ହାଇଦ୍ରାବାଦ:ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ କ୍ରିକେଟ ଟିମ୍ । ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଖେଳାଳି ଗୁରୁବାର ଅଷ୍ଟ୍ରେଲିଆ କାନବେରା ସ୍ଥିତ ସଂସଦ ଗୃହରେ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ଭେଟିଛନ୍ତି । ଆଜିର ସାକ୍ଷାତ ସମୟରେ ବିରାଟ କୋହଲିଙ୍କ ବ୍ୟାଟିଂ ପ୍ରଶଂସା କରିଥିଲେ ଅଷ୍ଟେଲିଆ ପ୍ରଧାନମନ୍ତ୍ରୀ । ଏହା ସହିତ ପେସର ଯଶପ୍ରୀତ ବୁମରାଙ୍କୁ ପର୍ଥ ଟେଷ୍ଟରେ ଜବରଦସ୍ତ ବୋଲିଂ ପାଇଁ ପ୍ରଶଂସା କରିଥିଲେ ଆନ୍ଥୋନୀ ଆଲବାନିଜ ।
ଆସନ୍ତା ଦୁଇ ଦିନ ପରେ ଅଷ୍ଟ୍ରେଲିଆ ପ୍ରାଇମ ମିନିଷ୍ଟର୍ ଏକାଦଶ ବିପକ୍ଷରେ ଦୁଇ ଦିନିଆ ପିଙ୍କ୍ ବଲ ମ୍ୟାଚ ଖେଳିବ ଭାରତୀୟ ଦଳ । ତେବେ ଦ୍ବିତୀୟ ଟେଷ୍ଟ ମ୍ୟାଚ (ପିଙ୍କ୍ ବଲ) ପୂର୍ବରୁ ଭାରତୀୟ ଦଳ ଦୁଇ ଦିନିଆ ମ୍ୟାଚ ଖେଳିବ । ଦ୍ବିତୀୟ ଟେଷ୍ଟ ମ୍ୟାଚ ଡିସେମ୍ବର 6 ତାରିଖରେ ଆରମ୍ଭ ହେବ । ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ 5 ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହୋଇଯାଇଛି । ଭାରତୀୟ ଦଳ ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ରେକର୍ଡ 295 ରନରେ ବିଜୟୀ ହୋଇଛି ।
ଆଜିର ସାକ୍ଷାତ ଆଲୋଚନା ସମୟରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପିଏମ୍ ଆଲବାନିଜଙ୍କ ସହିତ ସମସ୍ତ ଖେଳାଳିଙ୍କୁ ପରିଚିତ କରାଇଥିଲେ । ଏହି ସମୟରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଷ୍ଟାର ବ୍ୟାଟର କୋହଲିଙ୍କୁ ପର୍ଥ ଟେଷ୍ଟରେ ଦର୍ଶନୀୟ ଶତକ ପାଇଁ ଅଭିନନ୍ଦନ ଜଣାଇଥିଲେ । ଏହା ସହିତ ବୁମରାଙ୍କୁ ଆଲବାନିଜ ପ୍ରଶଂସା କରିବା ସହିତ ଭାରତୀୟ ବୋଲିଂକୁ ମଧ୍ୟ ଭୁରି ଭୁରି ପ୍ରଶଂସା କରିଥିଲେ ।