଦଳ । ରୋହିତ ଏବଂ କୋହଲିଙ୍କ ପରି ବରିଷ୍ଠ ଖେଳାଳିମାନେ ଫିଟ୍ ଅଛନ୍ତି । ତେବେ ଶାମି ଅଷ୍ଟ୍ରେଲିଆରେ ରହିବେ । କାରଣ ସେ ଅଭିଜ୍ଞ ଏବଂ ଅଷ୍ଟ୍ରେଲିଆରେ ତାଙ୍କର ଆବଶ୍ୟକତା ଆମେ ଆବଶ୍ୟକ କରିବୁ ।"
ଏମିତି କହିଲେ ଅଗରକର :-
ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହା ପୂର୍ବରୁ କହିଥିଲେ, "33 ବର୍ଷୀୟ ଶାମି ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜକୁ ଫେରିପାରନ୍ତି । କିନ୍ତୁ ବର୍ତ୍ତମାନ ଖବର ହେଉଛି ଯେ ସେ ରଣଜୀ ଟ୍ରଫି ମାଧ୍ୟମରେ ମ୍ୟାଚ୍ ମୋଡ୍କୁ ପ୍ରବେଶ କରିବେ ।"