ମୁମ୍ବାଇ:ଦୀର୍ଘ ବର୍ଷ ଅପେକ୍ଷାର ଘଟିଛି ଅନ୍ତ । ୧୧ ବର୍ଷ ପରେ ଭାରତକୁ ଆସିଛି ଆଇସିସି ଟ୍ରଫି । ୨୦୦୭ ପରେ, ଅର୍ଥାତ ୧୭ ବର୍ଷ ପରେ ଟିମ୍ ଇଣ୍ଡିଆ ଜିତିଛି କୌଣସି ଟି୨୦ ବିଶ୍ବକପ୍ ଟ୍ରଫି । ଏହାପରେ ଭାରତୀୟ ଦଳ ଉପରେ ବର୍ଷିଛି ଟଙ୍କା । ଚମ୍ପିଆନ୍ ଦଳକୁ ପୂର୍ବ ନିର୍ଦ୍ଧାରିତ ୨୦.୪୨ କୋଟି ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଛି । ଖାଲି ଏତିକି ନୁହେଁ, ଟି୨୦ ବିଶ୍ବକପ୍ ୨୦୨୪ ବିଜେତା ଭାରତୀୟ ଦଳ ଉପରେ ବିସିସିଆଇ ମଧ୍ୟ ବର୍ଷା କରିଛି ଟଙ୍କା । ବିଶ୍ବକପ୍ ବିଜୟୀ ଦଳ ପାଇଁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ସୂଚନା ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ ।
ବିଶ୍ବ ଚମ୍ପିଆନ ହୋଇଛି ଭାରତ । ଚଳିତ ଟି20 ବିଶ୍ବକପ୍ 2024 ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ 7 ରନରେ ମାତ୍ ଦେଇ ଭାରତ ହାତେଇଛି ବିଶ୍ବକପ୍ ଟ୍ରଫି । ଏଥିପାଇଁ ଭାରତବାସୀଙ୍କୁ କିଛି କମ ଦିନ ଅପେକ୍ଷା କରିବାକୁ ପଡ଼ିନି । ୨୦୧୩ରେ ଶେଷ ଆଇସିସି ଟ୍ରଫି ଭାବେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ଭାରତ । ଏହାପରେ ଗୋଟିଏ ଆଇସିସି ଟ୍ରଫି ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିଥିଲା ଦୀର୍ଘ ୧୧ ବର୍ଷ । ୨୦୧୪ରୁ ଭାରତୀୟ ଦଳ ୧୦ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିଥିଲେ ମଧ୍ୟ ଭାଗ୍ୟର ସାଥ ପାଇନଥିଲା । ହେଲେ ଶେଷରେ ୨୦୨୪ ଟି୨୦ ବିଶ୍ବକପ୍ ଟ୍ରଫି ଜିତିବା ପରେ ସବୁ ଅପେକ୍ଷାର ଘଟିଥିଲା ଅନ୍ତ । ଅସୀମ ଆନନ୍ଦ ପାଇଥିଲେ କୋଟି କୋଟି ଭାରତୀୟ କ୍ରିକେଟପ୍ରେମୀ । ୨୦୦୭ ପରେ ଏହା ଭାରତ ପାଇଁ ପ୍ରଥମ ଟି୨୦ ବିଶ୍ବକପ୍ । ଅର୍ଥାତ ଦ୍ବିତୀୟ ଟି୨୦ ବିଶ୍ବକପ୍ ଜିତିବାକୁ ଭାରତୀୟ ଦଳକୁ ୧୭ ବର୍ଷ ଲାଗିଗଲା ।