ଓଡିଶା

odisha

ETV Bharat / politics

ସୁନ୍ଦରଗଡ଼ ଲୋକସଭା: ରିପିଟ୍ ହେବେ ଜୁଏଲ ନା ପରିବର୍ତ୍ତନ ? - ସୁନ୍ଦରଗଡ଼ ଲୋକସଭା ନିର୍ବାଚନ 2024

Sundargarh Lok Sabha Constituency Seat Scan: ସୁନ୍ଦରଗଡ଼ ଲୋକସଭା ଆସନକୁ ଆଜି ଯାଏଁ ହାତେଇ ପାରିନାହିଁ ଶାସକ ବିଜେଡି । କଂଗ୍ରେସ ଏଠାରେ ସର୍ବାଧିକ ୭ ଥର ବିଜୟୀ ହୋଇଥିବାବେଳେ ଏବେ ଏହା ବିଜେପି କବଜାରେ । 2024ରେ ଏହି ଆସନରେ କିଏ ମାରିବ ବାଜି ? ପଢନ୍ତୁ ଏହି ରିପୋର୍ଟ ।

ସୁନ୍ଦରଗଡ଼ ଲୋକସଭା ନିର୍ବାଚନ
ସୁନ୍ଦରଗଡ଼ ଲୋକସଭା ନିର୍ବାଚନ

By ETV Bharat Odisha Team

Published : Mar 9, 2024, 5:18 PM IST

ସୁନ୍ଦରଗଡ଼ ଲୋକସଭା ନିର୍ବାଚନ

ରାଉରକେଲା: ସୁନ୍ଦରଗଡ଼ ଲୋକସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥାଏ । ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଏହା ଗଠିତ । ବଣାଇ, ରାଉରକେଲା, ରଘୁନାଥପଲ୍ଲୀ, ବୀରମିତ୍ରପୁର, ରାଜଗାଙ୍ଗପୁର, ତଲସରା ଏବଂ ସୁନ୍ଦରଗଡ଼କୁ ନେଇ ଗଠିତ ଏହି ଲୋକସଭା ମଣ୍ଡଳୀ । ଏହି ଲୋକସଭା ଆସନରୁ 1952ରେ ପ୍ରଥମ ଥର ପାଇଁ ସଂସଦକୁ ଯାଇଥିଲେ କଂଗ୍ରେସର ଶିବନାରାୟଣ ସିଂ ମହାପାତ୍ର । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ନିର୍ବାଚନ ମଣ୍ଡଳୀରେ ଆଜି ଯାଏଁ ବାଜି ମାରି ପାରିନାହିଁ ଶଙ୍ଖ । ଏଠାରୁ କଂଗ୍ରେସ ସର୍ବାଧିକ ୭ ଥର ବିଜୟୀ ହୋଇଛି । 1951, 1971, 1980ରୁ ନେଇ 1996 ଏବଂ 2009ରେ କଂଗ୍ରେସ ଏହି ଗଡ଼ରେ ରାଜୁତି କରିଛି ।

ସୁନ୍ଦରଗଡ଼ ଲୋକସଭା ନିର୍ବାଚନ

2009 ଫଳାଫଳ:2009ରେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ୱାଳଙ୍କଠାରୁ ପରାସ୍ତ ହୋଇଥିଲେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ । ହେମାନନ୍ଦଙ୍କୁ 2ଲକ୍ଷ 80ହଜାର 054 ଖଣ୍ଡ ଭୋଟ ମିଳିଥିବାବେଳେ ଜୁଏଲ ଓରାମ ପାଇଥିଲେ 2ଲକ୍ଷ 68 ହଜାର 430ଖଣ୍ଡ ଭୋଟ ।

2014 ଫଳାଫଳ:ଦେଶରେ ମୋଦିଙ୍କ ହାୱା ଚାଲିଥିବାବେଳେ ଏହାକୁ ନେଇ ବିଜେପି ଏହି ଲୋକସଭା ଆସନରେ କଡା ଟକ୍କର ଦେଇଥିଲା । ତେବେ 2014ରେ ଜୁଏଲ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ସାଂସଦ ପାଇଁ ଛିଡା ହୋଇଥିଲେ । ବିଜେପି ଏଠାରେ 5 ଥର ବିଜୟୀ ହୋଇଥିବାବେଳେ ଦୁଇ ଦୁଇ ଥର କ୍ୟାବିନେଟ ମନ୍ତ୍ରୀ ଭାବେ କେନ୍ଦ୍ର ଆଦିବାସୀ ମନ୍ତ୍ରୀର ଦାୟିତ୍ୱ ପାଇଛନ୍ତି ଜୁଏଲ । ଏହାସହ ଏହି ଲୋକସଭା ଆସନରେ ଗଣତନ୍ତ୍ର ପରିଷଦ, ସ୍ଵତନ୍ତ୍ର ପାର୍ଟି, ଜନତା ପାର୍ଟି ଏବଂ ଜନତା ଦଳ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି । କଂଗ୍ରେସରୁ ହେମାନନ୍ଦ ବିଶ୍ୱାଳ ନିର୍ବାଚନ ଲଢିଥିଲେ । ତେବେ ବିଜେଡି ଏବଂ ବିଜେପି ମଧ୍ୟରେ କଡା ଲଢେଇ ହୋଇଥିଲା ଏବଂ 18 ହଜାର ଭୋଟରେ ଦିଲ୍ଲୀପ ତିର୍କୀଙ୍କୁ ପରାସ୍ତ କରି ବାଜିମାତ କଲେ ବିଜେପିର ଜୁଏଲ ଓରାମ । ଜୁଏଲଙ୍କୁ ୩ ଲକ୍ଷ ୪୦ ହଜାର ଏବଂ ଦିଲ୍ଲୀପ ତିର୍କୀଙ୍କୁ ୩ ଲକ୍ଷ ୨୧ ହଜାର ଏବଂ ହେମାନନ୍ଦ ବିଶ୍ୱାଳ ଦୁଇ ଲକ୍ଷ ୬୯ ହଜାର ଭୋଟ ମିଳିଥିଲା ।

