ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି କଂଗ୍ରେସ । ମହିଳା କଂଗ୍ରେସର ନବୀନ ନିବାସ ଘେରାଉ ହେଉ କି କଂଗ୍ରେସର ଲୋକ ସେବା ଭବନ ଘେରାଉ , ସବୁଠି କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛି । ଏଥର ଆସନ୍ତା ମାର୍ଚ୍ଚ ୧ ତାରିଖରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ “ନବୀନ ହଟାଅ, ଓଡ଼ିଶା ବଞ୍ଚାଅ” ଆନ୍ଦୋଳନ ହେବ । ଆଜି ପ୍ରଦେଶ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଥିଲେ ଯେ ଦୀର୍ଘ ୨୪ ବର୍ଷର ନବୀନ ସରକାରରେ ଓଡ଼ିଶାର ଯୁବ ସମାଜ ଉପେକ୍ଷିତ, ଲୁଣ୍ଠିତ ଏବଂ ଅତ୍ୟାଚାରିତ । ସରକାର ବର୍ଷକୁ ୨ଲକ୍ଷ ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କର ପ୍ରତିଶ୍ରୁତି ଅନୁଯାୟୀ ୨୪ ବର୍ଷରେ ୪୮ ଲକ୍ଷ ନିଯୁକ୍ତି ଦେବା କଥା, ଦୁଃଖର କଥା ଏହିକି ଯେ ନବୀନ ସରକାରରେ ୨ଲକ୍ଷ ୨୬ ହଜାର ପଦବୀ ଖାଲି ପଡ଼ିଛି । ଏବେ ୧୦ ଲକ୍ଷ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରାଇ ନିଯୁକ୍ତି ପାଇଁ ଚିତ୍କାର କରୁଛନ୍ତି । ନିଯୁକ୍ତି ନ ମିଳିବାରୁ ଓଡ଼ିଶାର ଶିକ୍ଷିତ ବେକାର ଯୁବକ ଯୁବତୀ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ନିଜ ଜିଲ୍ଲା ଗଞ୍ଜାମରୁ ଲକ୍ଷ ଲକ୍ଷ ଯୁବକ ସୁରାଟ ଯାଇ ଜୀବନ ଜୀବିକା ନିର୍ବାହ ପାଇଁ ସଂଗ୍ରାମ କରୁଛନ୍ତି ।
ନିର୍ବାଚନ ଆସିଲେ ନବୀନ ସରକାର ଯୁବ ସମାଜକୁ ଭୂଆଁ ବୁଲାଇବାକୁ ନୂଆ ଯୋଜନା ଘୋଷଣା କରନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ବିଜୁ ଯୁବ ବାହିନୀ ଘୋଷଣା ହେଲା । ରାଜ୍ୟ ରାଜକୋଷରୁ ୪୫୦ କୋଟି ଟଙ୍କା ବ୍ୟୟ କରି ନବୀନ ସରକାର ଦଳୀୟ କର୍ମୀ ପୋଷଣ କଲେ । ଏବେ ସେହି ବିଜୁ ଯୁବବାହିନୀ ଯୋଜନା ଆଉନାହିଁ । ୨୦୨୪ ନିର୍ବାଚନରେ ଯୁବ ଭୋଟରଙ୍କୁ ଆକର୍ଷିତ କରିବାପାଇଁ ଯେଉଁ “ସ୍ବୟମ” ଯୋଜନା ପ୍ରଣୟନ କରିଛନ୍ତି ତାହା କେବଳ ଭୂଆଁ ବୁଲାଇବାକୁ ଉଦ୍ଦିଷ୍ଟ । ଖୁବ ଶୀଘ୍ର ଆଚରଣ ବିଧୂ ଲାଗୁ ହେଉଥିବାରୁ ଏହି ଯୋଜନାରେ ଅଧିକ ଯୁବକ ଯୁବତୀ ସାମିଲ ହୋଇପାରିବେ ନାହିଁ ଏବଂ ନିର୍ବାଚନ ପରେ “ବିଜୁ ଯୁବ ବାହିନୀ” ପରି “ସ୍ବୟମ” ଯୋଜନା ବି ନଥୁବ । ଯଦି ବେକାର ଯୁବକଯୁବତୀ ମାନଙ୍କ ପାଇଁ ଦରଦ ଥୁଲା ତେବେ ୨୪ ବର୍ଷ ଭିତରେ ଏହି ଯୋଜନା ପ୍ରଣୟନ ହେଲାନାହିଁ କାହିଁକି ?
ଏହା ମଧ୍ୟ ପଢନ୍ତୁ...4ଦଫା ଦାବି ନେଇ କେନ୍ଦ୍ରାପଡା କଂଗ୍ରେସର ମାଟି ପାଇଁ ଜେଲ ଭରୋ ଆନ୍ଦୋଳନ