ଭୁବନେଶ୍ବର: ବିଧାନସଭାରେ ହଙ୍ଗାମା କରି ଦୁଇ ମିନିଟର ହେଡ ଲାଇନ ହୁଅନ୍ତୁ ନାହିଁ । ଦୀର୍ଘ କାଳୀନ ସହ ଲମ୍ବା କ୍ୟାରିଅର ପାଇଁ ରିସର୍ଚ୍ଚ କରନ୍ତୁ, ଶୃଙ୍ଖଳିତ ହୁଅନ୍ତୁ । କଠିନ ପରିଶ୍ରମ କରିବା ସହ ଗୃହର ମର୍ଯ୍ୟାଦା ରକ୍ଷା କରନ୍ତୁ । ଜଣେ ଭଲ ବିଧାୟକ ବା ସାଂସଦ ହେବାକୁ ହେଲେ ଜୀବନ ସାରା ଶିକ୍ଷା ଲାଭ କରନ୍ତୁ । ବିଧାନସଭାରେ ବିଧାୟକଙ୍କ ଦୁଇ ଦିନିଆ ନୂଆ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ।
ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଚାଲିବ ଏହି ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ । ୧୭ତମ ବିଧାନସଭାର ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ସମତେ ବିଜେପି ବିଧାୟକମାନେ ଉପସ୍ଥିତ ଥିଲେ ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିରୋଧୀଙ୍କ ବଏକଟ୍:-
ଆଜିଠୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବିରୋଧୀ ଦଳ ନେତା କିମ୍ବା ବିଜେଡିର କୌଣସି ବିଧାୟକ ଯୋଗ ଦେଇନାହାନ୍ତି । ବିଜେପି କହିଛି, କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ । କିରଣ ରିଜଜୁ କେନ୍ଦ୍ରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ହୋଇଥିବା ବେଳେ ସେ ବହୁଥରର ନିର୍ବାଚିତ ପ୍ରତିନିଧୀ । ତେଣୁ ସେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କିଛି ଅସୁବିଧା ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ମାତ୍ର ବିରୋଧୀମାନେ ଅଯଥା ପ୍ରସଙ୍ଗକୁ ଅପ୍ରସଙ୍ଗ କରି ନୂଆ ବିଧାୟକଙ୍କୁ ଏହି କାର୍ଯ୍ୟକ୍ରମରୁ ବଞ୍ଚିତ କରୁଛନ୍ତି ବୋଲି ଶାସକ ଦଳ କହିଛି ।
'କୌଣସି ରାଜନୀତି ହୋଇନି, ବିରୋଧୀ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି'
ଏହି ପରିପ୍ରେକ୍ଷୀରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ମାଧ୍ୟମରେ ବିଧାନସଭାର ରୁଲ୍ସ ଅଫ୍ ପ୍ରୋସିଜର ଉପରେ ଶିକ୍ଷା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମର ଆଜି ପ୍ରଥମ ଦିନ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଅତିଥି ବକ୍ତା ଭାବେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଯୋଗଦେଇଛନ୍ତି । ବିଧାୟକମାନଙ୍କ ପାଇଁ ଲାଭଦାୟକ ହେବ ଏହି କାର୍ଯ୍ୟକ୍ରମ । ବିଧାନସଭାର ନିୟମାବଳୀର ଜ୍ଞାନ ବଢିବ । ଗୃହରେ ବିଧାୟକମାନେ ଭଲ ପ୍ରଦର୍ଶନ କରିବେ । ବିରୋଧୀ ଅପ୍ରସଙ୍ଗକୁ ପ୍ରସଙ୍ଗ କରିଛନ୍ତି ବିରୋଧି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଉଦଘାଟନ ବେଳେ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିଥିଲେ । ଏଠାରେ କୌଣସି ରାଜନୀତି ନାହିଁ । ବିଜେଡି ଓ କଂଗ୍ରେସ ରାଜନୀତି ଉଦ୍ଦେଶ୍ୟ ରଖି ଏଭଳି କରୁଛନ୍ତି । ବିଧାନସଭାର ନିୟମ ଅନୁଯାୟୀ ସବୁ ଚାଲୁଅଛି ।"
'ଗୃହରେ ଲମ୍ବା କ୍ୟାରିଅର ପାଇଁ ରିସର୍ଚ୍ଚ କରନ୍ତୁ'