2019 ଫଳାଫଳ:2019ରେ ୨ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପଞ୍ଚମ ଥର ପାଇଁ ବିଜୟୀ ହୋଇଥିଲେ ସାଂସଦ ଜୁଏଲ ଓରାମ । ଜୁଏଲ ଓରାମଙ୍କୁ ୫ ଲକ୍ଷ ଭୋଟ ମିଳିଥିବାବେଳେ ବିଜେଡିର ସୁନିତା ବିଶ୍ୱାଳଙ୍କୁ ୨ ଲକ୍ଷ ୭୬ ହଜାର ଭୋଟ ମିଳିଥିଲା । କଂଗ୍ରେସର ଆଦିବାସୀ ନେତା ଜର୍ଜ ତିର୍କୀଙ୍କୁ ୨ ଲକ୍ଷ ୬୮ ହଜାର ଭୋଟ ମିଳିଥିଲା । ତେବେ ବିଜେଡି ଏବଂ କଂଗ୍ରେସକୁ ରେକର୍ଡ ମାର୍ଜିନ ୨ ଲକ୍ଷ ଭୋଟରେ ପରାସ୍ତ କରି ପଞ୍ଚମ ଥର ସାଂସଦ ହୋଇଥିଲେ ଜୁଏଲ ଓରାମ ।

୨୦୨୪ ନିର୍ବାଚନ ରଣନୀତି:ଚଳିତ ନିର୍ବାଚନ ପାଇଁ କସରତ ଆରମ୍ଭ କରିଛନ୍ତି ୩ ପ୍ରମୁଖ ଦଳ । ପୂର୍ବତନ ବଣାଇ ବିଧାୟକ ଜନାର୍ଦ୍ଦନ ଦେହୁରୀଙ୍କୁ ଏଥର କଂଗ୍ରେସ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ସେ କହିଛନ୍ତି, "ଏଥର କଂଗ୍ରେସ ନିଶ୍ଚିତ ଭାବରେ ଭଲ ପ୍ରଦର୍ଶନ କରି ଏଠାରେ ସାଂସଦ ପଦ ଜିତିବ ଏବଂ ନିଜର ଗୌରବ ଫେରି ପାଇବ ।" ନିକଟରେ ସୁନ୍ଦରଗଡ଼ରେ ହୋଇଥିବା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା କେତେ ପ୍ରଭାବ ପକାଉଛି ତାହା ମଧ୍ୟ ଦେଖିବାର ଅଛି । ଏଥର ସାଂସଦ ପଦ ହାତେଇବା ଲକ୍ଷ୍ୟରେ ବିଜେଡି । ତେବେ ଗତ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳଙ୍କ ଉପରେ ଭରସା କରିଥିବା ବିଜେଡି 2 ଲକ୍ଷ 23 ହଜାର ଭୋଟରେ ପରାସ୍ତ ହୋଇଥିଲା ବିଜେଡି ଏବଂ 2014ରେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ କେବଳ 18 ହଜାର ଭୋଟରେ ବିଜେପି ଠାରୁ ପରାସ୍ତ ହୋଇଥିଲେ । ତେବେ ଏଥର ମଧ୍ୟ ଚର୍ଚ୍ଚା ହେଉଛି ଯେ ସୁନ୍ଦରଗଡ଼ ଲୋକସଭା ପାଇଁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ହୋଇପାରନ୍ତି ପ୍ରାର୍ଥୀ । ଶ୍ରମ ମନ୍ତ୍ରୀ ସାରଦା ନାୟକ କହିଛନ୍ତି, "ଏଥର ଜିଲ୍ଲାର ସମସ୍ତ ବିଧାନସଭା ଏବଂ ଲୋକସଭା ସିଟ୍ ହାତେଇବ ବିଜେଡି।"

ଏହା ମଧ୍ୟ ପଢନ୍ତୁ...ରେଙ୍ଗାଲିରେ ହେବ ତ୍ରିମୁଖୀ ଲଢେଇ, ରିପିଟ୍‌ କରିବ ବିଜେପି ନା ବଜାୟ ରହିବ ପରମ୍ପରା !

ଗୋଟିଏ ପଟେ ସାଂସଦ ଜୁଏଲ ଓରାମଙ୍କୁ ନେଇ ଜନତା ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସମସ୍ୟା ରହିଥିବାବେଳେ ଏଥର ପରିବର୍ତ୍ତନ ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ଏଭଳି ସ୍ଥିତିରେ ଜୁଏଲ ରିପିଟ୍ ହେବେ ନା ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଜନତା ଭରସା କରିବେ ତାହା ନିର୍ବାଚନ ପରେ ସ୍ପଷ୍ଟ ହେବ ।


ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details