ଡେରାଡୁନ: ୩୮ତମ ନ୍ୟାସନାଲ ଗେମ୍ସରେ ଓଡ଼ିଶାର ଦମଦାର ପ୍ରଦର୍ଶନ । ଉଭୟ ମହିଳା ଓ ପୁରୁଷ ବର୍ଗରେ ଓଡ଼ିଶା ଖୋ ଖୋ ଟିମ ଦ୍ବିତୀୟ ଦିନରେ ବିଜୟ ଧାରା ଜାରି ରଖିଛନ୍ତି । କ୍ରମାଗତ ବିଜୟ ସହ ଆଗକୁ ବଢ଼ି ଚାଲିଛି ଓଡ଼ିଶା ଖୋ ଖେ ଟିମ । ନ୍ୟାସନାଲ ଗେମ୍ସର ଆଜି ଦ୍ବିତୀୟ ଦିନରେ ଓଡ଼ିଶା ଖୋ ଖୋ ଟିମ (ପୁରୁଷ ବର୍ଗ) ପଶ୍ଚିମବଙ୍ଗ ଟିମ୍କୁ ପରାସ୍ତ କରିଛି । ସେହିପରି ଓଡ଼ିଶା ମହିଳା ବର୍ଗ ଖୋ ଖୋ ଟିମ ଗୁଜୁରାଟକୁ ପରାସ୍ତ କରି ବିଜୟୀ ହୋଇଛି ।
ଓଡ଼ିଶା ଖୋ ଖୋ ଟିମର ଦମଦାର ପ୍ରଦର୍ଶନ:
ଆଜି ଚୌଖମ୍ବ ହଲରେ ସକାଳ ୧୦ଟାରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ (ପୁରୁଷ ବର୍ଗ)ର ଖୋ ଖୋ ମ୍ୟାଚ ଖେଳାଯାଇଥିଲା । ପ୍ରଥମ ଇନିଂସରେ ଓଡ଼ିଶା ୨୦-୧୬ରେ ଆଗୁଆ ରହିଥିଲା । ପରେ ଦ୍ବିତୀୟ ଇନିଂସରେ ଦମଦାର ପ୍ରଦର୍ଶନ ଜାରି ରଖିଥିଲେ ଓଡ଼ିଶା ଖୋ ଖୋ ଟିମ ଖେଳାଳି । ଦ୍ବିତୀୟ ଇନିଂସରେ ଓଡ଼ିଶା ୨୨-୧୪ରେ ଅଗ୍ରଣୀ ବଜାୟ ରଖିଥିଲା । ଫଳରେ ପଶ୍ଚିମବଙ୍ଗକୁ ପରାସ୍ତ କରି୪୪-୨୮ ବ୍ୟବଧାନରେ ଆଗୁଆ ରହି ବିଜୟୀ ହୋଇଥିଲା ଓଡ଼ିଶା । ସେହିପରି ମହିଳା ବର୍ଗରେ ଓଡିଶା ଓ ଗୁଜୁରାଟ ଖୋ ଖୋ ଟିମ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଗୁଜୁରାଟକୁ ପରାସ୍ତ ଓଡ଼ିଶା ମହିଳା ଖୋ ଖୋ ଟିମ ୨୬-୧୬ରେ ଆଗୁଆ ରହି ବିଜୟୀ ହୋଇଛି ।
ପ୍ରଥମ ଦିନରୁ ବିଜୟ ଧାରା ଆରମ୍ଭ:
ତେବେ ଗତକାଲି ୩୮ତମ ନ୍ୟାସନାଲ ଗେମ୍ସର ପ୍ରଥମ ଦିନରୁ ହିଁ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ବର୍ଗର ଖୋ ଖୋ ଟିମ ସେମାନଙ୍କ ବିଜୟ ଅଭିଯାନ ଆରମ୍ଭ କରିଥିଲା । ପୁରୁଷ ବର୍ଗରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଛତିଶଗଡ଼କୁ ପାରସ୍ତ କରିଥିଲା ଓଡ଼ିଶା । ୪୩-୩୪ରେ ଆଗୁଆ ରହିଥିଲା ଓଡ଼ିଶା ପୁରୁଷ ବର୍ଗ ଖୋ ଖୋ ଟିମ । ସେହିପରି ମହିଳା ବର୍ଗ ଖୋ ଖୋ ଟିମ ପ୍ରଥମ ମ୍ୟାଚରେ ତାମିଲନାଡୁକୁ ସାମ୍ନା କରିଥିଲା । ପ୍ରଥମ ଦିନରୁ ହିଁ ବିଜୟର ସ୍ବାଦ ଚାଖିଥିଲେ ଓଡ଼ିଶା ମହିଳା ଟିମ । ତାମିଲନାଡୁ ଦଳକୁ ପରାସ୍ତ କରି ୩୬-୧୮ରେ ଅଗ୍ରଣୀ ରହିଥିଲା ଓଡ଼ିଶା ମହିଳା ବର୍ଗ ଖୋ ଖୋ ଟିମ୍ ।