ସୁନ୍ଦରଗଡ: ହକିର ଏନ୍ତୁଡିଶାଳରେ ରାଜନୈତିକ ହକି ଫାଇଟ । ପ୍ରସ୍ତୁତ ମଇଦାନ, ପ୍ରସ୍ତୁତ ଖେଳାଳି । ହକିର ଗଡ କୁହାଯାଉଥିବା ସୁନ୍ଦରଗଡ଼ରେ ଏଥର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ଦୁଇ ହକି ତାରକା ଦିଲ୍ଲୀପ ତିର୍କୀ ଓ ପ୍ରବୋଧ ତିର୍କୀ । ଦିନେ ପଡିଆରେ ଦମ ଦେଖାଉଥିଲେ, ଏବେ ଜନତାଙ୍କ ବିଶ୍ବାସ ଜିତିବାକୁ ଚାଲିଛି କସରତ । ହକି ଗ୍ରାଉଣ୍ଡରୁ ନିର୍ବାଚନୀ ମୈଦାନ ପର୍ଯ୍ୟନ୍ତ ଭାରତୀୟ ପୁରୁଷ ହକି ଦଳର ଦୁଇ ପୂର୍ବତନ କ୍ୟାପଟେନ ବର୍ତ୍ତମାନ ଭୋଟ୍ ଯୁଦ୍ଧ ପାଇଁ ତୟାର । ଯାହା ଏବେ ସୁନ୍ଦରଗଡ ରାଜନୈତିକ ମାହୋଲକୁ ଉଷ୍ମ କରି ଦେଇଛି ।
ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଛନ୍ତି ଦୁଇ ପୂର୍ବତନ କ୍ୟାପଟେନ ପଦ୍ମଶ୍ରୀ ଦିଲୀପ ତିର୍କୀ ଏବଂ ପ୍ରବୋଧ ତିର୍କୀ । କ୍ରୀଡ଼ାରୁ ଅବସର ନେବା ପରେ ଦିଲ୍ଲୀପ ତିର୍କୀ ଓ ପ୍ରବୋଧ ତିର୍କୀ ସମ୍ପୂର୍ଣ୍ଣ ଭାବରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି । ଏହି ଦୁଇ ହକି ତାରକା, ଓଡ଼ିଶାରେ ଦୁଇଟି ଭିନ୍ନ ଭିନ୍ନ ଦଳରୁ ଟିକେଟ୍ ପାଇଛନ୍ତି ।
ଦିଲ୍ଲୀପଙ୍କୁ ସୁନ୍ଦରଗଡ଼ ଲୋକସଭା ଟିକଟ୍: ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ ବିଜେଡିରୁ ଲୋକସଭା ନିର୍ବାଚନ ଲଢିବା ପାଇଁ ଟିକଟ୍ ପାଇଛନ୍ତି । ଯାହାକୁ ନେଇ ହକି ଖେଳାଳି ଏବଂ ହକି ପ୍ରେମୀଙ୍କ ମନରେ ପ୍ରବଳ ଉତ୍ସାହ । ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେପିର ହେଭିୱେଟ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବିରୋଧରେ ଲଢୁଛନ୍ତି ପଦ୍ମଶ୍ରୀ ଦିଲ୍ଲୀପ । ତେବେ ପୂର୍ବରୁ ବିଜେଡି ତାଙ୍କୁ ରାଜ୍ୟସଭା ପଠାଇଥିଲା । 2014ରେ ମଧ୍ୟ ଦିଲ୍ଲୀପ ତିର୍କୀ ଲୋକସଭାରୁ ଲଢେଇ କରି 18 ହଜାର ଭୋଟରେ ଜୁଏଲଙ୍କଠାରୁ ପରାସ୍ତ ହୋଇଥିଲେ । ସେହିପରି 2019ରେ ଏହି ଆସନରୁ ପୁଣି ଜୁଏଲ ଓରାମ ବିଜୟୀ ହୋଇଥିଲେ । ଏଥର ଦୁହେଁ ପରସ୍ପରକୁ ଟକ୍କର ଦେବାକୁ ଯାଉଛନ୍ତି ।
ତଳସରା ବିଧାନସଭା ଆସନରୁ ଲଢୁଛନ୍ତି ପ୍ରବୋଧ ତିର୍କୀ: ହକି ଖେଳାଳିରୁ ରାଜନୈତିକ ମୈଦାନ । ପ୍ରଥମ ଥର ନିର୍ବାଚନ ଲଢୁଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । କଂଗ୍ରେସ ଟିକେଟରୁ ସେ ତଳସରା ଆସନରୁ ଲଢୁଛନ୍ତି । ହକିର ଯାଦୁରେ ଭାରତକୁ ସ୍ବର୍ଣ୍ଣ ପଦକ ଜିତାଇଥିବା ପ୍ରବୋଧ ଆଗକୁ ନିର୍ବାଚନରେ କିଭଳି ପ୍ରଦର୍ଶନ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଯଦିଓ ଏହି ଦୁଇ ତାରକା ପରସ୍ପରର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ, କିନ୍ତୁ ସେମାନେ ପରସ୍ଉପର ବିରୋଧରେ ଲଢ଼ୁନାହାନ୍ଭତି । ରାଜନୀତିରେ ଭିନ୍ନ ବିଚାରଧାରାକୁ ଆପଣାଇଥିଲେ ମଧ୍ଯ, ପରୋକ୍ଷରେ ପରସ୍ପରକୁ ପ୍ରଶଂସା କରିଛନ୍ତି । ପ୍ରବୋଧ, ଦିଲ୍ଲୀପଙ୍କୁ ନିଜର ବଡ଼ ଭାଇ ବୋଲି ମନେ କରନ୍ତି । ଖେଳରେ ଦେଶ ପାଇଁ ଗୌରବ ଆଣିବା ପାଇଁ ଯେଉଁଭଳି ପରିଶ୍ରମ କରିଥିଲେ, ରାଜନୀତିରେ କଠିନ ପରିଶ୍ରମ କରି ତଳସରାକୁ ଆଗକୁ ନେଇଯିବେ ବୋଲି ପ୍ରବୋଧ କହିଛନ୍ତି ।
ଖେଳରୁ ରାଜନୀତି: ଗତବର୍ଷ ଖେଳ ପଡିଆରୁ ରାଜନୀତିରେ ଏଣ୍ଟ୍ରି ମାରିଥିଲେ ପ୍ରବୋଧ ତିର୍କୀ । କଂଗ୍ରେସରେ ସାମିଲ ହୋଇଥିଲେ । ରାହୁଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ସାମିଲ ହୋଇଥିବା କହିଥିଲେ । ଏପରିକି ଦେଶ ପାଇଁ ଖେଳୁଥିଲି ଲୋକଙ୍କ ସେବା କରିବାକୁ ଇଚ୍ଛା କରି ରାଜନୀତିରେ ଯୋଗ ଦେଇଥିବା କହିଥିଲେ । ସୁନ୍ଦରଗଡ ଜିଲ୍ଲାର ଏହି ତାରକା ଦେଶ ପାଇଁ ଅନେକ ନାଁ କମାଇଛନ୍ତି । ସେ ଭାରତୀୟ ହକି ଦଳର ଅଧିନାୟକ ମଧ୍ୟ ହୋଇପାରିଥିଲେ । ହକି ଖେଳରେ ଦେଶ ତଥା ରାଜ୍ୟ ସୁନାମ ଆଣିଥିବା ଏହି ଦୁଇ ତାରକା ରାଜନୈତିକ ମଇଦାନରେ କି କମାଲ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ହକିରେ ଦିଲ୍ଲୀପଙ୍କ ଯାତ୍ରା:ହକି ଜଗତରେ ଦିଲ୍ଲୀପ ତିର୍କୀ ଜଣେ ଚର୍ଚ୍ଚିତ ତାରକା । ହକି ଜଗତରେ ତାଙ୍କ ଅବଦାନ ଅତୁଳନୀୟ । ଦିଲ୍ଲୀପ ଇଂଲଣ୍ଡ ବିରୋଧରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଏହା ପରେ 1996ରେ ଆଟଲାଣ୍ଟା ଅଲମ୍ପିକ, 2000 ମସିହାରେ ସିଡିନୀ ଅଲମ୍ପିକ ଓ 2004ରେ ଏଥେନସ ଅଲମ୍ପିକରେ ଖେଳିଥିଲେ । ସେ ଭାରତ ପାଇଁ ମୋଟ 412ଟି ମ୍ୟାଚ ଖେଳିଥିବା ବେଳେ ଭାରତୀୟ ହକି ଦଳର ଅଧିନାୟକ ମଧ୍ୟ ଥିଲେ । 2010 ମସିହାରେ ହକିରୁ ସନ୍ନ୍ୟାସ ନେଇଥିଲେ ।
ନଜର ପକାନ୍ତୁ କୃତିତ୍ବ ଉପରେ
- 1997ରେ ବିଶ୍ବକପ ହକି ଦଳରେ ସ୍ଥାନ
- 2002ରେ ଏସୀୟ ଦଳରେ ସ୍ଥାନ
- 2006ରେ ବିଶ୍ବକପ ହକି ମ୍ୟାଚରେ ସ୍ଥାନ
- 2007ରେ ବିଶ୍ବକପ ହକି ଦଳରେ ସ୍ଥାନ
- ଭାରତୀୟ ହକି ଦଳ ପାଇଁ ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି ଦିଲ୍ଲୀପ (412 ମ୍ୟାଚ)