ମୁମ୍ବାଇ: ଗତକାଲି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଦିଲ୍ଲୀ ଗସ୍ତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରିଛନ୍ତି । ସେ ଏହି ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟରେ ସାମିଲ ହେବା ଓ ସେହି ସମ୍ପର୍କିତ ଆଲୋଚନା ପାଇଁ ଗୃହମନ୍ତ୍ରୀ ଶାହଙ୍କୁ ଭେଟିଥିବା ନେଇ ଚର୍ଚ୍ଚା ହେଉଛି । ଏହାକୁ ଭିନ୍ନଢଙ୍ଗରେ କାଉଣ୍ଟର କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାରାଷ୍ଟ୍ରରେ ଜଣେ ଠାକରେଙ୍କୁ ଚୋରି କରିବାକୁ ପ୍ରୟାସ କରାଯାଉଛି ବୋଲି ଉଦ୍ଧବ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଉଦ୍ଧବ ଓ ରାଜ ଠାକରେ ହେଉଛନ୍ତି ଦୁଇ ସମ୍ପର୍କୀୟ ଭାଇ ।
ଏହି ଘଟଣାକ୍ରମ ସମ୍ପର୍କରେ ଗଣମାଧ୍ୟମରେ ଗତକାଲି ପ୍ରତିକ୍ରିୟା ଦେଇ ଉଦ୍ଧବ କହିଛନ୍ତି, ମହାରାଷ୍ଟ୍ରରେ ବିଜେପି ମୋଦିଙ୍କ ନାମରେ ଭୋଟ ପାଇବନାହିଁ । ଦଳ ଏକଥା ଜାଣିସାରିଛି, ମହାରାଷ୍ଟ୍ରବାସୀ କେବଳ ବାଲାସାହେବ ଠାକରେଙ୍କ ନାମରେ ଭୋଟ ଦିଅନ୍ତି । ବିଜେପି ଚଳିତ ନିର୍ବାଚନରେ ମଧ୍ୟ ଭୋଟ ପାଇବନାହିଁ । ସେଥିପାଇଁ ଜଣେ ଠାକରେଙ୍କୁ ଚୋରି କରିବାକୁ ଉଦ୍ୟମ କରାଯାଉଛି । ଉଦ୍ଧବଙ୍କ ସମ୍ପର୍କୀୟ ଭାଇ ରାଜ ଠାକରେ ପୂର୍ବରୁ ଶିବସେନାରେ ଥିବା ବେଳେ 2006ରେ ମହାରାଷ୍ଟ୍ର ନବନିର୍ମାଣ ସେନା ନାମରେ ଏକ ଦଳ ଗଠନ କରି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । 2008 ରାଜ୍ୟ ବିଧାନସଭା ନିର୍ବାଚନରେ ରାଜଙ୍କ ଦଳ 13 ଆସନରେ ଜିତିଥିଲା । ମାତ୍ର ଗତ ନିର୍ବାଚନ 2019ରେ ଏହି ସଂଖ୍ୟା ମାତ୍ର ଗୋଟିଏରେ ସୀମିତ ରହିଥିଲା ।